ବାଲ୍ୟ ବନ୍ଧୁ ତଥା ସାମ୍ବାଦିକ ସତ୍ୟ ବେହେରାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ନରସିଂହ

  • ସାମ୍ବାଦିକତା କ୍ଷେତ୍ରରେ ସତ୍ୟ ଚିର ସ୍ମରଣୀୟ ହୋଇ ରହିବ – ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମଧ୍ୟାହ୍ନ ସମୟରେ ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ବେହରାଙ୍କ ବିୟୋଗ ଘଟିଛି । ବାଲ୍ୟ ବନ୍ଧୁଙ୍କ ବିୟୋଗରେ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ନିଜ ଶୋକ ବାର୍ତ୍ତାରେ କହିଛନ୍ତି ଯେ, ସତ୍ୟ ମୋର ବାଲ୍ୟ ବନ୍ଧୁ ଥିଲା । ସ୍କୁଲ ସମୟରୁ ଆମେ ଏକ ସାଙ୍ଗରେ ପଢୁଥିଲୁ । ସ୍କୁଲର ଅନେକ କାର୍ଯ୍ୟକ୍ରମରେ ଆମେ ଯୋଗଦାନ କରିଛୁ । ସ୍କୁଲ ପରେ ମୁଁ ପାଠ ପଢିବା ପାଇଁ ଅନ୍ୟତ୍ର ଯାଇଥିବା ବେଳେ ତା ସହିତ କିଛି ସମୟ ଦୂରରେ ବ୍ୟତିତ କରିଥିଲି । ପରବର୍ତ୍ତି ସମୟରେ ସେ ସାମ୍ବାଦିକତା ଆରମ୍ଭ କରିଥିଲା । ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ସମ୍ବାଦ ପତ୍ରରେ ସମ୍ମାନ ଓ ନିର୍ଭିକତାର ସହ କାମ କରି ସାରା ରାଜ୍ୟରେ ସେ ବେଶ ନାଁ କରିଥିଲା । ମୁଖ୍ୟତଃ ତାର ବିଭିନ୍ନ ଗଠନମୂଳକ ଲେଖାରେ ସିଦ୍ଧ ହସ୍ତ ଥିଲା । ସେସବୁ ଲେଖା ସମାଜର ବିଭିନ୍ନ ସମସ୍ୟା ଦୂର କରିବାରେ ପ୍ରଶାସନ ଓ ସରକାରଙ୍କ ପାଇଁ ଖୁବ ସହାୟକ ହେଉଥିଲା । ତା’ଛଡା ସାଥୀ ସାମ୍ବାଦିକମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ସେ ଆଜୀବନ ଚେଷ୍ଟାରତ ଥିଲା । ଅନ୍ୟ ବନ୍ଧୁଙ୍କ ସହ ଉଦ୍ୟମ କରି ବଲାଙ୍ଗିରରେ ଏକ ସାମ୍ବାଦିକ ସଂଘ ପ୍ରତିଷ୍ଠା କରିବା ସହ ସଂଘର ପ୍ରଥମ ସଭାପତି ଭାବେ କାମ କରିଥିଲା । ପରେ ପରେ ସେ କଳା ସଂସ୍କୃତି, ନାଟ୍ୟ ଓ ସାହିତ୍ୟ ଦିଗରେ ଅକର୍ଷିତ ହେବା ସହ ସେ ଦିଗରେ ମଧ୍ୟ ଭଲ ପ୍ରତିଭା ଅଧିକାରୀ ହୋଇ ପାରିଥିଲା । ତା ଭଳି କେହି ଆଜୀବନ ସାମ୍ବାଦିକତା କରିଥିବା ଖୁବ କ୍ୱଚିତ ଦେଖାଯାଏ । ସାମ୍ବାଦିକତା କ୍ଷେତ୍ରରେ ସତ୍ୟ ଚିରସ୍ମରଣୀୟ ରହିବ । ଆଜି ଗୋଟି ଗୋଟି କରି ସମସ୍ତ କଥା ମନେ ପଡୁଛି । ତାର ଆବର୍ତ୍ତମାନରେ ଆଜି ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି, ତାହା ଆଉ କେହି ପୂରଣ କରି ପାରିବେ ନାହିଁ । ବଲାଙ୍ଗିରରେ ତା’ ଭଳି ଆଉ ଜଣେ ପ୍ରତିଭା ଜନ୍ମ ନେବା ଅସମ୍ଭବ ଜଣା ପଡୁଛି । ତାର ବିୟୋଗରେ ମୁଁ ଖୁବ ମର୍ମାହତ । ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରୁଛି । ଏଭଳି ଦୁଃଖଦ ସମୟର ସମ୍ମୁଖୀନ ହେବା ଇଶ୍ୱର ପରିବାର ତଥା ବନ୍ଧୁବର୍ଗଙ୍କୁ ଧାର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.