jayashree

ସକ୍‌ମା ନିର୍ବାଚନୀ ସଭାରେ ସମରେନ୍ଦ୍ର, ନରସିଂହ

  • ସକ୍‌ମାବାସୀଙ୍କ ସହ ଆମ ସମ୍ପର୍କ ରାଜନୀତିରୁ ଅଧିକରେ – ସମରେନ୍ଦ୍ର
  • ଭିତ୍ତିଭୂମିର ବିକାଶ, ଆର୍ଥିକ ଅଗ୍ରଗତି କଂଗ୍ରେସର ଲକ୍ଷ୍ୟ – ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସକ୍‌ମା ପଂଚାୟତ ଏବଂ ଆଖପାଖ ଅଂଚଳ କଂଗ୍ରେସ ଓ ଆମ ପାଇଁ ନୂଆଁ ନୁହେଁ । ବହୁ ଦିନରୁ ଏ ଅଂଚଳ ସହିତ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଭାବଗତ ସମ୍ପର୍କ ରହିଛି । ଏହା କେବଳ ନିର୍ବାଚନ କିମ୍ବା ଭୋଟ୍‌ ରାଜନୀତିରେ ସୀମିତ ନୁହେଁ । ଗତ ୧୦ ବର୍ଷ ଭିତରେ ଏ ଅଂଚଳର ରାସ୍ତାଘାଟ, ଜଳସେଚନ ତଥା ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ପାଇଁ କାମ କରାହୋଇଛି । ଆଗାମୀ ପାଂଚ ବର୍ଷ କଂଗ୍ରେସ ଦଳ ଓ ଆମର ମୂଳ ଲକ୍ଷ୍ୟ ହେବ ଏ ଅଂଚଳର ଛାତ୍ରଯୁବକ, କୃଷକ, ଶ୍ରମିକ ଓ ମାଁ ଭଉଣୀଙ୍କ ଆର୍ଥିକ ବିକାଶରେ ଅଗ୍ରଗତି ଆଣିବା ବୋଲି ଆଜି ବଲାଙ୍ଗିର ବ୍ଲକ ସ୍ଥିତ ସକ୍‌ମା ପଂଚାୟତର ସକ୍‌ମାଠାରେ ଆୟୋଜିତ କଂଗ୍ରେସ ନିର୍ବାଚନୀ ସଭାରେ ଏଆଇସିସି ସଦସ୍ୟ ତଥା ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ନିର୍ବାଚନୀ ସଭାରେ ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ସମସ୍ତଙ୍କୁ ସମାନ ଅଧିକାର ତାହା ଶିକ୍ଷାରେ ହେଉ କିମ୍ବା କର୍ମ ନିଯୁକ୍ତିରେ କଂଗ୍ରେସ ଦଳ ଏ ଦିଗରେ ସମ୍ବିଧାନ ପ୍ରଣୟନ ସମୟରେ ଉଚିତ୍‌ ଧ୍ୟାନ ଦେଇଛି । ମହିଳା ପୁରୁଷଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସମାନ ଅଧିକାର ପାଇଁ କାମ କରିଛି କିନ୍ତୁ ବର୍ତ୍ତମାନର ବିଜେପି ଓ ବିଜେଡି ସରକାର ଅଂଚଳର ଅଗ୍ରଗତି ପାଇଁ ଦରକାର ହେଉଥିବା ଉତ୍ତମ ଶିକ୍ଷା ବ୍ୟବସ୍ଥାକୁ ଦୁଇ ଭାଗ କରିଦେଇଛି । ଗରିବଙ୍କ ପାଇଁ ଅଲଗା ଶିକ୍ଷା ବ୍ୟବସ୍ଥା ଓ ଧନୀକଙ୍କ ପାଇଁ ଅଲଗା ଶିକ୍ଷା ବ୍ୟବସ୍ଥା । ଫଳରେ ଶିକ୍ଷା ବ୍ୟବସ୍ଥା ଯୋଗୁଁ ଗରିବ ଆହୁରି ଗରିବ ହେଉଛି ଏବଂ ଧନୀ ଶ୍ରେଣୀ ଧନୀ ହେବାରେ ଲାଗିଛି । ଏହାକୁ ବନ୍ଦ କରିବାକୁ ପଡିବ ବୋଲି ସେ କହିଥିଲେ । ସ୍ଥାନୀୟ ସମସ୍ୟାକୁ ନେଇ ସମରେନ୍ଦ୍ର କହିଥିଲେ ଯେ ଆପଣମାନେ ଏପରି ଏକ ପ୍ରତିନିଧି ବାଛନ୍ତୁ ଆପଣଙ୍କ ସହିତ ରହି ଆପଣଙ୍କ ସମସ୍ୟା ସମାଧାନ କରିବ । କେବଳ ଭୋଟ୍‌ ପାଇଁ ସାମୟିକ ଭାବେ କିଛି ମାସ ଦେଖାଯାଉଥିବା ନେତାଙ୍କୁ ଲୋକେ ବରଖାସ୍ତ କରନ୍ତୁ ବୋଲି କହିଥିଲେ । ସଭାରେ ବଲାଙ୍ଗିର ନରସିଂହ ମିଶ୍ର ନିଜ ଭାଷଣରେ କହିଥିଲେ ଯେ କଂଗ୍ରେସ ଦଳ ତାର ନିର୍ବାଚନୀ ଗ୍ୟାରେଣ୍ଟିରେ ପ୍ରତ୍ୟେକ ଗରିବ ମହିଳାଙ୍କୁ ୨ ହଜାର ଟଙ୍କା, ଏସ୍‌ସିଏସ୍‌ଟି ମହିଳାଙ୍କ ପାଇଁ ୩ ହଜାର ଟଙ୍କାର ପ୍ରତ୍ସୋହନ ରାଶି ପ୍ରଦାନ, ଗୃହଣିମାନଙ୍କ ପାଇଁ ୫୦୦ ଟଙ୍କାରେ ମାସକୁ ଗୋଟିଏ ଗ୍ୟାସ ସିଲିଣ୍ଡର, ମହିଳା ସ୍ୱୟଂ ସହାୟତା ଗୋଷ୍ଠିଙ୍କୁ ୫ଲକ୍ଷ ପର୍ଯ୍ୟନ୍ତ ଋଣ ମାଫ, ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ଦେୟ ଛାଡ, ୫ଲକ୍ଷ ଯୁବକ ଯୁବତିଙ୍କୁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତ୍ତା ମାସକୁ ୩ ହଜାର ଟଙ୍କା, ଧାନର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ ପିଛା ୩ ହଜାର ଟଙ୍କା, କୃଷକଙ୍କ ପାଇଁ ପେନ୍‌ସନ୍‌ ୨ ହଜାର ଟଙ୍କା, ସାମାଜିକ ସୁରକ୍ଷା ଅନ୍ତର୍ଗତ ଭତ୍ତାକୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବାର ଗ୍ୟାରେଣ୍ଟି ଦେଇଛି । ନିର୍ବାଚନରେ ଆପଣମାନେ ବିଧାୟକ ଓ ସାଂସଦ ଉଭୟ ପ୍ରାର୍ଥୀଙ୍କୁ ଦଳର ହାତ ଚିହ୍ନରେ ବହୁଳ ପରିମାଣରେ ଭୋଟ୍‌ ଦିଅନ୍ତୁୁ । ଦଳ ନିଶ୍ଚିତ ଭାବରେ ଅଂଚଳ ତଥା ଆପଣମାନଙ୍କ ସମଗ୍ରିକ ବିକାଶ ପାଇଁ ଦେଇଥିବା ଗ୍ୟାରେଣ୍ଟି ପୂରଣ କରିବ ବୋଲି କହିଥିଲେ । ସଭାରେ ସଭା ସଂଯୋଜନା ସକ୍‌ମା ସରପଂଚ ଉଗ୍ରସେନ ବରାଡ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଚାଷୀନେତା ଚଗଲା ପରିଚ୍ଛା, ଯୁବନେତା ଅଙ୍କିତ ସାହୁ, ବରିଷ୍ଠ କଂଗ୍ରେସ ନେତା ଗଜିନ୍ଦ୍ର ପ୍ରଧାନ ବକ୍ତବ୍ୟ ରଖିଥିଲେ ଏବଂ ପଦ୍ମନ ବରାଡ, ରାଧେଶ୍ୟାମ ବରାଡ, ବୁଡୁ ପ୍ରଧାନ, ନାଏବ ସରପଂଚ ସନ୍ତୋଷିନୀ ନାଏକ, ସମିତି ସଭ୍ୟ ସଂଜୀବ ପ୍ରଧାନ, ରାଜା ପଣ୍ଡା ଏବଂ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ନନ୍ଦ ମଂଚାସୀନ ଥିଲେ ।

Leave A Reply

Your email address will not be published.