୫୯ନଂ ଜାତୀୟ ରାଜପଥ ପାର୍ଶ୍ଵ ପୋଖରୀରେ ଭାସୁଛି ବାଇକ୍ ସହ ବାଲବେଙ୍ଗର ୨ ଯୁବକଙ୍କ ଶବ : ଦୁର୍ଘଟଣା ସନ୍ଦେହ ପୁଲିସର ତଦନ୍ତ ଜାରି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଦେଇ ଯାଇଥିବା ଜାତୀୟ ରାଜପଥ ୫୯ର ଭୋଇପଡ଼ା – ଗୁରୁଣ୍ଡା ଗ୍ରାମ ମଝି ବୁଲାଣି ତଳେ ଥିବା ଏକ ପୋଖରୀରେ ବାଇକ ସହ ୨ ଜଣ ଯୁବକଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା । ମଙ୍ଗଳବାର ସକାଳୁ ଗ୍ରାମବାସୀ ମାନେ ଏହି ଦୃଶ୍ୟ ଦେଖିବାକୁ ପାଇ ମୁରିବାହାଲ ପୁଲିସକୁ ସୂଚନା ଦେଇଥିଲେ । ରାତିରେ ଦୃତ ଗତିରେ ଯାଉଥିବା ବେଳେ ଦୁର୍ଘଟଣାରେ ଏହି ବୁଲାଣୀରେ ଭାରସାମ୍ୟ ହରାଇ ବାଇକ ସହ ଉଭୟ ଖସି ପଡ଼ିଥିବା ଜଣାପଡିଛି । ପୁଲିସ ପହଞ୍ଚି ଦମକଳ ବାହୀନି ସହାୟତାରେ ଉଭୟଙ୍କ ଶବ ଓ ବାଇକ୍ ଉଦ୍ଧାର କରିଛି । ଉଦ୍ଧାର ବାଇକଟିର ନମ୍ବର ଓଡ଼ି ୩୧ଏଫ୩୪୧୮ ଥିବା ବେଳେ ଏହା ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳର ବୋଲି ଜଣାପଡିଥିଲା । ଶେଷ ଖବର ସୁଦ୍ଧା ଉଭୟ ମୃତ ଯୁବକଙ୍କ ପରିଚୟ ଜଣାପଡିଛି । ସେମାନେ ହେଲେ ସିନ୍ଧେକେଲା ଥାନା ପରାସରା ପଞ୍ଚାୟତ ବାଲବେଙ୍ଗ ଗ୍ରାମର ରାଜା ପଣ୍ଡା (୩୦) ଓ କାଳିଆ ଓରଫ ପ୍ରକାଶ ନାୟକ (୩୬) । ଉଭୟ ବିବାହିତ ଥିବା ବେଳେ ଉଭୟଙ୍କ ସ୍ତ୍ରୀ ସହ ୨ଟି ଲେଖାଏଁ ପୁଅଝିଅ ଜୀବିତ ଥିବା ଜଣାପଡିଛି । ଉଭୟ ବଙ୍ଗୋମୁଣ୍ଡାରୁ ଟିଟିଲାଗଡ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ବାରମ୍ବାର ଏହି ବୁଲାଣୀରେ ଦୁର୍ଘଟଣା ଘଟି ଶହ ଶହ ଲୋକଙ୍କ ଜୀବନ ଯାଉଥିବା ବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଣଦେଖା କରୁଥିବା ସ୍ଵେଚ୍ଛାସେବୀ କଶ୍ୟପ ସରାଫ ଅଭିଯୋଗ କରିଛନ୍ତି । ପୁଲିସ ଉଭୟ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଥାନା ଏସଆଇ ପ୍ରମୋଦ କୁମାର ପଧାନ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଥାନା କେସ ନଂ. ୩୦୩/୨୪ରୁଜୁ ହୋଇ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ଘଟଣା ସ୍ଥଳକୁ ପହଞ୍ଚିଥିବା କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ଚରଣ ସାହୁ ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ସମ୍ପର୍କରେ ବାଇକ ଆରୋହୀମାନେ ଏହି ସ୍ଥାନରେ ସତର୍କତା ଅବଲମ୍ବନ କରି ଗାଡ଼ି ଚଳାଇବା ସହ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.