ଜଗତସିଂହପୁର : ବାଲେଶ୍ୱରରୁ ବଳଙ୍ଗା ଉଠୁଛି ପଡୁଛି । ଏତିକି ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି । ଜଗତସିଂହପୁର ସ୍ୱାମୀ ଅରୁପାନନ୍ଦ କଲେଜର ଜଣେ ଅଧ୍ୟାପକଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯ୍ୟାତନା ଅଭିଯୋଗ ଉପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଘଟଣାରେ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ନିଲମ୍ବିତ କରାଯାଇଛି । ଅଧ୍ୟକ୍ଷ ରମେଶ ସାହୁ, ଗଣିତ ଅଧ୍ୟାପକ ଶାଶ୍ଵତ ମହାନ୍ତି ଚାକିରିରୁ ନିଲମ୍ବିତ ହୋଇଛନ୍ତି । ଛାତ୍ରୀ ନିର୍ଯ୍ୟାତନା ଘଟଣାରେ ଜିଲ୍ଲାପାଳ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କଲେଜର ଜଣେ ଅଧ୍ୟାପକଙ୍କ ନାଁରେ ଛାତ୍ରୀ ଆଣିଥିଲେ ଅଭିଯୋଗ । ଅଧ୍ୟକ୍ଷଙ୍କ କାରଣ ଦର୍ଶାଅ ରିପୋର୍ଟ ସନ୍ତୋଷଜନକ ନ ଥିବାରୁ ଏମିତି ପଦକ୍ଷେପ ନିଆଯାଇଛି । ଉପଜିଲ୍ଲାପାଳଙ୍କ ଜରିଆରେ ନିର୍ଦ୍ଦେଶନାମା ଜାରି ହୋଇଛି । ଜଗତସିଂହପୁର ଜିଲ୍ଲା କୁର୍ତ୍ତାଙ୍ଗସ୍ଥିତ ସ୍ୱାମୀ ଅରୂପାନନ୍ଦ ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ଶାଶ୍ଵତ ମହାନ୍ତି ଯୁକ୍ତ ଦୁଇ ଛାତ୍ରୀଙ୍କୁ ଯୌନ ନିର୍ୟାତନା ଦେଇଥିବା ନେଇ ଅଭିଯୋଗ ପରେ ଘଟଣାର ତନାଘନା ଆରମ୍ଭ ହୋଇଛି । ତଦନ୍ତ କରି ୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ଜଗତସିଂହପୁର ଜିଲ୍ଲାପାଳ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
