ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡର ବେଲଘର ବନାଞ୍ଚଳ ଅନ୍ତର୍ଗତ ଝିରିପାଣି ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାର ତଦନ୍ତ ପରେ ବେଲଘର ରେଞ୍ଜର ବିନୟ କୁମାର ବିଶି ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ଚଳିତ ମାସ ଜାନୁଆରୀ ୫ ତାରିଖରେ ଝିରିପାଣି ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଅଭିଯୋଗ ହୋଇଥିଲା । ହାତୀ ମୃତ୍ୟୁ ପରେ ମୃତ ଦେହ ଅନ୍ୟତ୍ର ଲୁଚାଇ ଚପାଇବାକୁ ରେଞ୍ଜର ଉଦ୍ୟମ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା । ହାତୀ ମୃତ୍ୟୁ ପରେ ମୁଣ୍ଡୁଟି ଜଙ୍ଗଲରୁ ମୃତ ଦେହକୁ ଅନ୍ୟତ୍ର ନିଆଯାଇ ବେଲଘର ପଞ୍ଚାୟତର କାଡାପାନା ନର୍ସରୀରେ ଖଣ୍ଡ ବିଖଣ୍ଡିତ କରି ପୋତା ଯାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା । ବେଲଘର ରେଞ୍ଜର ବିନୟ କୁମାର ବିଶି ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଥିବା ନେଇ ତଦନ୍ତରୁ ବାଲିଗୁଡା ଡିଏଫଓ ଘନଶ୍ୟାମ ମହନ୍ତ ସ୍ପଷ୍ଟ ହୋଇଥିଲେ । ତଦନ୍ତ ପରେ ବେଲଘର ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବିତ କରାଯିବା ସହ ଅଧିକ ତଦନ୍ତ ଅବ୍ୟାହତ ରଖାଯାଇଥିବା ବିଷୟ ଡିଏଫଓ ପ୍ରକାଶ କରିଛନ୍ତି ।