ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବିବୃତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ : ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ବିଧାନସଭାରେ ଖାଦ୍ୟ ଯୋଗାଣ ବିଭାଗର ମନ୍ତ୍ରୀଙ୍କ ବିବୃତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିବା ସହ ଚାଷୀମାନଙ୍କୁ ମଧ୍ୟସ୍ଥି (ଦଲାଲ) ଅଖ୍ୟା ଦେଇଥିବାରୁ ମନ୍ତ୍ରୀ ମହୋଦୟ ଓଡିଶାର ଚାଷୀ ସମାଜକୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବୀ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ମଣ୍ତିରେ ପାଖାପାଖି ଚାଷୀଙ୍କ ୫ ଲକ୍ଷ ବସ୍ତା ଧାନ ପଡିରହିଛି । ସରକାରଙ୍କ ଠାରୁ ଟୋକନ ପାଇବା ପରେ ମଣ୍ତିରେ ଚାଷୀ ଧାନ ପକାଇଥିଲେ ମଧ୍ୟ ରାଜ୍ୟ ସରକାର ଏକ ମାସ ସମୟ କାଳ ମଧ୍ୟରେ ଚାଷୀଙ୍କ ଧାନ ମଣ୍ତିରୁ ଉଠାଇ ପାରିଲେ ନାହିଁ । ଏଥିପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ଦାୟୀ ଅଟନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ,ମନ୍ତ୍ରୀ ମହୋଦୟ ଚାଷୀଙ୍କ ମୁଣ୍ଡ ଉପରେ ଦୋଷ ଲଦି ଦେଇ ପଳାୟନ ପନ୍ଥୀ ଗ୍ରହଣ କରୁଛନ୍ତି । ୨୦୨୦ – ୨୧ ବର୍ଷରୁ ରାଜ୍ୟ ସରକାର ଚାଷୀଙ୍କୁ ପଂଜିକୃତ କରିବା ସହ ଅନ୍ ଲାଇନ୍ ଟୋକନ ବ୍ୟବସ୍ଥା କଲେ ଏବଂ ସରକାର ଦାବୀ କଲେ ଯେ, ଏହା ଦେଶର ଧାନ କିଣାର ସବୁଠୁଁ ଉତ୍ତମ ଓ ସ୍ବଛ ବ୍ୟବସ୍ଥା । ଆଗରୁ ପ୍ରତ୍ୟେକ ଜିଲ୍ଲା ମାନଙ୍କରେ ଥିବା ଜିଲ୍ଲା ପେଡି ପ୍ରକୋମେଣ୍ଟ କମିଟିର ଦାୟିତ୍ୱକୁ ରଦ୍ଧ କରିଦେଲେ । ରାଜ୍ୟ ସରକାରଙ୍କ ନୂତନ ଧାନ କ୍ରୟ ନୀତି ଅନୁସାରେ ରାଜ୍ୟର ଚାଷୀ ମାନେ ଧାନ ବିକ୍ରି ପାଇଁ ଅନ ଲାଇନରେ ନିଜ ନାମ ପଂଜିକୃତ କଲେ । ରାଜ୍ୟ ସରକାର ତର୍ଜମା କଲା ପରେ ରାଜ୍ୟର ଚାଷୀ ମାନଙ୍କୁ ମଣ୍ତିରେ ଧାନ ବିକ୍ରି ପାଇଁ ଟୋକନ ଯୋଗାଇ ଦେଲେ ଓ ୧ ମାସ ଭିତରେ ଟୋକନ ପାଇଥିବା ଚାଷୀ ମଣ୍ତିରେ ଧାନ ଜମା ନକଲେ ଟୋକନ ଲେପ୍ସ ହୋଇଯିବା ନିୟମ ରଖିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଟୋକନ ପାଇବା ପରେ ଚାଷୀ ମଣ୍ତିରେ ଧାନ ଜମା କରିବା ସତ୍ତ୍ବେ ରାଜ୍ୟ ସରକାର ଚାଷୀଙ୍କ ଧାନ ମଣ୍ତିରୁ ଉଠାଇଲେ ନାହିଁ । ଏଥିପାଇଁ ସରକାର ଦାୟୀ ନା ଚାଷୀ… ମାନ୍ୟବର ମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି ଶ୍ରୀ ପୁରୋହିତ ପ୍ରଶ୍‌ଶ୍ନ କରିଛନ୍‌ନ୍ତି । ଆହୁରି ସେ ପ୍ରଶ୍‌ଶ୍ନ କରିଛନ୍‌ନ୍ତି, କିଛି ଚାଷୀ ଟୋକନ ପାଇଲେ, କିନ୍ତୁ ଖାଦ୍ୟ ଯୋଗାଣ ବିଭାଗ ମଣ୍ତିରେ ଧାନ ଏରାଇଭାଲ୍ ବନ୍ଦ କରି ଦେଲେ । ଏଥି ପାଇଁ ଦାୟୀ କିଏ ମନ୍ତ୍ରୀ କରିବେ କି ? ମିଲର୍ସ ମାନେ ମଣ୍ତିରୁ ଧାନ ନ କିଣି ଅଣ୍ତର ରେଟ୍‌ରେ ବାହାରୁ ଧାନ କିଣି ଟାର୍ଗେଟ ପୁରା କଲେ, ଗୋଟିଏ ମଧ୍ୟ ମିଲର୍ସ ବିରୁଦ୍ଧରେ ସରକାର କାର୍ୟ୍ୟାନୁଷ୍ଠାନ ନେଲେ ନାହିଁ । ଟୋକନର ଅବଧି ସମୟ ସୀମା ମଧ୍ୟରେ ଚାଷୀ ତାର ଧାନ ମଣ୍ତି ରେ ଗଦା କରିଛି ରାଜ୍ୟ ସରକାର ବାହାନା ବାଜି ବନ୍ଦ କରି ତୁରନ୍ତ ପଶ୍ଚିମ ଓଡିଶା ମଣ୍ତି ମାନଙ୍କ ରେ ପଡିଥିବା ସମସ୍ତ ଧାନ କ୍ରୟ କରନ୍ତୁ ବୋଲି ଶ୍ରୀ ପ୍ରଦୀପ ପୁରୋହିତ ଦାବୀ କରିଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମର ବାଳମଣି ଭୋଇ ଟୋକନ ପାଇବା ପରେ ଗତ ଡିସେମ୍ବର ୨୨ ତାରିଖ ଦିନ ୧୪୦ ପକେଟ ଧାନ ଲଖମରା ମଣ୍ତିରେ ଜମା କରିଥିଲେ । ମଣ୍ତିରୁ ସରକାର ଧାନ ନ ଉଠାଇବାରୁ ଜାନୁଆରୀ ୨୨ ତାରିଖ ଦିନ ଭୋଇଙ୍କ ଟୋକନ ଲେପ୍ସ ହୋଇ ଯାଇଥିଲା । ସେହି ଦିନ ଠାରୁ ସେ ଅନେକ ଅଧିକାରୀ ମାନଙ୍କ ପାଖକୁ ଦୌଡି ଭାରାକ୍ରାନ୍ତ ଥିଲେ ଓ ହଠାତ୍ ଆଜି ହୃଦଘାତରେ ତାଙ୍କର ଦେହାନ୍ତ ହୋଇ ଯାଇଛି । ସ୍ବର୍ଗତ ଭୋଇଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ଦାୟୀ ଏବଂ ମୃତ୍ୟୁ ଚାଷୀ ପରିବାରଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତି ପୂରଣ ରାଜ୍ୟ ସରକାର ଯୋଗାଇ ଦିଅନ୍ତୁ ବୋଲି ଶ୍ରୀ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବୀ କରିଛନ୍ତି ।

Leave A Reply

Your email address will not be published.