centurian jitm

ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ସହ ବିଶ୍ୱ ନାଟ୍ୟ ଦିବସ ପାଳିତ ଓ ନାଟକ “ବଲଦ” ପରିବେଷଣ

ବଲାଙ୍ଗିର, (କେପିଏନ୍‌ଏସ) : ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲୀଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ମଣ୍ଡପରେ ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଆଜି ଦ୍ୱିତୀୟ ଦିବସରେ ସାମାଜିକ କର୍ମୀ ସୁଲୋଚନା ମିଶ୍ର ମାଁ ସମଲେଇଶ୍ୱରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା ପରେ ମଞ୍ଚ ଖୋଲାଯାଇଥିଲା । ମଞ୍ଚରେ ବିଶ୍ୱ ନାଟ୍ୟ ଦିବସ ପାଳନ ଉପଲକ୍ଷେ ସାଇଟ କଲେଜ ଇଂଜିନିୟରିଂ ଅଧ୍ୟକ୍ଷା ନମିତା ପଟେଲ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗଦାନ କରିଥିଲେ । ବଲାଙ୍ଗିର ମ୍ୟୁୂନିସିପାଲିଟି ଅଧ୍ୟକ୍ଷା ଲିକା ସାହୁ ଓ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଓ ବୁଲୁ ବେହେରା ମଞ୍ଚାସୀନ ଥିଲେ । ନର୍ସିଂ ଅଧ୍ୟକ୍ଷା ଲୋପାମୁଦ୍ରା ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ନର୍ସିଂ ନିର୍ଦ୍ଦେଶିକା ତୃପ୍ତିମୟୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ପ୍ରଥମେ ମଞ୍ଚଟି କଳାକାର ୰ ଖୁସିରାମ ଚାଉଲିଆଙ୍କ ସ୍ମୃତିରେ ସମର୍ପଣ କରାଯାଇଥିଲା । ତାପରେ ତୃପ୍ତିମୟୀ ମିଶ୍ର ବିଶ୍ୱ ନାଟ୍ୟ ଦିବସର ବାର୍ତ୍ତା ପଠନ ସଙ୍ଗେସଙ୍ଗେ ନାଟ୍ୟ ପରମ୍ପରା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଚାଲି ଆସୁଥିବା ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ଅତିଥି ବୃନ୍ଦ ନାଟକ କିପରି ସମାଜର ପରିବର୍ତ୍ତନ ପାଇଁ ସହାୟକ ହୁଏ ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଲୀଳା ନାଟକରେ ବିଶେଷ କରି ରାମଲୀଳାରେ ଅଭିନୟ କରୁଥିବା କଳାକାର ଡା. ରୁଦ୍ର ନାରାୟଣ ପଟେଲ, ସତ୍ୟବାଦୀ ନାଏକ, ନିରାକାର ସାଏ, ଶତୃଘ୍ନ ବେହେରା, ଶରତ ଚନ୍ଦ୍ର ପୁଟେଲ, ରମାକାନ୍ତ ମିଶ୍ର ଏବଂ ଅଂଶୁମାନ ଠାକୁର ପ୍ରମୁଖ ୭ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତାପରେ ସୋନପୁର ଜିଲ୍ଲା ବଡକର୍ଲେ ଗ୍ରାମ ସ୍ଥିତ ବୀଣାପାଣି ସାହିତ୍ୟ କଳା ସଂସଦର କଳାକାରମାନେ ସୁମନ୍ତ ଭୋଇଙ୍କ ରଚିତ ତଥା ସମୀର ସାହୁଙ୍କ ନିର୍ଦ୍ଦେଶିତ କୋଶଲି ଭାଷାର ନାଟକ “ବଲଦ” ପରିବେଷଣ କରିଥିଲେ । ବଳଦମାନେ ଚାଷୀର ଅସଲ ସଂପଦ । ବଳଦ ବଂଚିଲେ ଚାଷୀ ବଂଚିବ ଓ ଚାଷୀ ବଂଚିଲେ ଦେଶ, ଏହି ବାର୍ତ୍ତା ନେଇ ନାଟକଟି ମଞ୍ଚସ୍ଥ ହୋଇଥିଲା । ଶେଷରେ ପ୍ରହଲ୍ଲାଦ ଦର୍ଜି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.