ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ନିକଟସ୍ଥ ଭେଉଁରିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେଉଲି ଛକରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଖରେ ବେଆଇନ ଭାବେ ଚାଲୁଥିବା ଆମିଷ ଦୋକାନକୁ ନେଇ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି । ବିଦ୍ୟାଳୟର ପାଚେରୀ ସହିତ ଲାଗି ଦୁଇଟି ଆମିଷ ଦୋକାନ ଚାଲୁଥିବାରୁ ସମଗ୍ର ଅଞ୍ଚଳରେ ଅସ୍ୱଚ୍ଛତା ଓ ଦୁର୍ଗନ୍ଧ ବ୍ୟାପି ଯାଉଛି । ଯାହାର ସିଧାସଳଖ ପ୍ରଭାବ ପଡୁଛି ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଉପରେ । ସ୍ଥାନୀୟ ଅଭିଭାବକ ଓ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଦୋକାନଗୁଡିକରୁ ନିଷ୍କାସିତ ହେଉଥିବା ରକ୍ତ, ଅବଶିଷ୍ଟ ମାଂସ ଓ ଅପଚୟ ପଦାର୍ଥ ସଠିକ ଭାବେ ପରିଚାଳନା ହେଉନଥିବାରୁ ପାଖପାଖି ପରିବେଶ ଦୂଷିତ ହେଉଛି । ଏହା ଯୋଗୁଁ ଦୁର୍ଗନ୍ଧ ସହିତ ମାଛି, କୁକୁର ଓ ଅନ୍ୟାନ୍ୟ ପଶୁ ପକ୍ଷୀର ଉପଦ୍ରବ ବଢ଼ିଯାଇଛି । ଏପରି ଅସ୍ୱସ୍ଥ ପରିବେଶ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତର ସ୍ୱାସ୍ଥ୍ୟ ଝୁମ୍ପ ବନ୍ଧାଉଛି ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଛି । ଏହାସହିତ, ଏହି ବିଦ୍ୟାଳୟ ପାଖରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଓ ଛାତ୍ରୀ ନିବାସ ରହିଥିବାରୁ ସମସ୍ୟା ଆଉ ଗୁରୁତର ରୂପ ଧାରଣ କରିଛି । ଏଠାରେ ରହୁଥିବା ଛାତ୍ରୀମାନେ ଦୈନିକ ଭାବେ ଏହି ଦୁର୍ଗନ୍ଧ ଓ ଅସ୍ୱଚ୍ଛ ପରିବେଶ ସହିତ ସମ୍ମୁଖୀନ ହେଉଛନ୍ତି । ଅଭିଭାବକମାନେ ଏହାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରି ସେମାନଙ୍କ ଝିଅମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ନେଇ ଭୟ ବ୍ୟକ୍ତ କରିଛନ୍ତି । ନିୟମ ଅନୁଯାୟୀ, ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ପାଖାପାଖି ଏପରି ଆମିଷ ଦୋକାନ ଖୋଲିବା ନିଷେଧ ଥିବା ସତ୍ତ୍ୱେ, ସେଗୁଡିକ ଖୋଲାମେଏା ଭାବେ ଚାଲୁଥିବାରୁ ପ୍ରଶାସନର ଅସମର୍ଥତା କିମ୍ବା ଅନାଗ୍ରହ ପ୍ରକାଶ ପାଉଛି । ଏଥିପ୍ରତି ସ୍କୁଲ ପ୍ରଶାସନ କିମ୍ବା ସମ୍ପୃକ୍ତ ପଞ୍ଚାୟତ ପକ୍ଷରୁ କୌଣସି କଡ଼ା ପଦକ୍ଷେପ ନେଇ ନଥିବାରୁ ସାଧାରଣ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି । ସ୍ଥାନୀୟ ସଚେତନ ମହଲର ମତାନୁସାରେ, ଯଦି ଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ, ତେବେ ଏହା ଆଗାମୀ ଦିନରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଓ ସାମାଜିକ ଅସନ୍ତୋଷର ରୂପ ନେଇପାରେ । ସେହି ପରିସ୍ଥିତିରେ, ତତ୍କାଳ ତଦନ୍ତ କରି ବେଆଇନ ଦୋକାନଗୁଡିକୁ ହଟାଇବା ସହିତ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି । ସରକାର ଶିକ୍ଷା ପରିବେଶକୁ ସୁଧାରିବା ପାଇଁ ବିଭିନ୍ନ ଯୋଜନା ଗ୍ରହଣ କରୁଥିବାବେଳେ, ଏପରି ଅବ୍ୟବସ୍ଥା ଏହି ପ୍ରୟାସକୁ ପ୍ରଶ୍ନବାଚକ କରୁଛି । ତେଣୁ ଶିକ୍ଷାନୁଷ୍ଠାନ ପାଖରେ ସ୍ୱଚ୍ଛ, ସୁରକ୍ଷିତ ଓ ଶାନ୍ତ ପରିବେଶ ନିଶ୍ଚିତ କରିବାକୁ ତୁରନ୍ତ ପଦକ୍ଷେପ ନେବା ଅତ୍ୟାବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।