
ପୁରୀ : ପୁରୀ ମାର୍କେଟ କମ୍ପ୍ଲେକ୍ସ ଓ ସମ୍ରାଟ ହୋଟେଲରେ ନିଆଁ ଲାଗିବା ଘଟଣା । ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ୧୨ଟି ଫାୟାର ଗାଡି, ୧୬୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଷ୍ଟ୍ରାଇକିଂ ଫାୟାର ଫୋର୍ସ ନିଆଁ ଲିଭା କାମରେ ଲାଗିଛନ୍ତି । କଟକ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ମାଝିଙ୍କ ନେତୃତ୍ଵରେ ଅପରେସନ ଜାରି ରହିଛି । ତାଙ୍କୁ ସହଯୋଗ କରିବାକୁ ଅନ୍ୟ ଜଣେ ଫାୟାର ଅଫିସର ଘଟଣାସ୍ଥଳକୁ ଯାଉଛନ୍ତି ।
ଡିଆଇଜି ନିଜେ ଯାଇ ପ୍ରତ୍ୟକ୍ଷ ତଦାରଖ କରିବେ । ରାତି ଅନ୍ଧାର ଯୋଗୁଁ ଏବଂ ସଟର ବନ୍ଦ ଥିବା କାରଣରୁ ନିଆଁ ଲିଭାଇବାକୁ ଅଧିକ ସମୟ ଲାଗିଥିଲା । କପଡା ଦୋକାନ ଏବଂ ପ୍ଲାଷ୍ଟିକ୍ ସାମଗ୍ରୀ ଥିବାରୁ ନିଆଁ ଲିଭା କାମ ବିଳମ୍ବ ହେଉଛି । ଖୁବଶୀଘ୍ର ନିଆଁ ଆୟତ୍ତ ହେବ ।
ପ୍ରକାଶ ଥାଉକି, ବୁଧବାର ପୁରୀ ବଡଦାଣ୍ଡ ମରଚିକୋଟ ଛକ ନିକଟରେ ଅଭାବନୀୟ ଘଟଣା ଘଟିଥିଲା । ଏକ ମାର୍କେଟ କମ୍ପ୍ଲେକ୍ସ ଓ ସମ୍ରାଟ ହୋଟେଲରେ ନିଆଁ ଲାଗି ଭୟାନକ ପରିସ୍ଥିତି ସୃଷ୍ଟି କରିଥିଲା । ମାର୍କେଟ କମ୍ପ୍ଲେକ୍ସର ଏକ କପଡା ଦୋକାନରେ ସଟସର୍କିଟ ଯୋଗୁଁ ପ୍ରଥମେ ନିଆଁ ଲାଗିବା ପରେ କମ୍ପ୍ଲେକ୍ସ ଭିତରେ ଥିବା ୪୦ଟି ଦୋକାନକୁ ନିଆଁ ବ୍ୟାପିଥିଲା । ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଅଗ୍ନିଶମ ବିଭାଗର ଗାଡି ଆସି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇପାରିନଥିଲା । ୧୪ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ପରେ ବି ଆୟତ୍ତ ହୋଇନି ନିଆଁ । ଗୁରୁବାର ସକାଳେ ଓଡ୍ରାଫ ଟିମ୍ ପହଞ୍ଚି ନିଆଁ ଲିଭାରେ ସାହାଯ୍ୟ କରିଛନ୍ତି ।