ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଧିନସ୍ଥ ଗୁଟିଙ୍ଗିଆ ପଞ୍ଚାୟତର ତରାପିଡ଼ା ଗ୍ରାମର ୬୭ ବର୍ଷୀୟ ବୃଦ୍ଧ ଦିବାକର ଦିଗାଳ ନିଖୋଜ ହେବାର ୧୨ ଦିନ ପରେ ନିକଟସ୍ଥ ଖଡ଼ଗ ନଦୀରୁ ଗଳିତ ଶବ ଉଦ୍ଧାର ହୋଇଛି । ସୂଚନା ପ୍ରକାରେ ଅକ୍ଟୋବର ୨୯ ତାରିଖ ଦିନ ବାଲିଗୁଡ଼ା ସ୍ଥିତ ଘରୋଇ ଦାଶ ଚକ୍ଷୁ ଚିକିତ୍ସାଳୟକୁ ଦିବାକର ଚିକିତ୍ସା ପାଇଁ ଆସିଥିଲେ । ଚିକିତ୍ସା ପରେ ମଧ୍ୟାହ୍ନ ଭୋଜନ ଖାଇ କେଉଁଆଡ଼େ ଚାଲିଯାଇଥିଲେ । ଏନେଇ ଡାକ୍ତରଖାନା ପକ୍ଷରୁ ଦିବାକରଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଇଥିଲା, କିନ୍ତୁ ଦିବାକରଙ୍କ କୌଣସି ସନ୍ଧାନ ମିଳିନଥିଲା । ପରିବାର ପକ୍ଷରୁ ସାରେଙ୍ଗଡ଼ ଥାନାରେ ଏବଂ ଦାଶ ହସ୍ପିଟାଲ ପକ୍ଷରୁ ବାଲିଗୁଡ଼ା ଥାନାରେ ପୃଥକ ପୃଥକ ଦୁଇଟି ଏତଲା ଦିଆଯାଇଥିଲା । ଏତଲାକୁ ଭିର୍ତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମଙ୍ଗଳବାର ଦିନ ବାଲିଗୁଡ଼ା ଦଣ୍ଡପଦର ନିକଟସ୍ଥ ଖଡ଼ଗ ନଦୀରେ ଏକ ଶବ ଭାସୁଥିବା ନେଇ ସ୍ଥାନୀୟ ଲୋକଙ୍କ ନିକଟରୁ ସୂଚନା ମିଳିବା ପରେ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଶବ ଉଦ୍ଧାର କରିବା ସହ ଶବ ଚିହ୍ନଟ ହୋଇଥିଲା । ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା ପୋଲିସ୍ । ଏଯାବତ୍ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।