ଆନିମେସନ୍ ଚଳଚ୍ଚିତ୍ର ନିର୍ମାତା ପ୍ରତିଯୋଗିତା : ୱେଭସ୍ ୨୦୨୫ରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମନୋନିତ ହେଲେ ୭୮ ନିର୍ମାତା

● ଲଣ୍ଡନରୁ ବାଲି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ପ୍ରତିଯୋଗୀଙ୍କୁ ସୁଯୋଗ ଦେଲା ୱେଭ୍ସ

ନୂଆଦିଲ୍ଲୀ, (ପିଆଇବି) : ଅସାଧାରଣ ଆନିମେସନ ପ୍ରତିଭାଙ୍କୁ ସୁଯୋଗ ଦେବ ୱେଭ୍ସ ୨୦୨୫ । ୱେଭ୍ସ ସମ୍ମିଳନୀ ଅଧୀନରେ ଆନିମେସନ ଚଳଚ୍ଚିତ୍ର ନିର୍ମାତା ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡ ପାଇଁ ୭୮ ଜଣ ନିର୍ମାତା ମନୋନିତ ହୋଇଛନ୍ତି । ଡାନ୍ସିଂ ଆଟମର ସହଭାଗିତାରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜ ସିଜନ୍-୧ ଅଧୀନରେ ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଏହାର ଆୟୋଜନ କରାଯାଇଥିଲା । ମୁଖ୍ୟତଃ ପାଞ୍ଚଟି ବର୍ଗ : ଆନିମେସନ, ଏଆର (ଅଗମେଣ୍ଟେଡ୍ ରିଅଲିଟି), ଭିଆର୍(ଭର୍ଚୁଆଲ୍ ରିଅଲିଟି), ଭର୍ଚୁଆଲ ପ୍ରଡକ୍ସନ ଏବଂ ଭିଜୁଆଲ ଇଫେକ୍ଟକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଶ୍ୱର ବିଶିଷ୍ଟ ବିଚାରକମାନଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ମୌଳିକତା, ବର୍ଣ୍ଣନାତ୍ମକ ଶକ୍ତି, ମନୋରଞ୍ଜନ ମୂଲ୍ୟ, ବଜାର ଅପିଲ, ଦର୍ଶକଙ୍କ ସମ୍ପୃକ୍ତି ଏବଂ ବୈଷୟିକ କାର୍ଯ୍ୟକାରିତା ସମେତ ବିଭିନ୍ନ ମାନଦଣ୍ଡକୁ ଆଧାର କରି ଚଳଚ୍ଚିତ୍ର ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିଥିଲା । ବିଚାରକ ମଣ୍ଡଳୀରେ ମନୋରଞ୍ଜନ ବିପଣନ ପେସାଦାର ଜାନ ନାଗେଲ, ଆନିମେସନ ୱାର୍ଲ୍ଡ ନେଟୱର୍କର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ଡାନ ସାର୍ଟୋ, ନିର୍ଦ୍ଦେଶକ, ନିର୍ମାତା, ଲେଖକ ଜିଆନମାର୍କୋ ସେରା, ବିଶିଷ୍ଟ ଲେଖିକା ଇନ୍ଦୁ ରାମଚନ୍ଦାନୀ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ବୈଭବ ପିୱଲାତକର ପ୍ରମୁଖ ସାମିଲ ଥିଲେ । ଚୟନ ହୋଇଥିବା ନିର୍ମାତାଙ୍କ ମଧ୍ୟରେ ଛାତ୍ରଛାତ୍ରୀ, ଅଭିଜ୍ଞ, ପେସାଦାର ଏବଂ ଷ୍ଟୁଡିଓମାନେ ଅଂଶଗ୍ରହଣ କରିଥିଲେ । ଏହା ବ୍ୟତୀତ, ଏହି ପ୍ରତିଯୋଗିତାରେ ଲଣ୍ଡନ, ବାଲି ଏବଂ କାନାଡାର ଅନ୍ତର୍ଜାତୀୟ ପ୍ରତିଯୋଗୀ ରହିଛନ୍ତି, ଯାହା କାହାଣୀ କହିବା ପାଇଁ ଏକ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ପ୍ରଦାନ କରିଥାଏ । ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟ ଏବଂ ପାରିବାରିକ ଶିକ୍ଷା ଉପରେ ଆକର୍ଷଣୀୟ ବର୍ଣ୍ଣନା ପାଇଁ ତିନୋଟି ସ୍ୱତନ୍ତ୍ର ଉଲ୍ଲେଖ ଚଳଚ୍ଚିତ୍ର ପ୍ରକଳ୍ପ ସ୍ୱୀକୃତି ଅର୍ଜନ କରିଛି । ମନୋନୀତ ପ୍ରକଳ୍ପଗୁଡ଼ିକରୁ ରିଫାଇଣ୍ଡ ପିଚ୍ ଡେକର ଚୂଡ଼ାନ୍ତ ଦାଖଲ ୨୦ ମାର୍ଚ୍ଚ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ, ତା’ପରେ ଶିଳ୍ପ ବିଶେଷଜ୍ଞଙ୍କ ଏକ ନବ ନିଯୁକ୍ତ ପ୍ୟାନେଲ୍ ଦ୍ୱାରା ଏକ ବିଚାରକ ସମୀକ୍ଷା କରାଯିବ । ଶ୍ରେଷ୍ଠ ତିନୋଟି ବିଜୟୀ ପ୍ରକଳ୍ପ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ (ମୋଟ) ନଗଦ ପୁରସ୍କାର ପାଇବେ । ଏହି ପଦକ୍ଷେପର ଅଂଶବିଶେଷ ସ୍ୱରୂପ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶ୍ରେଷ୍ଠ ନିର୍ମାତାମାନଙ୍କୁ ଏକ ସ୍ୱତନ୍ତ୍ର ମୁମ୍ବାଇ ଗସ୍ତ ପାଇଁ ନିମନ୍ତ୍ରଣ କରିବ । ସେଠାରେ ସେମାନେ ସାରା ବିଶ୍ୱର ନିର୍ମାତା, ଓଟିଟି ପ୍ଲାଟଫର୍ମ, ବିତରକ ଏବଂ ନିବେଶକମାନଙ୍କ ଆଗରେ ସେମାନଙ୍କ ପ୍ରକଳ୍ପ ଉପସ୍ଥାପନ କରିବେ । ଆସନ୍ତା ଏପ୍ରିଲ ୧୦ ତାରିଖ କିମ୍ବା ତା’ପୂର୍ବରୁ ଚୂଡ଼ାନ୍ତ ବିଜେତାଙ୍କ ନାମ ପ୍ରକାଶ ପାଇବ । ଆହୁରି ମଧ୍ୟ ସମସ୍ତ ସୃଷ୍ଟିକର୍ତ୍ତାମାନଙ୍କୁ ୱେଭସ୍ ବଜାରରେ ସେମାନଙ୍କ ପ୍ରକଳ୍ପ ଦାଖଲ କରିବାକୁ ନିମନ୍ତ୍ରଣ କରାଯାଇଛି । ଏହା ଏକ ବିଶ୍ୱସ୍ତରୀୟ ଇ-ମାର୍କେଟପ୍ଲେସ୍ ଏବଂ ପ୍ରତିଭାବାନ ନିର୍ମାତାମାନଙ୍କୁ ବିଶ୍ୱସ୍ତରୀୟ କ୍ରେତାଙ୍କ ସହ ଯୋଡ଼ିବା ପାଇଁ ଏହାକୁ ପରିକଳ୍ପନା କରାଯାଇଛି ।

Leave A Reply

Your email address will not be published.