ଜିଲ୍ଲା କଳାକାର ସମନ୍ୱୟ ସମିତି ପକ୍ଷରୁ ଅନେକ ଦାବୀକୁ ନେଇ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପ୍ରଦାନ କରାଯିବାକୁ ନିଷ୍ପତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା କଳାକାର ସମନ୍ୱୟ ସମିତି ପକ୍ଷରୁ ଆଜି ସଦର ବ୍ଲକ ବଲାଙ୍ଗିର ଚୁଡାପାଲି ଜଗନ୍ନାଥ ମନ୍ଦିର ପରିସରରେ ସମନ୍ୱୟ ସମିତିର ସଭାପତି ଗୁରୁଶ୍ରୀ ପରମାନନ୍ଦ ମାଝୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ନିଜର କଳା ଓ କଳାକାର ବିକାଶ ଦିଗରେ ସରକାର କିପରି ଅବହେଲା କରୁଛନ୍ତି, ସେ ଉପରେ ଆଳୋଚନା ହୋଇ ଏକ କ୍ଷୋଭ ପ୍ରକାଶର ମତ ଆସିଥିଲା । ଜିଲ୍ଲାର ପ୍ରାୟ ୭୦୦ କଳାକରଙ୍କୁ ଆଜି ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ କାଳାକାର ସହାୟକ ଯୋଜନାରେ ସାମିଲ କରି ନିଜର କର୍ତ୍ତବ୍ୟ ସାରି ଦେଇଛନ୍ତି । ଏପଟେ ଜିଲ୍ଲାର ହଜାର ହଜାର ଯୋଗ୍ୟ କଳାକାର ସହାୟକ ଯୋଜନାରୁ ବଂଚିତ ଅଛନ୍ତି । ଜିଲ୍ଲାର ଶତ ପ୍ରତିଶତ କଳାକାର ଗରିବ ରେଖା ତଳେ ଜୀବନ ଜିଉଁଛନ୍ତି । ମୁଠାଏ ଦାନା, ଖଣ୍ଡିଏ କନା ପାଇଁ ସଂର୍ଘଷରତ । ଏବେ ପୁଣି କରୋନାର ମାଡ଼ ଦୁଃଖକୁ ଦ୍ୱିଗୁଣିତ କରିଦେଇଛି । ଶିଶୁଟିଏ ଜନ୍ମ ଠାରୁ ଶବାଧାର ପର୍ୟ୍ୟନ୍ତ କଳାକାରଙ୍କ ସର୍ବଦା ଲୋଡା ପଡିଥାଏ । ସର୍ବଦା ଲୋକଙ୍କୁ ମନୋରଂଜନ ଦେବା ସହିତ ସମାଜିକ ଶିକ୍ଷା ଦେଇ ଆସୁଛନ୍ତି କଳାକାର ସମୂହ । ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ନୃତ୍ୟ-ବାଦ୍ୟର ତାଳେ ତାଳେ ପ୍ରଚାର କରି ଆସୁଛନ୍ତି, ମାତ୍ର ସର୍ବଦା କଳାକାର ପ୍ରତି ରାଜ୍ୟ ସରକାର ହେୟ ମନୋଭାବ କରିଆସିଛନ୍ତି । ବର୍ତ୍ତମାନ ଆମ ଜିଲ୍ଲାରେ ମାତ୍ର ୧୧୪୬ଟି ସହାୟକ ଯୋଜନାରେ ସାମିଲ୍‌ ହେବାକୁ ସ୍ଥିର କରାଯାଇଛି, ଯାହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ । ଜିଲ୍ଲାରେ ପ୍ରାୟ ୪୦ ହଜାର କଳାକାର ରହିଥିବା ବେଳେ ଏପ୍ରକାର ମନୋଭାବ କାହିଁକି ବୋଲି ପ୍ରଶ୍ନ ଉଠୁଛି । ତାହା ପୁଣି ଗତ ୨୦୧୮-୧୯ ବର୍ଷର ବଳକା ଭତ୍ତାକୁ ପ୍ରଦାନ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ଗତ ବର୍ଷ ବ୍ଲକ କାଳାକାର ସଂସ୍କୃତି ସଂଘ ପକ୍ଷରୁ ଫର୍ମ ଆବେଦନରେ ବହୁତ କଳାକାରଙ୍କୁ ବାଦ୍‌ ଦିଆଯାଇଛି, ଯାହା ବଲାଙ୍ଗିର ସଦର ବ୍ଲକରୁ ମାତ୍ର ୨୫୭, ମୁନସିପାଲଟିରୁ ୧୪୧ ଓ ଲୋଇସିଂହା ବ୍ଲକରୁ ୪୪୧ ରହିଥିବା ନଜିର ରହିଛି । ଏହା ପ୍ରକୃତ ପକ୍ଷେ ଯଥେଷ୍ଟ ନୁହଁ । ହଜାର ହଜାର କଳାକାର ଗ୍ରାମ ମାନଙ୍କରେ ପଡି ରହିଛନ୍ତି । ଏପ୍ରକାର ଅନେକ ସମସ୍ୟା ନେଇ ଆଗାମୀ ୨୮ ତାରିଖରେ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସଂପାଦକ ସତ୍ୟ ବନଛୋର, ପ୍ରମୋଦ କୁମାର ନାଏକ, ସୁଭାସ ପଧାନ, କିରଟି ସାହୁ, କଏଁରୁ ଚନ୍ଦନ, କ୍ଷମାନିଧି ବନଛୋର, ମହେନ୍ଦ୍ର ସିଂ ନିନା, ଶ୍ରୀରାମ ସା, ଶୋଭାବନ ଠେଲା, ମାନସୀ କୁମୁରା, ମହାଦେବ ପଟେଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.