ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା

  • ବ୍ରହ୍ମପୁର ଆଙ୍କୁଲି ବୁଥ୍ ନିକଟରେ ପୋଲିସର ଲାଠି ଚାଳନା ବହୁ ଆହତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ମତଦାନ ମେ -୧୩ ତାରିଖରେ ଅର୍ଥାତ ସୋମବାର ସୁରୁଖରେ ସମ୍ପନ୍ନ ହୋଇଛି । ଗଞ୍ଜାମ ଜିଲ୍ଲାରେ ପ୍ରାୟତଃ ୭୦ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି । ଗଞ୍ଜାମ ଜିଲ୍ଲାରେ ବିଶେଷ କରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ସମାହିତ ହୋଇଥିବା ବେଳେ ଜିଲ୍ଲାର ଚିକିଟି ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେତେକ ସ୍ଥାନରେ ଗଣ୍ଡଗୋଳ, ପ୍ରାର୍ଥୀ-ପ୍ରତିଦ୍ୱନ୍ଦୀ ଓ କର୍ମୀଙ୍କ ମଧ୍ୟରେ ସଶସ୍ତ୍ର ଆକ୍ରମଣ, ହିଂସାକାଣ୍ଡ ଘଟିଥିବା ଖବର ହସ୍ତଗତ ହୋଇଛି । ହିଂସାକାଣ୍ଡ ଘଟିଥିବା ଉତ୍ତେଜନା ସ୍ଥଳରେ ପୋଲିସ୍ ଲାଠି ଚାଳନା କରିଥିବା ଦେଖାଦେଇଛି । ବ୍ରହ୍ମପୁର ମହାନଗର ନିଗମ ଅଧିନସ୍ଥ ଗୋଷାଣୀ ନୂଆଗାଁ ଥାନା ସ୍ଥିତ ଏକ ବୁଥ୍ ନିକଟରେ ବିଜେପି ସାଂସଦ ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ସହ ପୂର୍ବତନ ବ୍ରହ୍ମପୁର ମେୟର ତଥା ସ୍ଵାଧୀନ ପ୍ରାର୍ଥୀ ଭାବେ ବ୍ରହ୍ମପୁର ବିଧାୟକ ପାଇଁ ଲଢ଼ୁଥିବା ଶିବଶଙ୍କର ଦାଶ (ପିଣ୍ଟୁ)ଙ୍କ ମଧ୍ୟରେ ବଚସାରୁ ଲଢେ଼ଇ ଗଣ୍ଡଗୋଳ ହୋଇଥିବା କୁହାଯାଉଛି । ପିଣ୍ଟୁ ପ୍ରଦୀପଙ୍କୁ ଆକ୍ରମଣ କରିଥିବା ଏବଂ ଘଟଣାସ୍ଥଳରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ସ୍ଥାନୀୟ ସମର୍ଥକଙ୍କ ଦ୍ୱାରା ଏକ ବ୍ୟାଟେରୀ ଅଟୋ-ରିକ୍ସାରେ ବ୍ରହ୍ମପୁର ବଡ଼ ମେଡିକାଲ୍‌ ଏମ୍. କେ. ସି. ଜି ହସ୍ପିଟାଲ୍‌କୁ ଆଣିଥିଲେ । ବର୍ତ୍ତମାନ ପ୍ରଦୀପ ପାଣିଗ୍ରାହୀ ଆହତ ଅବସ୍ଥାରେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି ବୋଲି କୁହାଯାଉଛି । ସେହିପରି ଗଞ୍ଜାମ ଜିଲ୍ଲାର ୧୩୨ ଗୋପାଳପୁର ନିର୍ବାଚନୀ ମଣ୍ଡଳୀରେ କେତେକ ସ୍ଥାନରେ ନିର୍ବାଚନୀ ହିଂସାକାଣ୍ଡ ଦେଖାଦେଇଥିବା ସାଂଗକୁ ସମର୍ଥକଙ୍କ ମଧ୍ୟରେ ସଶସ୍ତ୍ର ଆକ୍ରମଣ ଭଳି ଅଭାବନୀୟ ଘଟଣା ଘଟିଥିବା ଖବର ମିଳିଛି । ବିଜେଡି ସମର୍ଥକ କେ. ସନ୍ତୋଷ ଦାସ ଏବଂ ଅନ୍ୟ ଦୁଇଜଣ କେଦାର ସାହୁ ଓ ବିକି ବେହେରାଙ୍କୁ ମରଣାନ୍ତକ ଆକ୍ରମଣ ହେଇଥିବା ଖବର ହସ୍ତଗତ ହୋଇଛି । ପ୍ରସିଦ୍ଧ ଶକ୍ତି ପୀଠ ଭୈରବୀ ମନ୍ଦିରରୁ ଫେରୁଥିବା ବେଳେ ବିଜେପି ନେତା ଓ କର୍ମୀ ବିଜେଡ଼ି କର୍ମୀଙ୍କୁ ଅଟକାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମାରଣାସ୍ତ୍ରରେ ବିଜେଡ଼ି ସମର୍ଥକଙ୍କ ଉପରେ ଆକ୍ରମଣ ଘଟାଇଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ଅବସ୍ଥାରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ ଏମ୍. କେ. ସି. ଜି.