ପୁଇଁନ୍ତଲା, (କେପିଏନ୍ଏସ୍) : ବ୍ଲକ ଅନ୍ତର୍ଗତ ସାଉଁନ୍ତପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୁଣ ମେଳା ସାଉଁନ୍ତପୁର ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସାଉଁନ୍ତପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଚନ୍ଦ୍ର ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ସାଉଁନ୍ତପୁର ସରପଞ୍ଚ ମାଧବିଲତା ପଟେଲ, ସମ୍ମାନିତ ଅତିଥି ନୀଳମଣି ପଣ୍ଡା, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ, ପୁଇଁନ୍ତଲା ଓ ସାଉଁନ୍ତପୁର ପ୍ରାଥମିକ ବିଦ୍ୟାଳୟର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉଗ୍ରେସନ ପଧାନ, ମୁଖ୍ୟ ବକ୍ତା ନିଲିଜିପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ମିଶ୍ର ଭାବେ ଯୋଗଦେଇଥିଲେ । ସାଉଁନ୍ତପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦ କୁମାର ପଟେଲଙ୍କ ତତ୍ତ୍ୱାବଧାନରେ ଆଠଟି ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ । ସର୍ବ ପ୍ରଥମେ ଅତିଥିମାନେ ମା ବାଗଦେବୀ ଓ ଶ୍ରୀ ଗଣେଶଙ୍କ ଫଟୋ ଚିତ୍ରରେ ଧୂପଦୀପ ଓ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ପ୍ରମୋଦ କୁମାର ପଟେଲ ଲକ୍ଷ୍ୟ, ଉଦ୍ଦେଶ୍ୟ ଜ୍ଞାପନ କରିବାସହ ନିପୁଣ ମିଶନର ଗୀତ ଓ ଶପଥ ପାଠ ନିଆଯାଇଥିଲା । ପ୍ରଥମରୁ ତୃତୀୟ ଶ୍ରେଣୀର ମୌଳିକ ସାକ୍ଷରତା, ମୌଳିକ ସଂଖ୍ୟାଜ୍ଞାନ ଓ ସୃଜନାତ୍ମକ କାର୍ଯ୍ୟକଳାପ ଉପରେ ତିଆରି ହୋଇଥିବା ବିଭିନ୍ନ ଶିକ୍ଷଣ ଉପକରଣ ମେଳାରେ ପ୍ରଦର୍ଶନ କରାଯାଇଥିଲା । ଶିକ୍ଷଣ ଉପକରଣ ଗୁଡିକୁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଦେଖି ଖୁସି ଅନୁଭବ କରିଥିଲେ । ଏହି ଅବସରରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣ ସହାୟକ ଉପକରଣ ଓ ପ୍ରମାଣ ପତ୍ର ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଶିକ୍ଷକ ଚୌଧୁରୀ ତାଣ୍ଡି ଅତିଥି ପରିଚୟ କରିଥିବାବେଳେ ବିଶ୍ଵ ପ୍ରସାଦ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଜ୍ୟୋସ୍ନାରାଣୀ ଭୋଇ, ମିନତୀ ସାହୁ, ଜ୍ୟୋସ୍ନା ପଟେଲ, ପୂଜା ଦେହେରୀ, ବସନ୍ତ କୁମାର ବେହେରା, ନମିତା ପ୍ରଧାନ, ସଞ୍ଜୁଶ୍ରୀ ନାଏକ ପ୍ରମୁଖ ସହଯୋଗ କରିଥିଲେ ।