ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ବ୍ଲକ ଅନ୍ତର୍ଗତ ସୁଉଡ଼ିହି ଗ୍ରାମ ପଞ୍ଚାୟତର ସୁନାପର୍ବତ ଗ୍ରାମରେ ରହୁଥିବା ପୁରୁଷୋତ୍ତମ ଗୌଡ଼ ଓରଫ ଶିବ ନାମକ ଜଣେ ଯୁବକ ଗତ ୨୦୦୮ ମସିହାରେ ଯେତେବେଳେ ତାକୁ ୧୩ ବର୍ଷ ବୟସ ହୋଇଥିଲା ଏବଂ ସେ ସପ୍ତମ ଶ୍ରେଣୀ ପାସ ହୋଇ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ । କୌଣସି ଲୋକର କଥାରେ ପଡି ଘରୁ ପଳାଇଥିଲେ । ପୁରୁଷୋତ୍ତମକୁ ନେଇଯାଇଥିବା ଲୋକ ଜଣଙ୍କ କୌଶଳ କରି ପୁରୁଷୋତ୍ତମଜୁ ଜାମ୍ମୁ ଓ କାଶ୍ମୀରରେ ସାମ୍ଭା ଜିଲ୍ଲାର କୁଲଦୀପ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କ ନିକଟରେ ଛାଡିଦେଇ ପଳାଇଥିଲା । ଯେଉଁଠି ପୁରୁଷୋତ୍ତମ ବନ୍ଦୀ ଭାବେ ଜୀବନ ବିତାଇବାକୁ ବାଧ୍ୟ ହୋଇଥିଲା । ଇତି ମଧ୍ୟରେ ଏଠି ପୁରୁଷୋତ୍ତମଙ୍କ ମାଉସୀ ଉଲ୍ଲାସି ଗୌଡ଼ ଯିଏକି ପୁରୁଷୋତ୍ତମଙ୍କ ମା’ଙ୍କ ମୃତ୍ୟୁ ପରେ ନିଜ କ୍ଷୀର ଦେଇ ପାଳି ଆସୁଥିଲେ । ସେ ନିଜ ପୁଅ ସଦୃଶ ପୁରୁଷୋତ୍ତମଜୁ ଖୋଜି ଆଣିବା ପାଇଁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପାଖକୁ ଯାଇ ନିଜ ଗୁହାରୀ କରିଥିବା ବେଳେ ତାଙ୍କୁ କୌଣସି ସୁଫଳ ମିଳିନଥିଲା । ଶେଷରେ ନିଜ ଭାଗ୍ୟକୁ ଆଦରି ଭଗବାନଙ୍କ ଭରସାରେ ଅପେକ୍ଷା କରିଥିଲେ । ହଠାତ ଗତ ଜାନୁଆରୀ ମାସରେ ଏକ ଅଜଣା ବ୍ୟକ୍ତିଙ୍କ ଫୋନ ନମ୍ବରରୁ ନିଖୋଜ ପୁରୁଷୋତ୍ତମର ଫୋନ କଲ ପାଇବା ପରେ ଉଲ୍ଲାସି ନିଜ ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ନେଇ ସୁଉଡ଼ିହି ସରପଞ୍ଚ ଅରୁଣା ଇରାନୀ କିସାନଙ୍କ ସହିତ ମିଶି ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉଲ୍ଲାସୀଙ୍କଠାରୁ ସମସ୍ତ କଥା ଶୁଣିବା ପରେ ବିଧାୟକ ଦୁର୍ଗା ତନ୍ତୀ ପଶ୍ଚିମାଞ୍ଚଳ ଡ଼ିଆଇଜି ବ୍ରିଜେଶ ରାୟଙ୍କୁ ଏକ ଚିଠି ଲେଖି ଜାମ୍ମୁକାଶ୍ମୀରରେ ବନ୍ଧକ ଥିବା ପୁରୁଷୋତ୍ତମଙ୍କୁ ଉଦ୍ଧାର କରି ଆଣିବା ପାଇଁ ଅନୁରୋଧ କରିଥିଲେ । ବିଧାୟକ ଶ୍ରୀ ତନ୍ତୀଙ୍କ ଅନୁରୋଧ କ୍ରମେ ଡ଼ିଆଇଜି ଘଟଣାର ଗମ୍ଭୀରତାକୁ ହୃଦବୋଧ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଟାଙ୍ଗରପାଲ୍ଲୀ ଥାନାକୁ ନିର୍ଦେଶ ଦେଇଥିଲେ । ଏହି କ୍ରମରେ ଟାଙ୍ଗରପାଲ୍ଲୀ ପୋଲିସ ପୁରୁଷୋତ୍ତମଙ୍କ ପରିବାରର ସଦସ୍ୟଙ୍କୁ ନେଇ ଗତ ସପ୍ତାହରେ ଜାମ୍ମୁକାଶ୍ମୀର ଅଭିମୁଖେ ଯାଇ ସେଠାରେ ବନ୍ଧକ ଥିବା ପୁରୁଷୋତ୍ତମଜୁ ଉଦ୍ଧାର କରି ଆଣି ଆଜି ଜାମ୍ମୁ ତାଇ ଏକ୍ସପ୍ରେସ ଟ୍ରେନରେ ଆସି ରାଉରକେଲା ଷ୍ଟେସନରେ ଅପରାହ୍ନ ୨.୩୦ରେ ପହଞ୍ଚିଥିଲେ । ଯେଉଁଠି ପୁରୁଷୋତ୍ତମଙ୍କ ପାଳିତ ମା’ ତଥା ମାଉସୀ ଉଲ୍ଲାସି ଗୌଡ଼ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ସୁଉଡ଼ିହି ସରପଞ୍ଚ ଅରୁଣା ଇରାନୀ କିଷାନ, ବିଧାୟକଙ୍କ ଲାଠିକଟା ତହସିଲ ପ୍ରତିନିଧି ଉମେଶ ନାଗ, ବିଜେପି ନେତା ଅଜୟ କଂସାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀମାନେ ଉପସ୍ଥିତ ରହି ପୁରୁଷୋତ୍ତମକୁ ଭବ୍ୟ ସ୍ୱାଗତ କରିଥିଲେ । ବିଧାୟକ ଶ୍ରୀ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ନିଖୋଜର ଦୀର୍ଘ ୧୮ ବର୍ଷ ପରେ ନିଜ ପୁଅକୁ ଫେରି ପାଇଥିବାରୁ ବୃଦ୍ଧା ଉଲ୍ଲାସି ସମେତ ପୁରୁଷୋତ୍ତମଙ୍କ ପରିବାରର ସମସ୍ତ ସଦସ୍ୟ ବିଧାୟକ ଶ୍ରୀ ତନ୍ତୀଙ୍କୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି । ଅପରପଟେ ବିଧାନସଭା ଅଧିବେଶନ ନିମିତ୍ତ ଭୁବନେଶ୍ୱରରେ ଥିବା ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ ତନ୍ତୀ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ନିଖୋଜ ପୁରୁଷୋତ୍ତମ ଦୀର୍ଘ ଜୀବନ କାମନା କରିବା ସହିତ ୧୮ବର୍ଷପରେ ନିଜ ଘର/ନିଜ ମାଟିକୁ ପୁରୁଷୋତ୍ତମ ଫେରିଥିବାରୁ ଏଥି ପାଇଁ ପୋଲିସ ପ୍ରଶାସନକୁ ଧନ୍ୟବାଦ ଦେବା ସହିତ ପୁରୁଷୋତ୍ତମଙ୍କ ପରିବାର ମଙ୍ଗଳ ପାଇଁ ଭଗବାନଙ୍କ ନିଜଟରେ ପ୍ରାର୍ଥନା କରିଛନ୍ତି ।