ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବାତିଲ : ସାରା ଓଡ଼ିଶାରେ ଚହଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ୍ ଅଧୀନରେ ସର୍ବମୋଟ ୧୮ ଗୋଟି ସମିତିସଭ୍ୟ ପଦବୀ ଥିବା ବେଳେ ୬ ଜଣ ସମିତିସଭ୍ୟଙ୍କୁ କରୋନା ହୋଇଥିବା ଦର୍ଶାଇ ୧୫ ଦିନ ପାଇଁ ନିର୍ବାଚନକୁ ଘୁଞ୍ଚାଇଦେଲା ଜିଲ୍ଲା ପ୍ରଶାସନ । ଏହାର ପ୍ରତିବାଦ କରି ଛତ୍ରପୁର ବ୍ଲକର ୧୨ଜଣ ସମିତିସଭ୍ୟ ଏବଂ ତାଙ୍କ ବିଜେଡି ଓ ସିପିଆଇ ସମର୍ଥକମାନେ ଜିଲ୍ଲାପାଳଙ୍କ ବାସଭବନ ଆଗରେ ଧାରଣା ଦେଇଥିଲେ । ଛତ୍ରପୁରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଛତ୍ରପୁର ବ୍ଲକ ଅଧ୍ୟକ୍ଷା ପଦବୀ ଏସ୍‌ସି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଗତ ଶନିବାର ଅଧ୍ୟକ୍ଷା ନିର୍ବାଚନ ପାଇଁ ସ୍ଥାନୀୟ ବ୍ଲକରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରେ ସମସ୍ତ ୧୮ ସମିତିସଭ୍ୟ ଉପସ୍ଥିତ ଥିଲେ । ପରେ ଏଥିରୁ ୬ ଜଣ ସମିତିସଭ୍ୟ ବୈଠକରୁ ବାହାରି ଅନ୍ୟ ଏକ କୋଠରିରେ ବସିଥିଲେ । ପରେ ଅଗସ୍ତିନୂଆ ଗାଁର ସମିତିସଭ୍ୟା କିରଣ କୁମାରୀ ଦାସ ବ୍ଳକ୍‌ ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପରେ ସୁନ୍ଦରପୁର ସମିତିସଭ୍ୟା ସୁଜ୍ଞାନୀ ସେଠୀ ମଧ୍ୟ ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ କହିଥିବା ଜଣାଯାଏ । ଅନ୍ୟ ୧୨ଜଣ ସମିତିସଭ୍ୟଙ୍କ ପକ୍ଷରୁ ମଧ୍ୟ ଗଣମାଧ୍ୟମ ଆଗରେ ସୂଚନା ଦିଆଯାଇଛି । ପରେ ଅନ୍ୟ କୋଠରୀରେ ବସିଥିବା ୬ ଜଣ ସମିତିସଭ୍ୟ କରୋନା ଟେଷ୍ଟ ପାଇଁ ନିର୍ବାଚନ ଅଧିକାରୀଙ୍କୁ କହିଥିଲେ । ଏହାପରେ ମେଡିକାଲ ଟିମ୍‌ ପହଞ୍ଚି ସେମାନଙ୍କୁ ପରୀକ୍ଷା କରିଥିଲେ । ଏମାନଙ୍କୁ ପଜିଟିଭ୍‌ ଥିବା ଦର୍ଶାଇ ନିର୍ବାଚନ ଅଧିକାରୀ ତଥା ଖଲ୍ଲିକୋଟ ବିଡିଓ ନିର୍ବାଚନକୁ ୧୫ ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ପଳାଇ ଯାଇଥିଲେ । ଉକ୍ତ ୬ଜଣ ସମିତିସଭ୍ୟଙ୍କୁ ଆମ୍ବୁଲାନ୍ସରେ ଏମ୍‌କେସିଜିକୁ ନିଆଯାଇଥିଲା । ଉକ୍ତ ୬ ଜଣଙ୍କ ମଧ୍ୟରୁ କାହାକୁ କରୋନା ହୋଇଛି ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା କୁହାଯାଇଛି । ନିର୍ବାଚନ ବାତିଲର ପ୍ରତିବାଦ କରି ୧୨ ଜଣ ସମିତିସଭ୍ୟଙ୍କ ପକ୍ଷରୁ ଛତ୍ରପୁର ବ୍ଲକ ଆଗରେ ଧାରଣା ଦିଆଯାଇଥିଲା । ଏମାନଙ୍କ ମଧ୍ୟରେ କେତେକ ସିପିଆଇ ସମର୍ଥିତ ସମିତିସଭ୍ୟ ମଧ୍ୟ ରହିଛନ୍ତି । କୋରନା ନା’ରେ ପ୍ରଶାସନ ଆଳ ଦେଖାଇ ବ୍ଳକ୍ ଅଧ୍ୟକ୍ଷ ପଦବୀ ନିର୍ବାଚନକୁ ୧୫ଦିନ ପାଇଁ ଘୁଞ୍ଚାଇ ଦେବା ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି । ଦୀର୍ଘ ସମୟ ପରେ ୧୨ଜଣ ସମିତି ସଭ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସି ଧାରଣାରେ ସାମିଲ ହୋଇଥିଲେ । ପରେ ସମସ୍ତେ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଧାରଣାରତ ସମିତିସଭ୍ୟ ଓ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲେ । ସୋମବାର ନିର୍ବାଚନ ସମ୍ପର୍କରେ ସୂଚନା ଦିଆଯିବ ବୋଲି ଏଡିଏମ୍‌ ସୂଚନା ଦେଇଥିଲେ । ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଅପରପକ୍ଷରେ ଖଲ୍ଲିକୋଟ ବିଡିଓ ତଥା ନିର୍ବାଚନ ଅଧିକାରୀ ମିତାଲୀ ପାତ୍ରଙ୍କୁ ଯୋଗାଯୋଗ କରିବାରେ ଏହା ଉପରେ କୌଣସି ମତାମତ ଦେଇନାହାନ୍ତି । ଜିଲ୍ଲା ପ୍ରଶାସନ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ କିଭଳି ପଦକ୍ଷେପ ନେଇପାରନ୍ତି । ତାହା ସମୟ କହିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.