
ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ନାବାଳିକା ଯୁବତୀ ଅପହରଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାସିଙ୍ଗି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଆଠ ଦିନ ହେବ ଜଣେ ନିଖୋଜ ଯୁବତୀଙ୍କ ପତ୍ତା ମିଳୁନି । ଚଳିତ ମାସ ୧୫ ତାରିଖ ଦିନ ମହାସିଙ୍ଗି ପଞ୍ଚାୟତ ପାତ୍ରସାହିର ଝୁନୁରାଣୀ କହଁର ନିଖୋଜ ଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି । ଏନେଇ ବାଲିଗୁଡା ଥାନାରେ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ କରୁଛି ବାଲିଗୁଡା ପୋଲିସ । ହେଲେ ଏଯାଏଁ ପୋଲିସ ନିରୁଦ୍ଧିଷ୍ଟ ଯୁବତୀଙ୍କ ସନ୍ଧାନ ପାଇ ନଥିବାରୁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ସୂଚନା ଅନୁସାରେ ଚଳିତ ମାସ ୧୫ ତାରିଖ ଦିନ ରଜ ଉତ୍ସବ ଚାଲିଥିବା ବେଳେ ଝୁନୁରାଣୀ ଘରେ କାହାକୁ କିଛି ନ କହି ଘରୁ ବାହାରିଥିଲେ । ସନ୍ଧ୍ୟା ପୂର୍ବରୁ ଘରେ ନ ପହଂଚିବାରୁ ପରିବାର ଲୋକେ ସାହି ପଡିଶା, ବନ୍ଧୁ ବାନ୍ଧବଙ୍କ ଘର, ନିକଟସ୍ଥ ଗାଁ ସବୁ ଖୋଜାଖୋଜି କରିବା ପରେ ସନ୍ଧାନ ନମିଳିବାରୁ ପୋଲିସର ଆଶ୍ରୟ ନେଇଥିଲେ । କେହି ଦୁର୍ବୃତ୍ତ ଝୁନୁଙ୍କୁ ଅପହରଣ କରି ଲୁଚାଇ ରଖିଥିବା ବିଷୟ ପରିବାର ଲୋକେ ସନ୍ଦେହ କରୁଛନ୍ତି । ଘଟଣାକୁ ଆଠ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏ ଯାଏ କୌଣସି ସୁରାକ ପାଇପାରୁନାହିଁ । ଝୁନୁରାଣୀଙ୍କ ଖୋଜ ଖବର ମିଳୁନଥିବାରୁ ପରିବାର ଲୋକେ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ଏଣୁ ଏଥିପ୍ରତି ପୋଲିସ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ନିଖୋଜ ଯୁବତୀଙ୍କ ସନ୍ଧାନ ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି ।