ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଜଣେ ନିଖୋଜ, ଦୁଇ ଉଦ୍ଧାର

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟକୁ କାଠ ଡଙ୍ଗାରେ ମାଛ ଧରିବାକୁ ଯାଇ ପ୍ରବଳ ଢେଉରେ ଡଙ୍ଗା ବୁଡିଯିବା ଫଳରେ ଜଣେ ନିଖୋଜ ଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଅନ୍ୟଏକ ଡଙ୍ଗା ଯାଇ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ସୁଚନା ମିଳିଛି । ଥୁଆମୂଲ ରାମପୁର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଚଂଚରା ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ସେହି ଗ୍ରାମର ହର ବେହେରୁକ (୪୦) ଓ ଦୁଇଜଣ ସାଥି ରବି ପୁଝାରୀ ଓ ଚନ୍ଦ୍ର ବେହେରା ଏକ କାଠ ଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ । ଫେରିବା ବେଳେ ପ୍ରବଳ ଢେଉ ହେତୁ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା । ଘଟଣା ସ୍ଥଳରେ ହର ପାଣି ମଧ୍ୟରେ ବୁଡ଼ି ଯାଇ ନିଖୋଜ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଅନ୍ୟ ଏକ ଡଙ୍ଗା ନେଇଯାଉଥିବା ଡମ୍ବରୁ ନାଏକ ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିବା ସୁଚନା ମିଳିଛି । ପରେ ସେହି ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ନିକଟ ଅଡ୍ରୀ ଡାକ୍ତରଖାନାକୁ ନିଆଯାଇଥିବା ସୁଚନା ମିଳିଛି । ଖବର ପାଇ ଥୁଆମୁଲ ରାମପୁର ଅଗ୍ନିଶମ ବିଭାଗ ପହଞ୍ଚି ବୋଟ ଯୋଗେ ଅନେକ ଖୋଜା ଖୋଜି କରିଥଲେ ମଧ୍ୟ ନିଖୋଜ ବ୍ୟକ୍ତିଙ୍କ କୌଣସି ପତ୍ତା ମିଳି ନ ଥିବା ପ୍ରକାଶ । ଘଟଣା ସ୍ଥଳରେ ୩୦୦ଫୁଟ ପାଣି ଥିବାର ଆଲୋଚନା ହେଉଛି । ନିଖୋଜ ହରଙ୍କ ଦୁଇ ନାବାଳକ ପୁଅ ଓ ଝିଅ ସାଙ୍ଗକୁ ସ୍ତ୍ରୀ ଧନେଇ ଶୋକରେ ଭାଙ୍ଗି ପଡ଼ିଥିବା ବେଳେ ଆଖପାଖ ଅଞ୍ଚଳରୁ ଅନେକ ଲୋକ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ସୁଚନା ମିଳିଛି । ଇନ୍ଦ୍ରାବତୀ ଜଳଭଣ୍ଡାର କାର୍ଯ୍ୟକ୍ଷମ ହେବା ଦିନଠାରୁ ଅନେକ ଜୀବନ ନେଇଥିବା ବେଳେ ମୃତକ ପରିବାରକୁ ସ୍ଵତନ୍ତ୍ର ସହାୟତା ରାଶି ପ୍ରଦାନ କରିବାକୁ ଦାବି ହେଉଛି ।

Leave A Reply

Your email address will not be published.