ସିରୋଲ, ହଳଦୀ ଓ ଗାଁରେଇ ସମେତ ବ୍ଲକର ସମସ୍ତ କ୍ଲଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଧିନସ୍ଥ ଆଞ୍ଚଳିକ ସାଧନ କେନ୍ଦ୍ର ସିରୋଲ, ହଳଦୀ, ଗାଁରେଇ ସମେତ ବ୍ଲକର ସମସ୍ତ କ୍ଲଷ୍ଟରସ୍ତରୀୟ ନିପୁଣ ଓଡି଼ଶା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିରୋଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସିରୋଲଠାରେ ଏହା ପ୍ରଦର୍ଶିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ଅଧିନସ୍ଥ ସମସ୍ତ ୧୫ ଗୋଟି ବିଦ୍ୟାଳୟର FLN Grade (ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର) ପ୍ରତିଯୋଗୀ ଛାତ୍ରଛାତ୍ରୀ ନିଜ ନିଜର ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଆଧାରିତ TLM ଗୁଡି଼କ ତିଆରି କରି ଆଣି ବିଭିନ୍ନ ଷ୍ଟଲ୍ ମଧ୍ୟରେ ସଜାଇ ପ୍ରଦର୍ଶନ କରି ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମଟି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗଙ୍କ ସଭାପତିତ୍ୱରେ ସୁନ୍ଦର ଭାବେ ପରିଚାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ତେନ୍ତୁଳୀଖୁଣ୍ଟି ନୋଡାଲ୍ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଅଧକ୍ଷ ଅନଙ୍ଗ ବେହେରା, ସମ୍ମାନୀୟ ଅତିଥି ଭାବେ ସିରୋଲ୍ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ୟାମ ସୁନ୍ଦର ପଧାନ ବରିଷ୍ଠ ଶିକ୍ଷୟିତ୍ରୀ ଆନନ୍ଦିନୀ ଥନାପତି, ଆଲୁମନି କମିଟି ସଭାପତି ରୂପଧର ବଗର୍ତି, ବେଲପଦର୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରମଣୀ ସାହାଣୀ, ପ୍ରାଥମିକ ବିଦ୍ୟାଳୟ ଟିକ୍ରାପଡ଼ାର ପ୍ରଧାନ ଶିକ୍ଷକ ନରସିଂହ ସାହୁ ମଞ୍ଚାସିନ ହୋଇଥିଲେ । ଏଥିରେ କ୍ଲଷ୍ଟର ଅଧିନସ୍ତ ସମସ୍ତ ୧୫ଟି ବିଦ୍ୟାଳୟର ଗାଇଡ଼ ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ ଅଭିଭାବିକା ମଧ୍ୟ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ସହଯୋଗ ନିମନ୍ତେ ସିରୋଲ୍ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଷ୍ଟାଫ୍ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପ୍ରୋତ୍ସାହନ ନିମନ୍ତେ ସମସ୍ତଙ୍କୁ ଖାତା ଓ ପେନସିଲ୍ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଲିଲୁ ମୋହନ ପଧାନ ସଂଯୋଜନା କରିଥିଲେ । ବାସ୍ତବିକ୍ ଆଜିକାର ଏହି କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀଙ୍କ ନିମନ୍ତେ ବହୁ ଉଚ୍ଚ କୋଟିର ଏବଂ ପ୍ରେରଣା ଦାୟୀ ହୋଇଥିଲା । ସହକାରୀ ଶିକ୍ଷକ ଜଗଦୀଶ ସୁନା ଧନ୍ୟବାଦ ଦେଇଥିଲେ । ସେହିପରି ହଳଦୀ କ୍ଲଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିଆରସିସି ପ୍ରିୟଦର୍ଶନ ମୁଗ୍ରୀଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ଝାଙ୍କର, ବରିଷ୍ଠ ଶିକ୍ଷକ ସୁବାସ ପଟ୍ଟନାୟକ, ଗୋବର୍ଦ୍ଧନ ନାଗ, ତୀର୍ଥୟ ମାଝୀଙ୍କ ସମେତ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ କୁମୁଦିନୀ କୁଅଁରଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଏହି ମେଳାରେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ । ଗାଁରେଇ କ୍ଲଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ସିଆରସିସି ସତ୍ୟନାରାୟଣ ଦାସଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଫଟାମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଏବିଇଓ କୈଳାସ ଚନ୍ଦ୍ର ଭୋଇ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଫଟାମୁଣ୍ଡା ବିଦ୍ୟାଳୟ ପ୍ରଧାନଶିକ୍ଷକ ଚତୁର ବାଗ, କଟାଡୁଙ୍ଗୁରୀ ବିଦ୍ୟାଳୟ ପ୍ରଧାନଶିକ୍ଷକ ବୈଶାଖୁ ଶିକାଙ୍କ ସମେତ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ରହି ସମ୍ପୁର୍ଣ୍ଣ ସହଯୋଗ କରିଥିଲେ । ସେହିପରି ମୁରିବାହାଲ ବ୍ଲକ ଅଞ୍ଚଳର ଅନ୍ୟ ସମସ୍ତ କ୍ଲଷ୍ଟରଗୁଡିକରେ ମଧ୍ୟ କ୍ଳଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଥିବା ଜଣାପଡିଛି । ଏଥିରେ ସଂପୃକ୍ତ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.