
ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ : ଉଦ୍ଧାର ପାଇଁ ଓଡ଼ିଶାରୁ ଗଲା ସ୍ଵତନ୍ତ୍ର ଟିମ୍
ବ୍ୟାସନଗର : ସିକ୍କିମ ଦୁର୍ଘଟଣାରେ ଯାଜପୁର ରୋଡ୍ ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ଓ ତାଙ୍କ ପରିବାର ନିଖୋଜ ଅଛନ୍ତି । ପରିବାର ସହ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣାରେ ନିଖୋଜ ହୋଇଯାଇଛନ୍ତି । ପାହାଡ଼ ଉପରୁ ଗାଡି ଖସିଥିବା ଗାଡ଼ିରୁ ୨ଜଣ ଛିଟିକି ପଡିଥିବା ବେଳେ ଏବେବି ୪ଜଣଙ୍କ ପତ୍ତା ମିଳିପାରି ନାହିଁ । ସୂଚନା ମୁତାବକ, ବ୍ୟାସନଗର ସହରର ଉମାପଦା ଗାଁରୁ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ସହିତ ତାଙ୍କର ଦୁଇ ପୁଅ ଏବଂ ଭାଇ ଅଜିତ ନାୟକ, ଭାଉଜ ସୁନିତା ନାୟକ ଏବଂ ପୁତୁରା ସିକ୍କିମ ବୁଲିବାକୁ ଯାଇଥିଲେ । ଗୁରୁବାର ରାତିରେ ଗ୍ୟାଙ୍ଗଟକ୍କୁ ଫେରିବା ବେଳେ ଏହି ପରିବାର ଦୁର୍ଘଟଣାର ଶିକାର ହୋଇଥିଲେ । ସେମାନେ ଯାତ୍ରା କରୁଥିବା ଗାଡିଟି ପାହାଡ଼ ଉପରୁ ଖସିପଡ଼ିଥିଲା । ଗାଡି ଭିତରୁ ଇତିଶ୍ରୀଙ୍କ ସାନପୁଅ ଏବଂ ଅଜିତଙ୍କ ପୁଅ ଛିଟିକି ପଡ଼ିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । କିନ୍ତୁ ଆଉ ୪ଜଣଙ୍କୁ ଏବେ ସୁଦ୍ଧା ଠାବ କରାଯାଇପାରୁନି । ପାହାଡ଼ ତଳେ ଏକ ନଦୀ ଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖା ଦେଇଛି । ଉଦ୍ଧାର ହୋଇଥିବା ଦୁଇଜଣ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି । ଆଉ ଏକ ଗାଡ଼ିରେ ଥିବା ଇତିଶ୍ରୀଙ୍କ ସମ୍ପର୍କୀୟ ଦୁର୍ଘଟଣା ସ୍ଥାନରେ ଉପସ୍ଥିତ ଥିବା ଜଣାପଡିଛି । ସିକ୍କିମ ତିସ୍ତା ନଦୀରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ବସ୍ରେ ଓଡ଼ିଶାର ଅନେକ ଯାତ୍ରୀ ଥିବାର ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ସିକ୍କିମ ସରକାରଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶାର ଦୁର୍ଘଟଣାଗସ୍ତ ଯାତ୍ରୀମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶାକୁ ଆଣିବା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଏହାର ସୁପରିଚାଳନା ପାଇଁ ଓଡ଼ିଶାରୁ ଅଧିକାରୀମାନଙ୍କ ଏକ ସ୍ୱତନ୍ତ୍ର ଟିମ୍ ସିକ୍କିମ ଯାଉଛି । ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗ-ମୁନସିଥାଙ୍ଗ ମଧ୍ୟରେ ପ୍ରାୟ ୧ ହଜାର ଫୁଟ ତଳକୁ ତିସ୍ତା ନଦୀରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଗାଡି ଖସିପଡିଥିଲା । ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ଓ ଇଣ୍ଡୋ-ତିବତ ସୀମା ସୁରକ୍ଷା ବଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଉଦ୍ଧାର କାର୍ଯ୍ୟରେ ଯବାନଙ୍କୁ ସ୍ଥାନୀୟ ବାସିନ୍ଦା ସହଯୋଗ କରିଥିଲେ । ଗୁରୁତରମାନଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସ୍ରେ ଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ଅନେକ ଯାତ୍ରୀ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଅନ୍ୟ ସ୍ଥାନର ଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। । ଏବେବି ୮ ଜଣ ନିଖୋଜ ଥିବା ସୂଚନା ମିଳିଛି ।