jayashree

ସମଲେଇ ପ୍ରକଳ୍ପ ପାଇଁ ପହଞ୍ଚିଲା ନିମନ୍ତ୍ରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୭ ତାରିଖରେ ସମ୍ବଲପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଏହା ଉଦ୍‌ଘାଟନ ହେବ । ଏହି ଉପଲକ୍ଷେ ପୀଠ ତରଫରୁ ନିମନ୍ତ୍ରଣ ଆଜି ବଲାଙ୍ଗିରର ୧୦ଟି ମନ୍ଦିରକୁ ଦିଆଯାଇଛି । ଏହି ଉତ୍ସବ ପାଇଁ ବଲାଙ୍ଗିର, ତୁଷରା, ଲୋଇସିଂହା, ପାଟଣାଗଡ଼, ସଲେଭଟା, ଭାଲେରର ସମଲେଶ୍ଵରୀ ମନ୍ଦିର, ବଲାଙ୍ଗିର ଏବଂ ପାଟଣାଗଡ଼ର ପାଟଣେଶ୍ଵରୀ ମନ୍ଦିର, ଜରାଶିଙ୍ଘାର ପାଟଖଣ୍ଡା ମନ୍ଦିରକୁ ନିମନ୍ତ୍ରଣ ଦିଆଯାଇଛି । ଏହି ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ସମୁଦାୟ ୧୩୭ ମନ୍ଦିରକୁ ନିମନ୍ତ୍ରଣ ଦିଆଯାଇଛି । ତେବେ ବଲାଙ୍ଗିରର ନିମନ୍ତ୍ରିତ ମନ୍ଦିରମାନଙ୍କର ପୂଜାରୀ ଓ ପ୍ରତିନିଧିମାନେ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ଦିନ ମା’ ସମଲେଇଙ୍କ ମନ୍ଦିରକୁ ଯିବେ । ଜିଲ୍ଲା ପ୍ରଶାସନ ତରଫରୁ ଭବ୍ୟ ଆୟୋଜନ ପୂର୍ବକ ସମ୍ବଲପୁରରୁ ଆସିଥିବା ସେବାୟତ ତଥା ଅଧିକାରୀଙ୍କୁ ସ୍ଵାଗତ କରାଯାଇଛି । ପାରମ୍ପରିକ ସଂକୀର୍ତ୍ତନ ତାଳେ ତାଳେ ସେମାନଙ୍କୁ ପାଛୋଟି ନିଆ ଯାଇଥିଲା । ନିମନ୍ତ୍ରଣ ଦେବାକୁ ଆସିଥିବା ଦଳ ଧର୍ମସ୍ଥଳୀର ମୁଖ୍ୟଙ୍କୁ ନିମନ୍ତ୍ରଣ ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏହି ନିମନ୍ତ୍ରଣ ଉତ୍ସବ ଅନୁଷ୍ଠିତ ହୋଇଛି । ନିମନ୍ତ୍ରଣ ପାଇଁ ସମ୍ବଲପୁରରୁ ୨ଜଣ ଲେଖାଏଁ ପୂଜକ ଓ ଜଣେ ଟ୍ରଷ୍ଟି ଓ ସରକାରୀ ଅଧିକାରୀଙ୍କୁ ନେଇ ୫ଟି ଦଳ ଗଠିତ ହୋଇଛି । ସେମାନେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାକୁ ଗସ୍ତ କରୁଛନ୍ତି । ସେହି ଆଧାରରେ ବଲାଙ୍ଗିରକୁ ଟ୍ରଷ୍ଟି ପ୍ରଫୁଲ ହୋତା, ପୂଜକ ବିରେନ୍ଦ୍ର ରାୟ ଏବଂ ସୁଧୀର ରାୟ ଓ ଡେପୁଟି କଲେକ୍ଟର ସଜତ ମାର୍କେଙ୍କ ଦଳ ଗସ୍ତ କରିଛି । ଉକ୍ତ ଉତ୍ସବରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦଳ ୧୬ ତାରିଖରୁ ବିଭିନ୍ନ ଜିଲ୍ଲା ବୁଲି ଦେବାଳୟମାନଙ୍କୁ ନିମନ୍ତ୍ରଣ ଦେଉଛନ୍ତି ।

Leave A Reply

Your email address will not be published.