
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ଅଗ୍ରଣୀ ଲୋକନୃତ୍ୟ ଓ ନାଟ୍ୟାନୁଷ୍ଠାନ ନଟରାଜ କଳାପରିଷଦ ସବୁବେଳେ କୋଶଳାଞ୍ଚଳ (ପଶ୍ଚିମ ଓଡିଶା)ର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପ୍ରଧାନ୍ୟ ଦେଇଆସିଛି ଓ ଏହାକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା କରିବାର ଅଦମ୍ୟ ପ୍ରୟାସ ଜାରି ରଖିଛି । ଏ ବର୍ଷ ୨୫ ବର୍ଷ ପୂର୍ତ୍ତି ଅବସରରେ ଚଳିତ ନଭେମ୍ବର ୧୮,୧୯ ଓ ୨୦ ତାରିଖରେ ସ୍ଥାନୀୟ କୋଶଳ କଳା ମଣ୍ଡଳଠାରେ ନଟରାଜ କଳା ପରିଷଦର ରଜତ ଜୟନ୍ତୀ ସମାରୋହ ପାଳନ ହେବ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି ବୋଲି ଅନୁଷ୍ଠାନର ସଭାପତି ହରିନାରାୟଣ ପୁଜାରୀ କହିଥିବା ବେଳେ ରଜତ ଜୟନ୍ତୀ ସମାରୋହର ଅଧ୍ୟକ୍ଷ ଡ. ଶ୍ରୀକର ମିଶ୍ର ସମାରୋହର ସବିଶେଷ ବିବରଣୀ ଉପସ୍ଥାପନ କରି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ରଜତ ଜୟନ୍ତୀ ଉତ୍ସବକୁ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଲଳିତ ନାୟକଙ୍କୁ ଉତ୍ସର୍ଗ କରାଯାଇଥିବା ବେଳେ କଳା ଓ ସେବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ତିନିଜଣ ବ୍ୟକ୍ତି ବିଶେଷଙ୍କୁ ୰ସୁବାସ ପୁଜାରୀ ସ୍ମୃତିରେ କୋଶଳ ଗୌରବ ନାଟ୍ୟ ସମ୍ମାନ – ପ୍ରାଧ୍ୟାପକ ଚୁଡାମଣି ରଥଙ୍କୁ, ୰ଲଳିତ ନାୟକ ସ୍ମୃତିରେ ଲଳିତ ନାୟକ ସେବା ସମ୍ମାନ – ଡା.ବେଣୁଧର ପାଣ୍ଡେଙ୍କୁ ଓ ୰ଜ୍ୟୋତିରଂଜନ ପାଣିଗ୍ରାହୀ ସ୍ମୃତିରେ ଯୁବକଳାକାର ନଟରାଜ ସମ୍ମାନ – ଲଳିତ ପୁଜାରୀଙ୍କୁ ପ୍ରଦାନ କରାଯିବ । ନାଟ୍ୟ ନିର୍ଦ୍ଦେଶକ ଅଧ୍ୟାପକ ପ୍ରଶାନ୍ତ ଖମାରୀଙ୍କୁ ଗୁରୁ ସମ୍ମାନ ପ୍ରଦାନ କରାଯିବ । ଏହି ଅବସରରେ ସମାନ ମଞ୍ଚରେ ଜଣେ ନିର୍ଦ୍ଦେଶକ ଓ ସମାନ କଳାକାରଙ୍କୁ ନେଇ ଏକାଥରକେ ୬ଟି ନାଟକ ପ୍ରଦର୍ଶନ କରିବାର ବିରଳ ଦୃଷ୍ଟାନ୍ତ ନଟରାଜ କଳାପରିଷଦ ଉପସ୍ଥାପନ କରିବ । କୋଶଳାଂଚଳର ଭାଷା, ବେଶଭୁଷା ଓ ପରିପାଟିରେ ବିଭିନ୍ନ ବର୍ଗର ନାଟକ ମଞ୍ଚସ୍ଥ କରି ଏହି ଉତ୍ସବକୁ ସ୍ୱତନ୍ତ୍ର କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ରଜତ ଜୟନ୍ତୀ ପାଇଁ ନଟରାଜ କଳାପରିଷଦ କୋଶଲୀ ଭାଷାରେ ପ୍ରସ୍ତୁତ କରିଛି ପାଞ୍ଚଟି ନାଟକ ଓ ଗୋଟିଏ ନୃତ୍ୟ ନାଟିକା । ଅଧ୍ୟାପକ ପ୍ରଶାନ୍ତ ଖମାରୀଙ୍କ ନିର୍ଦ୍ଦେଶନାରେ ୧୮ ତାରିଖରେ ସାମାଜିକ ନାଟକ “ଆଶାପୁରନୁ ଆମେରିକା” ଓ ବାସ୍ତବଧର୍ମୀ ନାଟକ “ଅ-ଆ-ଇ”, ୧୯ରେ ମାନବଧର୍ମୀ ନାଟକ “ଘା” ଓ ପୌରାଣୀକ ନାଟକ “ଯଯାତି”ଏବଂ ୨୦ରେ ଐତିହାସିକ ନାଟକ “ପୃଥ୍ୱୀରାଜ” ଓ ନୃତ୍ୟନାଟିକା “ନାବକେଲି” ପ୍ରଦର୍ଶିତ ହେବ । ଏହାକୁ ୱିଙ୍ଗସ-୬ ନାମରେ ଅଭିହିତ କରାଯାଇଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଲୋକନୃତ୍ୟ ପରିବେଷଣ ଓ ସଭାକାର୍ଯ୍ୟ ପରେ ସନ୍ଧ୍ୟା ୭ଟା ରୁ ନାଟକ ପରିବେଶଣ ହେବ । ୧୮ ଓ ୧୯ ତାରିଖରେ କୋଶଳ କଳାମଣ୍ଡଳ ପୁରୁଣା ମଞ୍ଚରେ ନାଟକ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ସମସ୍ତେ ଉପସ୍ଥିତ ରହି ବଲାଙ୍ଗିରର ମଞ୍ଚନାଟକ ପରମ୍ପରାକୁ ଆଗେଇ ନେବା ପାଇଁ ନଟରାଜ କଳା ପରିଷଦ ତରଫରୁ ଅନୁରୋଧ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ଡା.ମିଶ୍ର, ସଭାପତି ଶ୍ରୀ ପୂଜାରୀଙ୍କ ସହ ନିର୍ଦ୍ଦେଶକ ପ୍ରଶାନ୍ତ ଖମାରୀ, ମଧୁସୂଦନ ନାୟକ, ରାମପ୍ରସାଦ ଦାସ, ପ୍ରହଲ୍ଲାଦ ଦର୍ଜୀ ଉପସ୍ଥିତ ଥିଲେ ।