ରେ ଭର୍ତ୍ତି କରାଯାଇଥିବା କୁହାଯାଏ । ଆକ୍ରମଣ ଘଟାଇଥିବା ଲୋକମାନେ ବିଭିନ୍ନ ସ୍ଥାନରେ ବୁଲୁଥିବା ବେଳେ ପୋଲିସ୍ ସେମାନଙ୍କୁ ଗିରଫ କରିନଥିବା ଅନ୍ୟପକ୍ଷର ଦଳୀୟ ଲୋକମାନେ ଅଭିଯୋଗ କରି କ୍ଷୋଭ ପ୍ରକାଶ କରିଥିବା କୁହାଯାଉଛି । ଅନ୍ୟପକ୍ଷରେ ଗୋପାଳପୁର ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁର ମହାନଗରର ଅଙ୍କୁଲି ଶିଳ୍ପାଞ୍ଚଳ ନଗରୀର ଆଙ୍କୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୁଥ୍ ନମ୍ୱର ୭୭, ୭୮, ୭୮-ଏ, ୭୯ ଓ ୮୦ ନମ୍ବର ବୁଥ୍‌ରେ ଶତକଡା ୭୨ ପ୍ରତିଶତ ଭଲ ମତଦାନ ହୋଇଥିବା ଜଣାଯାଇଛି । ମଧ୍ୟାହ୍ନବେଳେ ଏହି ଭୋଟ ଗ୍ରହଣ କେନ୍ଦ୍ରରେ ପ୍ରବଳ ବିଶୃଙ୍ଖଳା ଲାଗି ରହିଥିଲା । ବିଜେଡ଼ି ଓ ବିଜେପି ଦଳୀୟ ସମର୍ଥକଙ୍କୁ ଭୋଟ ଗ୍ରହଣ କେନ୍ଦ୍ର ନିକଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବା ନେଇ ପୋଲିସ ବାହିନୀ ଭୋଟ ଗ୍ରହଣ କେନ୍ଦ୍ରର ୧୦୦ ମିଟର ଦୂରତାରେ ରହିବାକୁ କହି ପୋଲିସ ଘୋଉଡାଇଥିଲା । ଅମାନ୍ୟ ହେବା ସହ ଦଳୀୟ ସମର୍ଥକ କର୍ମୀମାନେ ବାହାରେ ଭୋଟରଙ୍କୁ ପ୍ରଭାବିତ କରିବା ଆଳ ଜମିବାନେଇ ସେଠାରେ ବିଶୃଙ୍ଖଳାପୂର୍ଣ୍ଣ ଉତ୍ତେଜନା ଦେଖି ପୋଲିସ କର୍ମୀ ମାନଙ୍କୁ ଲାଠି ଚାଳନା କରିଥିଲା । ମତଦାନର ଶେଷ ସମୟ ପର୍ଯ୍ୟନ୍ତ ଶୃଙ୍ଖଳାକୁ ଆୟତ୍ତ କରିବାକୁ ଯାଇ ସଶସ୍ତ୍ର ପୋଲିସ ବାହିନୀ ସେଠି ମୁତୟନ ହୋଇଥିବା ଦେଖାଦେଇଥିଲା । ପୋଲିସର ଲାଠି ଚାଳନା କରିବାର କିଛି ସମୟ ପରେ ଘଟଣାସ୍ଥଳରେ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା ଉକ୍ତ ଛକ ନିକଟକୁ ଆସିଥିଲେ, ତଙ୍କରି ଉପସ୍ଥିତିରେ ବିଜେଡ଼ି ଓ ବିଜେପି ଉଦ୍ଭୟ ରାଜନୈତିକ ଦଳର କର୍ମୀ ସମର୍ଥକମାନଙ୍କ ଧସ୍ତାଧସ୍ତି, ଗଣ୍ଡଗୋଳ ଘଟିଥିଲା, ସେଠାରେ ବୈଦ୍ୟନଥପୁର ଥାନା ପୋଲିସ ଲାଠି ଚାଳନା କରିଥିବା ଦେଖାଦେଇଛି । ଜିଲ୍ଳାର ସବୁଠି ବିଜେଡ଼ି ଓ ବିଜେପି ଉଦ୍ଭୟ ରାଜନୈତିକ ଦଳର କର୍ମୀ ସମର୍ଥକମାନଙ୍କ ମଧ୍ୟରେ ବଚସା, ଯୁକ୍ତି, ହିଂସା-ଗଣ୍ଡଗୋଳ ଘଟିଥିବାର ଦେଖିବକୁ ମିଳିଛି ।

Leave A Reply

Your email address will not be published.