ନଟରାଜ କଳା ପରିଷଦ ବଲାଙ୍ଗିରର ନାଟକ ମହୋତ୍ସବ ୨୦୨୫ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଳ କଳା ମଣ୍ଡଳ ବଲାଙ୍ଗିର ଠାରେ ନଟରାଜ କଳା ପରିଷଦ ବଲାଙ୍ଗିରର ନାଟକ ମହୋତ୍ସବ ୨୦୨୫ ର ଉଦ୍‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସୋନପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଥିଲେ ବରିଷ୍ଠ ସାମ୍ବାଦିକ ମନରଂଜନ ଯୋଷୀ ଓ ଲୋୟର ସୁକତେଲ ଏସ୍‌.ଇ. ସୁରେନ୍ଦ୍ର କୁମାର ସେଠ । ହରିନାରାୟଣ ପୁଜାରୀ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଅଧ୍ୟକ୍ଷ ଡ. ଶ୍ରୀକର ମିଶ୍ର ସଭା ପରିଚାଳନା କରିଥିଲେ ଓ ପ୍ରାଧ୍ୟାପକ ପ୍ରଶାନ୍ତ ଖମାରୀ ସ୍ୱାଗତ ଭାଷଣ ତଥା ଆଲୋଚନା କରିଥିଲେ । ଏହି ଅବସରରେ ବଲାଙ୍ଗିରର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଲଳିତ ନାୟକଙ୍କ ସ୍ମୃତିରେ ଡ. ରୁଦ୍ର ନାରାୟଣ ପଟେଲଙ୍କୁ ନଟରାଜ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ‘ବା’ ଓ ‘ଜମିଦାର’ ନାଟକର ନିର୍ଦ୍ଦେଶକ ପ୍ରହ୍ଲାଦ ଦର୍ଜି, ତ୍ରଶଙ୍କୁ ଓ ପାରଶ ମଣି ନାଟକର ନିର୍ଦ୍ଦେଶକ ସତ୍ୟବ୍ରତ ଆଚାର୍ଯ୍ୟ, ଯାଦୁବାଲା ଓ ଭୁଲତା ନାଟକର ନିର୍ଦ୍ଦେଶକ ରାମ ପ୍ରସାଦ ଦାଶଙ୍କୁ ସମ୍ମାନିତ କରାଯାଇଥିଲା । ନଟରାଜ କଳା ପରିଷଦର ନିର୍ଦ୍ଦେଶକ ପ୍ରହ୍ଲାଦ ଦର୍ଜି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରେମ କେତେବେଳେ ସୁବାଷିତ ଫୁଲ ଭଳି ତ କେତେବେଳେ କଣ୍ଟାଭରା ଡାଳଟିଏ । ପ୍ରେମ ପବିତ୍ର ଅମୃତମୟ ଯଦି ତାହା ସ୍ୱାର୍ଥ ବାହାରେ ରହିଥାଏ ଓ ଉଦ୍ଦେଶ୍ୟ ପ୍ରଣଦିତ ହୋଇନଥାଏ । ସ୍ୱାର୍ଥ ଏବଂ କୁ ଉଦ୍ଦେଶ୍ୟ ପ୍ରେମକୁ କରିଥାଏ ବିଷମୟ । ଏହି ବିଷ ଥରେ ପ୍ରେମ ସହିତ ମିଶି ଗଲେ ତାହା ଜୀବନକୁ ହନ୍ତସନ୍ତ କରିଦିଏ । ଏଥିପାଇଁ ଦାୟୀ ପ୍ରେମ ନୁହେଁ, ସ୍ୱାର୍ଥନୈଶି ମଣିଷ ହିଁ ଏଥି ପାଇଁ ଦାୟୀ । ଏହା ଉପରେ ଆଧାରିତ ହୋଇ ପ୍ରଦର୍ଶିତ ହୋଇଥିଲା ଉଦ୍‌ଯାପନି ଉତ୍ସବର ପ୍ରଥମ ନାଟକ ‘ଭୁଲତା’ ଯାହାର ରଚୟିତା ବିଶିଷ୍ଟ ନାଟ୍ୟକାର ଅଶୋକ ବହିଦାର, ନିର୍ଦ୍ଦେଶନା ଦେଇଥିଲେ ରାମ ପ୍ରସାଦ ଦାଶ । ସଂଗୀତ ଦେଇଥିଲେ ଗଣେଶ ପୁଝାରୀ । ଅଭିନୟରେ ଭାଗ ନେଇଥିଲେ ଅରୁଣ, ମିଲି, ବିଶ୍ୱଜିତ, ମାନସ, ଦେବ ଓ ଆନନ୍ଦ । ଗବେଷଣା କରି ବିଜ୍ଞାନରେ ନୂତନ କିଛି ଉଦ୍ଭାବନ କରିବା କିଛି ନୂଆ କଥା ନୁହେଁ । ମାତ୍ର ଗବେଷକ ଯଦି ପଥଚ୍ୟୁତ ହୋଇଯାନ୍ତି ତା’ର କୁପରିଣାମ କେବଳ ସେ ଭୋଗ କରନ୍ତି ନାହିଁ ଅଧିକନ୍ତୁ ଏହା ସମାଜ ଉପରେ ଗର୍ବିତ ପ୍ରଭାବ ପକାଏ । ଏହାକୁ ନେଇ ପ୍ରଦର୍ଶିତ ହୋଇଥିଲା ଦ୍ୱିତୀୟ ନାଟକ ‘ପାରଶମଣି’ । ନାଟକଟିକୁ ଦେବରାଜ ସାହୁ ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ସତ୍ୟବ୍ରତ ଆଚାର୍ଯ୍ୟ ଓ ସଂଗୀତ ଦେଇଥିଲେ ଗଣେଶ ପୁଜାରୀ । ଅଭିନୟରେ ଥିଲେ ହରି, ସଂଜିବ, କୁମୁଦ, ନୁର, ଲଳିତ, ପିଣ୍ଟୁ ଓ ଆନନ୍ଦ ।

Leave A Reply

Your email address will not be published.