- ଦୁର୍ନୀତିଖୋରଙ୍କୁ ପ୍ରଶ୍ରୟ ନଦେଇ ହାତ ଚିହ୍ନରେ ଭୋଟ ଦିଅନ୍ତୁ ଜନତା : ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକରେ ନରସିଂହଙ୍କ ନିର୍ବାଚନୀ ପ୍ରଚାର ଦେଖିବାକୁ ମିଳିଛି । ପ୍ରଚାର ସମୟରେ ସେ କହିଛନ୍ତି ଯେ, ଦେଶବାସୀଙ୍କ ପାଇଁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନ ଥିଲା ସ୍ୱରାଜ । ଉଦ୍ଦେଶ୍ୟ ଥିଲା ଏ ଦେଶର ଗାଁମାନଙ୍କର ବିକାଶ । ବିକାଶ ମାଧ୍ୟମରେ ଲୋକେ ସ୍ୱାବଲମ୍ବି ହେବେ, ପଞ୍ଚାୟତ ହେବ ଦୁର୍ନୀତି ମୁକ୍ତ, ଲୋକେ ନିଜ ଅଂଚଳର ଶାସନ ଡୋର ନିଜ ହାତକୁ ନେଇ ନିଜେ ଶାସନ କରିବେ । ତା’ଫଳରେ ଗାଁ ହେବ ବଳିଷ୍ଠ, ଗାଁ ହେବ ଦୁର୍ନୀତି ମୁକ୍ତ । କିନ୍ତୁ ବର୍ତ୍ତମାନର ଶାସନତନ୍ତ୍ରରେ ତ୍ରିସ୍ତରିୟ ପଞ୍ଚୟତିରାଜ ବ୍ୟବସ୍ଥାରେ ଦୁର୍ନୀତି ଏତେ ପରିମାଣରେ ବ୍ୟାପି ଗଲାଣି ଯେ, ଅଂଚଳର ବିକାଶ ପାଇଁ ଆସୁଥିବା ଅନୁଦାନର ସିଂହଭାଗକୁ ଦୁର୍ନୀତିଖୋରମାନେ ଲୁଟି ଖାଇ ଯାଉଛନ୍ତି । ଏଣୁ ଏହି ଦୁର୍ନୀତିଖୋରଙ୍କ ଠାରୁ ମା’ ମାଟିର ଭବିଷ୍ୟତକୁ ରକ୍ଷା କରିବା ତଥା ଏକ ଦୁର୍ନୀତିମୁକ୍ତ ପଞ୍ଚାୟତ ଓ ଜିଲ୍ଲା ପରିଷଦ ଗଠନ ପାଇଁ କଂଗ୍ରେସ ପ୍ରାର୍ଥିନୀ ମୁକ୍ତାଦେଇ ତାଣ୍ଡିଙ୍କୁ ହାତ ଚିହ୍ନରେ ଭୋଟ ଦେବା ପାଇଁ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ବାଚନୀ ପ୍ରଚାର ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଜନତାଙ୍କୁ ନିବେଦନ କରିଛନ୍ତି । ଆଜି ଦେଓଗାଁ ବ୍ଲକ ୧୩ ନଂ ଜୋନର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ ମୁକ୍ତାଦେଇ ତାଣ୍ଡିଙ୍କ ସହ କୁଲତାପଡା, ଅର୍ଜୁନପୁର, ଗୁଡଖାପଲା, ବଡବାହାଲ, ଗୌରଗୋଠ, ରତାଖଣ୍ଡି ଇତ୍ୟାଦି ଗ୍ରାମରେ ଲୋକଙ୍କୁ ହାତ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିବା ସମୟରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଧାନକିଣା ହେଉ କି ଆବାସ ଯୋଜନା ସବୁଥିରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଲାଣି । ଅଯୋଗ୍ୟ ଓ ଦୁର୍ନୀତିଖୋର ଲୋକ ନିର୍ବାଚିତ ହେବା, ପ୍ରଶାସନିକ ସିଥିଳତା ଓ ଦୁର୍ନୀତି ଯୋଗୁଁ ଗାଁକୁ ବିକାଶ ପହଞ୍ଚି ପାରୁନାହିଁ । ତେଣୁ ଲୋକେ ସଚେତନ ହୁଅନ୍ତୁ, ଏଥର କଂଗ୍ରେସ ଦଳର ହାତ ଚିହ୍ନରେ ଭୋଟ ଦିଅନ୍ତୁ । ଦେଖିବେ ଆପଣଙ୍କ ଗାଁ, ପଞ୍ଚାୟତରେ ନିଶ୍ଚୟ ଉନ୍ନତି ହେବ ବୋଲି ଶ୍ରୀ ମିଶ୍ର ଲୋକଙ୍କୁ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉମାଶଙ୍କର ପଣ୍ଡା, ସେବା ଦଳ ମୁଖ୍ୟ ଅସିତ ମିଶ୍ର, ଲୁନା ସାହୁ, କୁନା ସାହୁ, ପୁର୍ବତନ ବ୍ଲକ ଅଧ୍ୟକ୍ଷ କୈଳାସ ତାଣ୍ଡି, ଦଲିତ ନେତା ମନବୋଧ ହରପାଲ, ଛାତ୍ର କଂଗ୍ରେସର ଅଙ୍କିତ ସାହୁ ଓ ଅଜିତ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।