ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ନରସିଂହ : ପଶ୍ଚିମ ଓଡିଶାକୁ କ୍ରମାଗତ ଅବହେଳା ଓଡିଶାକୁ ୨ ଭାଗ କରିପାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାମ୍ବାଦିକ ସମ୍ମିଳନୀରେ ଗର୍ଜିଛନ୍ତି ନରସିଂହ । ପଶ୍ଚିମ ଓଡିଶାକୁ କ୍ରମାଗତ ଅବହେଳା ଓଡିଶାକୁ ୨ ଭାଗ କରିପାରେ । ଗଡଜାତ ମିଶ୍ରଣ ସମୟରେ ସର୍ତ୍ତ ଥିଲା ଗଡଜାତ ଅଂଚଳ ଯେତେ ସୁବିଧା ପାଉଛି ସେ ସବୁ ସୁବିଧା ମିଶ୍ରଣ ପରେ ମଧ୍ୟ ବଳବତ୍ତର ରହିବ କିନ୍ତୁ ସ୍ୱାଧୀନତା ପରେ ସରକାରମାନେ ସେ ସର୍ତ୍ତ ପୂରଣ କରିନାହାନ୍ତି । ଏଠାରେ ଗଡଜାତ ସମୟରେ ଲୋକେ ହାଇକୋର୍ଟର ସୁବିଧା ପାଇପାରୁଥିଲେ । କିନ୍ତୁ ପରବର୍ତ୍ତି ସମୟରେ ସେହି ସୁବିଧାରୁ ଲୋକେ ବଂଚିତ ରହିଲେ । ଯଦିଓ ଏଠାକାର ଜଜ୍‌ଙ୍କୁ ରେଜିଷ୍ଟ୍ରାରର କ୍ଷମତା ଦିଆଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ଲୋକେ କେସ୍‌ ଲଢିବା ପାଇଁ କଟକକୁ ଯିବାକୁ ପଡ଼ୁଛି । ତେଣୁ ବହୁ ଦିନର ହାଇକୋର୍ଟ ବେଂଚ ଦାବି ସରକାର ନମାନି ପଶ୍ଚିମ ଓଡିଶା ପ୍ରତି କ୍ରମାଗତ ଅବହେଳା ଜାରି ରଖୁଥିବାରୁ ଏହା ଓଡିଶାକୁ ଭାଗ ଭାଗ କରିଦେବ ବୋଲି ଆଜି ସ୍ଥାନୀୟ ସାର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ଟାର୍ଗେଟ କରି ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ଗର୍ଜିଛନ୍ତି । ସେ ଏହି ମର୍ମରେ କହିଛନ୍ତି ଯେ ୨୪ ବର୍ଷର ନବୀନ ସରକାର ଦୀର୍ଘ ଦିନ ଧରି ହାଇକୋର୍ଟ ବେଂଚକୁ ନେଇ ଏକ ଠୋସ ପ୍ରସ୍ତାବ କେନ୍ଦ୍ରକୁ ଦେଲେନାହିଁ । ଏପଟେ ବର୍ତ୍ତମାନର ନୂତନ ବିଜେପି ସରକାର ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ଦରକାର ନାହିଁ ବୋଲି କହି ଆମ ପ୍ରତି ଥିବା ବୈମାତୃକ ମନୋଭାବକୁ ଦୁଇଗୁଣ କରିଛନ୍ତି । ଠିକ ସେହିପରି ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନର ଲକ୍ଷ୍ୟ ଥିଲା ରାଜ୍ୟର ଆଂଚଳିକ ବୈଷମ୍ୟ, ଅସମତୁଳ ବିକାଶକୁ ଦୂର କରି ପଶ୍ଚିମାଂଚଳର ବିକାଶ କରିବ, କିନ୍ତୁ ବିଡମ୍ବନା ଆଜି ପର୍ଯ୍ୟନ୍ତ ପଶ୍ଚିମ ଓଡିଶା ବିକାଶ ପାଣ୍ଠିକୁ ପରିଷଦ କେବଳ ଅତି କ୍ଷୁଦ୍ର କ୍ଷୁଦ୍ର ପ୍ରକଳ୍ପରେ ସମଗ୍ର ପାଣ୍ଠିକୁ ଶେଷ କରିଦେଉଛନ୍ତି । ତେଣୁ ପରିଷଦ ଯେଉଁ ଉଦ୍ଦେଶ୍ୟରେ ଗଠନ ହୋଇଥିଲା ସେହି ଲକ୍ଷ୍ୟରୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଦୂରେଇ ଯାଇଛି । ସେ ଆହୁରି କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରୁ ପଶ୍ଚିମାଂଚଳକୁ ଆସିପାରିନାହିଁ । ମୋଟାମୋଟି ଭାବେ କୁହାଯାଇ ପାରେ, ପଶ୍ଚିମ ଓଡିଶା ବିକାଶ ପରିଷଦ ବର୍ତ୍ତମାନ ମୃତବତ ପଡି ରହିଛି । ୨୦୧୪ରେ ତତ୍କାଳୀନ ସରକାର ପଶ୍ଚିମ ଓଡିଶାରେ ଏକ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନକୁ ନେଇ ତତ୍କାଳୀନ ରାଜ୍ୟପାଳ ବକ୍ତବ୍ୟ ରଖିଥିଲେ, କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ତାହା ସମ୍ଭବ ହୋଇ ପାରିଲାନାହିଁ । ଦଳ ବଦଳି ପାରେ, ମାତ୍ର ସରକାର ଏକ କ୍ରମାଗତ ପ୍ରକ୍ରିୟା, ତେଣୁ ମୋର ଦାବି ବର୍ତ୍ତମାନର ବିଜେପି ସରକାର ଏ ଅଂଚଳ ଦୀର୍ଘ ଦିନର ଦାବି ତଥା ସରକାରର ପ୍ରତିଶୃତି ହିସାବରେ ଆମ ଅଂଚଳରେ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ କରୁ । ଏହା ସହ ପୂର୍ବତନ ସରକାରର ଶେଷ ବିଧାନସଭା ଅଧିବେଶନରେ ତତ୍‌କାଳୀନ ଶିଳ୍ପମନ୍ତ୍ରୀ ବଲାଙ୍ଗିରରେ ୨ଟି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠାକୁ ନେଇ ଦେଇଥିବା ପ୍ରତିଶୃତି ବର୍ତ୍ତମାନର ସରକାର ପୂରଣ କରି ଆମ ଅଂଚଳରେ ଥିବା ଦାଦନ ସମସ୍ୟା, ବେରୋଜଗାରିରୁ ଆମ ଲୋକଙ୍କୁ ମୁକ୍ତି ଦିଅନ୍ତୁ । ବିଶେଷ କରି ଆମ ଦାବି ରହିବ ଯେହେତୁ ବଲାଙ୍ଗିର ଏକ କପା ଉତ୍ପାଦନକାରୀ ଜିଲ୍ଲା ଏଠାରେ ଟେକ୍ସଟାଇଲ ମିଲ ଓ ପୂର୍ବରୁ ଦେଇଥିବା ପ୍ରତିଶୃତି ଇଥାନଲ ଶିଳ୍ପ ପ୍ରତିଷ୍ଠା କରନ୍ତୁ ବୋଲି ନରସିଂହ ଦାବି କରିଥିଲେ । ମେଡାକାଲ କଲେଜ ଓ ଲୋୟର ସୁକତେଲ ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଥିଲେ ଲୋୟର ସୁକତେଲ ଓ ମେଡିକାଲ କଲେଜକୁ ତତ୍କାଳୀନ ସରକାର ନିର୍ବାଚନ ଭୟରେ ଅଧାପନ୍ତରିତା ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ । ତେଣୁ ତତ୍କାଳିନ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ମୁଁ ସରକାରଙ୍କୁ ତୀବ୍ର ଭର୍ସନା କରିଥିଲି । ଠିକ୍‌ ସେହି ପରି ଅଧାପନ୍ତରିଆ ଥିବା ଭୀମଭୋଇ ମେଡିକାଲ କଲେଜ ଉଦ୍‌ଘାଟନ ସମୟରେ ମୁଁ ଅଧାରୁ ବିରୋଧ କରି ଓା୍ୱକ୍‌ଆଉଟ କରିଥିଲି । ତେଣୁ ଲୋକେ ବୁଝନ୍ତୁ ସରକାରମାନେ ଆମ ଲୋକଙ୍କୁ କିପରି ଭୁଆଁ ବୁଲାଇବା ସହ ଆମ ଅଂଚଳ ପ୍ରତି କିଭଳି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି, ଏହା ବର୍ତ୍ତମାନ ଆହୁରି ଉତ୍କଟ ହେଲାଣି । ତେଣୁ ଏହି ସ୍ଥିତି ବଳବତ୍ତର ରହିଲେ ଆଗକୁ ନିଶ୍ଚୟ ଓଡିଶା ୨ ଭାଗ ହୋଇ ପଶ୍ଚିମ ଓଡିଶାରେ କୋଶଲ ରାଜ୍ୟ ଗଠନ ହେବ ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଥିଲେ । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିକାଶକୁ ଅଣଦେଖା କଲେ ଅଂଚଳର ଲୋକେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ଓ ଆନ୍ଦୋଳନମୁହାଁ ହୁଅନ୍ତୁ ବୋଲି ଆହ୍ୱାନ ଜଣାଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ବୁଲୁ ଦାନୀ, ଅଜୟ ବାଲି, ସାନନ୍ଦ ମିଶ୍ର, ବିରେନ୍ଦ୍ର ମିଶ୍ର, ଜୁଲୁ ପଟ୍ଟନାୟକ, ଅନନ୍ତ ବେହେରା, ମାନସ ମହାନ୍ତି, ଅଙ୍କିତ ସାହୁ, ନାସିର ଖାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.