କ୍ୟାବିନେଟ୍ ଅନୁମୋଦନ : ବିହାରରେ ₹୪,୪୪୭.୩୮ କୋଟି ବ୍ୟୟରେ ୮୨.୪ କି.ମି. ଲମ୍ବା ୪-ଲେନ୍ ମୋକାମା-ମୁଙ୍ଗେର ହାଇସ୍ପିଡ୍ କରିଡୋର ନିର୍ମାଣ

  • ହାଇବ୍ରିଡ୍ ଆନ୍ୟୁଇଟି ମୋଡ୍ (ଏଚଏଏମ)ରେ ନିର୍ମାଣ ହେବାକୁ ଥିବା ଏହି ଗ୍ରୀନଫିଲ୍ଡ୍ ଆକ୍ସେସ୍-କଣ୍ଟ୍ରୋଲ୍ଡ୍ ପ୍ରକଳ୍ପ, ବକ୍ସର-ଭାଗଲପୁର ହାଇସ୍ପିଡ୍ କରିଡୋରର ଗୁରୁତ୍ୱପୂର୍ଣ୍ଣ ଅଂଶ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି, ବିହାରରେ ବକ୍ସର–ଭାଗଲପୁର ହାଇ-ସ୍ପିଡ୍ କରିଡର ଅନ୍ତର୍ଗତ ୪-ଲେନ୍ ଗ୍ରୀନଫିଲ୍ଡ ଆକ୍ସେସ-ନିୟନ୍ତ୍ରିତ ମୋକାମା–ମୁଙ୍ଗର ସେକ୍ସନ ନିର୍ମାଣକୁ ହାଇବ୍ରିଡ୍ ଆନୁଇଟି ମୋଡ୍ (ଏଚଏଏମ୍)ରେ ମଞ୍ଜୁରୀ ଦେଇଛି । ପ୍ରକଳ୍ପର ମୋଟ ଲମ୍ବ ୮୨.୪ କିଲୋମିଟର ହେବା ସହ, ଅନୁମାନିତ ବ୍ୟୟ ୪,୪୪୭.୩୮ କୋଟି ଟଙ୍କା ହେବ । ଏହି ଅଂଶଟି ମୋକାମା, ବାରହିୟା, ଲଖିସରାଇ, ଜମାଲପୁର, ମୁଙ୍ଗେର ଭଳି ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ସହର ଦେଇ ଗତି କରିବ କିମ୍ବା ସଂଯୋଗ ପ୍ରଦାନ କରିବ, ଯେପରି ଅନୁବନ୍ଧ-୧ରେ ପ୍ରଦତ୍ତ ମାନଚିତ୍ରରେ ଦର୍ଶାଯାଇଛି । ପୂର୍ବ ବିହାରର ମୁଙ୍ଗେର–ଜମାଲପୁର–ଭାଗଲପୁର ଅଞ୍ଚଳ ଏବେ ଦ୍ରୁତଗତିରେ ଏକ ପ୍ରମୁଖ ଶିଳ୍ପ କ୍ଷେତ୍ର ଭାବରେ ଉଦୟମାନ ହେଉଛି । ଏହି ବନ୍ଧୁକ କାରଖାନା ସହ, ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବିତ ଅସ୍ତ୍ର କାରଖାନା, ଜମାଲପୁରରେ ଥିବା ଲୋକୋମୋଟିଭ୍ କାରଖାନା, ମୁଙ୍ଗେରରେ ଆଇଟିସି ଭଳି ଖାଦ୍ୟ ପ୍ରକ୍ରିୟାକରଣ ଇଉନିଟ୍ ସହିତ ଲଜିଷ୍ଟିକ୍ସ ଏବଂ ଭଣ୍ଡାରଣ କେନ୍ଦ୍ରଗୁଡ଼ିକ ଏହି କ୍ଷେତ୍ରର ଆର୍ଥିକ ଶକ୍ତିକୁ ବଢ଼ାଇଛି । ଭାଗଲପୁରୀ ରେଶମ ଓ ପ୍ରସ୍ତାବିତ ବୟନଶିଳ୍ପ ଇକୋ-ସିଷ୍ଟମ ଫଳରେ ଭାଗଲପୁର ଏକ ପ୍ରମୁଖ ବୟନଶିଳ୍ପ ଏବଂ ଲଜିଷ୍ଟିକ୍ସ ହବ୍ ଭାବରେ ଆଗକୁ ଆସୁଛି । ବାରହିଆ ମଧ୍ୟ ଖାଦ୍ୟ ପ୍ୟାକେଜିଂ, ପ୍ରକ୍ରିୟାକରଣ ଏବଂ କୃଷି-ଗୋଦାମ କେନ୍ଦ୍ର ଭାବରେ ଉଦୟମାନ । ଏହି ଅଞ୍ଚଳରେ ବଢୁଥିବା ଆର୍ଥିକ କାର୍ଯ୍ୟକଳାପ ଆଗାମୀଦିନରେ ମୋକାମା–ମୁଙ୍ଗେର ସେକ୍ସନରେ ମାଲ ପରିବହନ ଏବଂ ଯାତାୟାତକୁ ଆହୁରି ବିସ୍ତାର କରିବ ବୋଲି ଆଶା କରାଯାଉଛି । ଟୋଲ୍-ଟିକସ ବ୍ୟବସ୍ଥା ସହିତ ୪-ଲେନ୍ ପ୍ରବେଶ ନିୟନ୍ତ୍ରିତ କରିଡରଟି ୧୦୦ କି.ମି./ଘଣ୍ଟା ଡିଜାଇନ୍ ଗତିରେ ପ୍ରସ୍ତୁତ ହୋଇ, ହାରାହାରି ୮୦ କି.ମି./ଘଣ୍ଟା ଯାନବାହନ ଗତିକୁ ସମର୍ଥନ କରିବ । ଏହା ଫଳରେ ଯାତ୍ରା ସମୟ ପ୍ରାୟ ୧.୫ ଘଣ୍ଟା କମିବା ସହ, ଯାତ୍ରୀ ଏବଂ ମାଲବାହୀ ଯାନ ଉଭୟ ପାଇଁ ନିରାପଦ, ଦ୍ରୁତ ଓ ସୁଗମ ସଂଯୋଗ ଉପଲବ୍ଧ ହେବ । ୮୨.୪୦ କିଲୋମିଟର ଲମ୍ବା ଏହି ପ୍ରସ୍ତାବିତ ପ୍ରକଳ୍ପରୁ ପ୍ରାୟ ୧୪.୮୩ ଲକ୍ଷ ମାନବ-ଦିବସର ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ୧୮.୪୬ ଲକ୍ଷ ମାନବ-ଦିବସର ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ପ୍ରସ୍ତାବିତ କରିଡର ଚାରିପାଖରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ଯୋଗୁଁ ଅଧିକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ।

Leave A Reply

Your email address will not be published.