କ୍ରସର୍‌ ବନ୍ଦ କରାଯିବାକୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ନିବେଦନ କଲେ ଉଚ୍ଛବପାଲି ଗ୍ରାମବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାଁରେ ରହିଥିବା କ୍ରସର୍‌ ବନ୍ଦ କରାଯିବାକୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ଉଚ୍ଛବପାଲି ଗ୍ରାମବାସୀ । ଆଜି ଏ ସଂପର୍କରେ ସେମାନେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଉପରବାହାଲ ଗାମ ପଞ୍ଚାୟତର ଉଚ୍ଛବପାଲି ଗ୍ରାମବାସୀଙ୍କ ଅନୁସାରେ ସେମାନଙ୍କ ଗାଁଠାରୁ ମାତ୍ର ୫ ଶହ ମିଟର ବ୍ୟବଧାନ ମଧ୍ୟରେ ଷ୍ଟୋନ୍‌ କ୍ରସର୍‌ ରହିଥିବା ଯୋଗୁଁ ଶବ୍ଦ ପ୍ରଦୂଷଣ ସହ ବାୟୁ ପ୍ରଦୂଷଣ ହେବା କାରଣରୁ ଗ୍ରାମବାସୀ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କ୍ରସର୍‌ ଯୋଗୁଁ ହେଉଥିବା ପଥର ବ୍ଲାଷ୍ଟିଂ ହେତୁ ବାସଗୃହର କାନ୍ଥଗୁଡ଼ିକ ଧସି ଯାଉଥିବା ବେଳେ ଗ୍ରାମବାସୀ ସର୍ବଦା ଭୂମିକଂପ ହେଉଥିବା ଭଳି ଅନୁଭବ କରୁଛନ୍ତି । କ୍ରସର୍‌ ଗୁଣ୍ଡ ଯୋଗୁଁ ଗ୍ରାମର ଚାଷ ଜମି ଉପରେ ମଧ୍ୟ କୁପ୍ରଭାବ ପଡ଼ୁଥିବା ବେଳେ ଗାଁର ଗର୍ଭବତୀ ମହିଳାମାନେ ଗର୍ଭପାତ, ବିକଳାଙ୍ଗ ଶିଶୁ ଜନ୍ମ ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି । ପୁଣି ଏହି କ୍ରସର୍‌ ଦେଇ ଯାଇଥିବା ରାସ୍ତାରେ ସରଗାଡ଼ ସରକାରୀ ସ୍କୁଲ୍‌କୁ ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀ ଯିବା ଆସିବା କରୁଥିବା ବେଳେ ସେମାନେ ଭୟଭୀତ ହୋଇ ସ୍କୁଲ ଯିବାକୁ ଚାହୁଁ ନଥିବା ଗ୍ରାମବାସୀମାନେ ଜଣାଇଛନ୍ତି । ତେବେ ତୁରନ୍ତ ଏହି କ୍ରସର୍‌ ବନ୍ଦ କରାଯିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଠାରେ ଦାବୀ କରିଛନ୍ତି ।

Leave A Reply

Your email address will not be published.