ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିଆଲ ଗାଁରେ ଆଜକୁ ପ୍ରାୟ ଦୁଇ ବର୍ଷ ହେବ ୩୦୦ ଶଯ୍ୟା ବିଶିଷ୍ଟ ଅନ୍ୱେଷା ଛାତ୍ର ନିବାସ ଓ ୨୦୦ ଶଯ୍ୟା ବିଶିଷ୍ଟ ଅନ୍ୱେଷା ଛାତ୍ରୀ ନିବାସ ନିର୍ମିତ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଏହା ୨୦୨୧ ମାର୍ଚ୍ଚ ୨ ତାରିଖରେ ଉଦ୍ଘାଟିତ ହୋଇଥିଲେ ମଧ୍ୟ ଏ ଯାଏଁ କେଉଁ କାରଣରୁ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ବୋଲି ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହାକୁ ନିର୍ମିତ କରିଥିବା ବେଳେ ଏହି ଛାତ୍ରଛାତ୍ରୀ ନିବାସ ଭଙ୍ଗା ଦଦରା ହୋଇ ଅଳିଆ ଆବର୍ଜନା ଘାସ ଲଟା ବୁଦା ସବୁ ବଢି ଉଠିଥିବା ଅଭିଯୋଗ ହୋଇଛି । ନିର୍ମିତ ଶୌଚାଳୟ ମଧ୍ୟ ଭାଙ୍ଗି ଯାଇଥିବା ବେଳେ କବାଟଗୁଡିକ ମଧ୍ୟ ନଥିବା ଅଭିଯୋଗ ହୋଇଛି । ଜନସାଧାରଣଙ୍କ କହିବା ଅନୁସାରେ ଏହି ଛାତ୍ରଛାତ୍ରୀ ନିବାସ ଚାଲୁ ହେଲେ ଆମ ଅଞ୍ଚଳର ଛାତ୍ରଛାତ୍ରୀ ଅନ୍ୟ ଜାଗାକୁ ଯିବା ବଦଳରେ ପାଖରେ ରହି ସୂଚାରୁ ରୂପେ ପାଠ ପଢି ପାରନ୍ତେ । ଏଥିପ୍ରତି ପ୍ରଶାସନର ଏକ ଦୃଷ୍ଟି ଗୋଚର କରାଯାଉ ବୋଲି ଜନସାଧାରଣରେ ଦାବୀ ହୋଇଛି ।