ଯୁବକବି ସୁଜିତ କୁମାର ଶତପଥିଙ୍କୁ “ନୁରା” ପାଇଁ ଡ଼ଃ. ନୀଳମାଧବ ପାଣିଗ୍ରାହୀ ସମ୍ମାନ

ବଲାଙ୍ଗିର , (କେପିଏନ୍‌ଏସ୍‌) : ଗତ ସେପ୍ଟେମ୍ବର ତା. ୦୧/୦୯/୨୦୨୪ ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାରରେ ଅନୁଷ୍ଠିତ ୧୬୩ ତମ ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ କୋଶଲୀ କବିତା ସଂକଳନ “ନୁରା” ପାଇଁ ଯୁବକବି ସୁଜିତ କୁମାର ଶତପଥିଙ୍କୁ ମର୍ଯ୍ୟାଦାଜନକ ଡ଼ଃ. ନୀଳମାଧବ ପାଣିଗ୍ରାହୀ ସମ୍ମାନ ୨୦୨୩ ପ୍ରଦାନ କରାଯାଇଛି । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୀବନ ଦର୍ଶନ ଓ ସାହିତ୍ୟରେ ମୂଖରିତ ଏହି ସଭାରେ କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର, କୁଳସଚିବ ଡ଼ଃ. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ମାନିତ ଅତିଥି ଭାବରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବ, ମୁଖ୍ୟବକ୍ତା ଭାବରେ ପ୍ରଫେସର ନଟବର ଶତପଥି, ପିଜିସି ଅଧ୍ୟକ୍ଷ ପ୍ରଫେସର ତରୁଣକାନ୍ତି ଦାସ ଉପସ୍ଥିତ ଥିଲେ । କବି ପ୍ରତିଭା ଶତପଥିଙ୍କୁ ଭରତ ଚନ୍ଦ୍ର ନାୟକ ସ୍ମୃତି ସମ୍ମାନ -୨୦୨୩ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋଶଲୀ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦେବା ପାଇଁ ଦାବିପତ୍ରକୁ କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପ୍ରଦାନ କରିଥିଲେ ଯୁବକବି ସୁଜିତ । ତା ଛଡ଼ା ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବ କୋଶଲୀ ଭାଷା ତଥା ସାହିତ୍ୟର ପ୍ରଶଂସା କରିଥିଲେ ଏବଂ କବିତା ସଂକଳନ “ନୁରା” ଏବଂ ସ୍ୱର୍ଗତ ନିମାଇଁ ଚରଣ ପାଣିଗ୍ରାହୀଙ୍କର ଅନୁଦିତ କୋଶଲୀ ଗିତାକୁ ଆଗ୍ରହର ସହ ଗ୍ରହଣ କରିଥିଲେ । ଜୀବନର ଅନ୍ୱେଷଣର କଥା କହୁଥିବା କବିତା ସଂକଳନ “ନୁରା” କେନ୍ଦ୍ର ସାହିତ୍ୟ ଅକାଦମୀ ନୂଆଦିଲ୍ଲୀଙ୍କ ଦ୍ୱରା ପ୍ରକାଶିତ ହୋଇ ଖୁବ ଚର୍ଚ୍ଚିତ ତଥା ପାଠକୀୟ ଆଦୃତି ଲାଭ କରିସାରିଛି । ପ୍ରକାଶ ଥାଉ କି ପୂର୍ବରୁ ସୁଜିତ କୁମାର ସତପଥିଙ୍କ କବିତା ସଂକଳନ ଇଚ୍ଛାଭାଟି, ଚତୁର୍ଥ ପୁରୁଷ, ଶବ୍ବରେ ଶବ୍ଦରେ, ଛୁଟି ଦେବା ସମୟକୁ ଏବଂ ଅନାମିତ ରହୁ କିଛି ଓ ଆଲୋଚନା ଗ୍ରନ୍ଥ ଦୀପ୍ତି ଓ ଦିଗନ୍ତ ପ୍ରକାଶିତ ହୋଇ ସାହିତ୍ୟ ଜଗତରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିସାରିଛି ।

Leave A Reply

Your email address will not be published.