ପ୍ରସିଦ୍ଧ କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରସିଦ୍ଧ କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି । ଏଥି ନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ । ବ୍ରହ୍ମାଦ୍ରୀ ପର୍ବତର ଉତ୍ତର ଦିଗରେ ମହାନଦୀର ଭୀମକାନ୍ତ ରୂପ ଅତ୍ୟନ୍ତ ରମଣୀୟ । ପର୍ୟ୍ୟଟକ ମାନଙ୍କ ପାଇଁ ମଧ୍ୟ ଏହି ସ୍ଥାନ ଅନ୍ୟତମ ପ୍ରମୁଖ ଆକର୍ଷଣ । ଏହି ପବିତ୍ର ପୀଠର ସୁବ୍ୟବସ୍ଥିତ ବିକାଶ ଦ୍ବାରା ଭକ୍ତ ଓ ପର୍ୟ୍ୟଟକ ସହିତ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ । ଏହି ମାଷ୍ଟରପ୍ଲାନରେ ମୁଖ୍ୟତଃ ମନ୍ଦିରର ପୁନରୁଦ୍ଧାର, ଦର୍ଶନ ସହ ପରିକ୍ରମା, ଚନ୍ଦନ ପୁଷ୍କରିଣୀର ସୌନ୍ଦର୍ୟ୍ୟକରଣ ସହିତ ଚତୁପାର୍ଶ୍ବ ରାସ୍ତାର ଉନ୍ନତୀକରଣ, ଛାୟାପ୍ରଦ ବୃକ୍ଷ, ଉଦ୍ୟାନ ସହିତ ପାର୍କିଂ, ମହାନଦୀର କୂଳ ସୁରକ୍ଷା ଓ ନଦୀପାର୍ଶ୍ବର ସୌନ୍ଦର୍ୟ୍ୟକରଣ ଆଦି ବିଷୟରେ ଗୁରୁତ୍ବ ଦିଆଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.