ସହର ଭିତରେ ରାସ୍ତା ଉପରେ ଆଣ୍ଠୁଏ ନର୍ଦ୍ଦମା ପାଣି : ପ୍ରଶାସନର ନଜର୍‌ ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ରାସ୍ତା ଉପରେ ଆଣ୍ଠୁଏ ନର୍ଦ୍ଦମା ପାଣି ଜମି ରହିଥିବା ବେଳେ ଲୋକେଙ୍କ ଯାତାୟାତରେ ଘୋର୍‌ ଅସୁବିଧା ସୃଷ୍ଟି ହେଉଛି । କିନ୍ତୁ ଏଥିପ୍ରତି ପ୍ରଶାସନର ନିଘା ନଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେଉଛି । ସୂଚନାଯୋଗ୍ୟ ଯେ, ସହରର କଲେଜ ଛକରେ ଥିବା ମିଶନ ଫିଲ୍‌ଡ ମୁଣ୍ଡରେ ବଲାଙ୍ଗିର-ପାଟଣାଗଡ଼ ରାସ୍ତାରୁ ହାତୀଶାଲପଡ଼ାକୁ ରାସ୍ତା ସଂଯୋଗ ହୋଇଥିବା ସ୍ଥାନରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି । ସଦର ବ୍ଲକ୍‌ ଅଫିସ ପଛପାଖରେ ଥିବା ଆଧାର କେନ୍ଦ୍ର ସାମ୍ନାରେ ବର୍ଷ ସାରା ନର୍ଦ୍ଦମା ପାଣି ଜମି ରହୁଥିବା ବେଳେ ସ୍ଥାନୀୟ ଲୋକେ ଅଭିଯୋଗ କରି କରି ହାଲିଆ ହୋଇ ସାରିଥିବା ଅଭିଯୋଗ କରିଛନ୍ତି । ଆଧାର କେନ୍ଦ୍ର ନିକଟରେ ପିଏଚ୍‌ଡି ପାଇପ୍‌ ଲିକେଜ୍‌ ସାଂଗକୁ ଏହି ରାସ୍ତା ଉପରେ ହିଁ ଛୁଟୁଛି ନର୍ଦ୍ଦମା ପାଣି । ପ୍ରତ୍ୟହ ଏହି ରାସ୍ତା ଉପରେ ହଜାର ହଜାର ଲୋକେ ଯାତାୟତ କରୁଛନ୍ତି । ଏପରିକି ଅନ୍‌ ଲାଇନ୍‌ ଆଧାର୍‌ କାଡର଼୍ ତିଆରି ପାଇଁ ଆଧାର କେନ୍ଦ୍ରକୁ ମଧ୍ୟ ବହୁ ସଂଖ୍ୟାରେ ଲୋକେ ଯିବା ଆସିବା କରୁଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ୍‌ ହେବା ପାଇଁ ପ୍ରତ୍ୟେକ ଜିଲ୍ଲାର ପ୍ରଶାସନ ଆଗଭର ହେଉଥିବା ବେଳେ ବଲାଙ୍ଗିର ପ୍ରଶାସନର ଏଭଳି ନୀରବଦ୍ରଷ୍ଟା ମୁଦ୍ରା ସାଧାରଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ପକାଇଛି । ଅନ୍ୟପଟେ ସେହିପରି ମୁଖ୍ୟ ରାସ୍ତାରୁ ଠିକାଦାରପଡ଼ା ଆଡ଼କୁ ଯାଇଥିବା ରାସ୍ତାର ଅବସ୍ଥା ବି ଶୋଚନୀୟ ହୋଇପଡ଼ିଛି । ରାସ୍ତା ଉପରେ ଛୁଟୁଛି ନର୍ଦ୍ଦମା ପାଣି । ଯିଏ ପଡ଼ା ଭିତରକୁ ଯିବ, ସିଏ ଏହି ଦୁଷିତ ନର୍ଦ୍ଦମା ପାଣି ଦେଇ ହିଁ ଯିବ । ଗଣମାଧ୍ୟମରେ ଅନେକ ଥର ଖବର ପ୍ରସାରଣ ପରେ ମଧ୍ୟ ବଲାଙ୍ଗିର ମ୍ୟୁନିସିପାଲିଟିର ନିଦ ଭାଙ୍ଗି ନଥିବା ସହରବାସୀଙ୍କୁ ହତାଶ କରିଥିବା ବେଳେ ମ୍ୟୁନିସିପାଲିଟିର ଏଭଳି ସ୍ଥାଣୁ ଅବସ୍ଥା ଯୋଗୁଁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଆଗାମୀ ସମୟରେ ଏକ ବଡ଼ ଧରଣର ଆନ୍ଦୋଳନକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.