ନୂଆଦିଲ୍ଲୀ, (ପିଆଇବି) : ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କୁ ଅପମାନିତ କରାଯିବା ଏବଂ ସାନ୍ତାଳ ସଂସ୍କୃତି ପ୍ରତି ଅବହେଳା ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ନିନ୍ଦା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣା ଲଜ୍ଜାଜନକ ଏବଂ ପୂର୍ବରୁ କେବେ ଏଭଳି ଘଟିନାହିଁ । ସେ କହିଛନ୍ତି, ଗଣତନ୍ତ୍ର ଏବଂ ଆଦିବାସୀ ସମ୍ପ୍ରଦାୟର ସଶକ୍ତିକରଣରେ ବିଶ୍ୱାସ କରୁଥିବା ଯେକୌଣସି ବ୍ୟକ୍ତି ଏହି ଘଟଣା ଦ୍ୱାରା ଗଭୀର ଭାବରେ ନିରାଶ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରପତି ନିଜେ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି ଏବଂ ସେ ଯେଉଁ ଯନ୍ତ୍ରଣା ଏବଂ କଷ୍ଟ ପରିପ୍ରକାଶ କରିଛନ୍ତି ତାହା ଭାରତର ଜନସାଧାରଣଙ୍କୁ ଗଭୀର ଦୁଃଖ ଦେଇଛି । ଶ୍ରୀ ମୋଦୀ କହିଛନ୍ତି ଯେ ପଶ୍ଚିମବଙ୍ଗର ଟିଏମସି ସରକାର ସମସ୍ତ ସୀମା ଅତିକ୍ରମ କରିଛି ଏବଂ ରାଷ୍ଟ୍ରପତିଙ୍କ ପ୍ରତି ଏହି ଅପମାନ ପାଇଁ ଏହାର ପ୍ରଶାସନ ଦାୟୀ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ସାନ୍ତାଳ ସଂସ୍କୃତି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଏତେ ଅବହେଳା ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ରାଜନୀତିଠାରୁ ଊର୍ଦ୍ଧ୍ୱରେ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପଦବୀର ପବିତ୍ରତାକୁ ସର୍ବଦା ସମ୍ମାନ କରାଯିବା ଉଚିତ। ପଶ୍ଚିମବଙ୍ଗ ସରକାର ଏବଂ ଟିଏମସିକୁ ସଦ୍ବୁଦ୍ଧି ଆସିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି;
‘‘ଏହା ଲଜ୍ଜାଜନକ ଏବଂ ଅଭୂତପୂର୍ବ। ଯେଉଁମାନେ ଗଣତନ୍ତ୍ର ଏବଂ ଆଦିବାସୀ ସମ୍ପ୍ରଦାୟର ସଶକ୍ତିକରଣରେ ବିଶ୍ୱାସ କରନ୍ତି, ସେମାନେ ନିରାଶ ହୋଇଛନ୍ତି ।
ରାଷ୍ଟ୍ରପତି ନିଜେ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି ଏବଂ ସେ ଯେଉଁ ଯନ୍ତ୍ରଣା ଏବଂ କଷ୍ଟ ପରିପ୍ରକାଶ କରିଛନ୍ତି ତାହା ଭାରତର ଜନସାଧାରଣଙ୍କୁ ଗଭୀର ଦୁଃଖ ଦେଇଛି ।
ପଶ୍ଚିମବଙ୍ଗର ଟିଏମସି ସରକାର ସମସ୍ତ ସୀମା ଅତିକ୍ରମ କରିଛି ଏବଂ ରାଷ୍ଟ୍ରପତିଙ୍କ ପ୍ରତି ଏହି ଅପମାନ ପାଇଁ ଏହାର ପ୍ରଶାସନ ଦାୟୀ ।
ପଶ୍ଚିମବଙ୍ଗ ସରକାର ସାନ୍ତାଳ ସଂସ୍କୃତି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଏତେ ଅବହେଳା ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ରାଜନୀତିଠାରୁ ଊର୍ଦ୍ଧ୍ୱରେ ଏବଂ ଏହି ପଦବୀର ପବିତ୍ରତାକୁ ସର୍ବଦା ସମ୍ମାନ କରାଯିବା ଉଚିତ। ଆଶା କରୁଛି ଯେ ପଶ୍ଚିମବଙ୍ଗ ସରକାର ଏବଂ ଟିଏମସିକୁ ସଦ୍ବୁଦ୍ଧି ଆସିବ ।’’