ସଇଁତଲା, (ପ୍ରମୋଦ ସେଲମା) : ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରଚାର ସରଗରମ ଚାଲିଥିବା ବେଳେ ଗତକାଲି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜୁରାବନ୍ଧ ପଂଚାୟତରେ ଏକ ନିର୍ବାଚନୀ ହିଂସା ଘଟିଛି । ଏଥିରେ ଜୁରାବନ୍ଧ ସରପଞ୍ଚ ପ୍ରାର୍ଥୀ ସତ୍ୟବସନ୍ତ ତାଣ୍ଡିଙ୍କ ୨ ଜଣ ସମର୍ଥକଙ୍କୁ ଆକ୍ରମଣ କରିବା ସହିତ ଗାଳିଗୁଲଜ କରିଥିବା ନେଇ ଟିକ୍ରାପଡା ଫାଣ୍ଡିରେ ଏତଲା ଦିଆଯାଇଛି । ପ୍ରକାଶ ଯେ, ଗତ ସୋମବାର ଦିନ ସରପଞ୍ଚ ପ୍ରାର୍ଥୀ ବସନ୍ତ ତାଣ୍ଡିଙ୍କ ସମର୍ଥନ ମାନେ ଭୋଟ ପ୍ରଚାର ସାରି ମଧ୍ୟାହ୍ନ ଭୋଜନର ଡୁକେଚରଚରା ଠାରେ ବ୍ୟବସ୍ଥା ହୋଇଥିବା ସ୍ଥାନରେ ପ୍ରଚାର ଗାଡିକୁ ରଖି ସମର୍ଥନମାନଙ୍କ ସହିତ ଆଲୋଚନା କରୁଥିବା ବେଳେ ଏହି ସମୟରେ ପଞ୍ଚାୟତର ନୁଆଁମୁଣ୍ଡା ଗାଁର ବୁଦ୍ଧ ବିଶ୍ୱାଲ, ଦୀନ ଠାକୁର ଓ ବୃନ୍ଦା ଠାକୁର ପହଂଚି ପାଟିତୁଣ୍ଡ କରିବା ସହ ଦୁର୍ବ୍ୟବହାର କରିଥିଲେ । ଆମକୁ କାହିଁକି ଡକାଗଲା ନାହିଁ ବୋଲି ଗାଳିଗୁଲଜ କରିବା ସହ ଗାଡିରେ ଲାଗିଥିବା ବେନର ଓ ପୋଷ୍ଟର ଗୁଡିକୁ ଚିରି ଫୋପାଡି ଦେଇଥିଲେ । ଏଥିରେ ସତ୍ୟ ତାଣ୍ଡିଙ୍କ ସମର୍ଥକ ରୂପା ପୋଡ଼ ଓ କହ୍ନେଇ ଠାକୁର ମନା କରିବାରୁ ସେମାନଙ୍କୁ ମାଡ ମାରିଥିଲେ ବୋଲି ଏତଲାରେ ଦର୍ଶାଯାଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଟିକ୍ରାପଡା ଫାଣ୍ଡି ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ଘଟଣାର ତଦନ୍ତ ଜାରି ରଖିଛନ୍ତି ।