- ସମସ୍ତ ନ୍ୟାର୍ଯ୍ୟ ଦାବୀକୁ ନେଇ ମନ୍ତ୍ରୀ ଓ ସଚିବ ସ୍ତରରେ ହେବ ଆଲୋଚନା
- ଦାବୀକୁ ନେଇ ବିଧାନସଭାରେ ହେବ ଲଢେଇ : ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମଧ୍ୟାହ୍ନ ଘ.୧୨ରେ ସ୍ଥାନୀୟ ସରକାରୀ ଆୟୁର୍ବେଦିକ କଲେଜ ସମ୍ମୁଖରେ ହୋମିଓପ୍ୟାଥି ମେଡିକାଲ ଷ୍ଟୁଡେଷ୍ଟ ଏସୋସିଏସନ୍ ଏବଂ ଆୟୁର୍ବେଦିକ ମେଡିକାଲ ଷ୍ଟୁଡେଣ୍ଟ ଏସୋସିଏସନ୍ଙ୍କ ମିଳିତ ମଂଚ ଓ ଅଲ ଓଡିଶା ଆୟୁଷ ଷ୍ଟୁଡେଣ୍ଟ ଏସୋସିଏସନ୍ଙ୍କ ଡାକରାରେ ସାରା ରାଜ୍ୟରେ ଆୟୁଷ ଡାକ୍ତରୀ ଛାତ୍ରମାନଙ୍କର ତାଙ୍କର ବିଭିନ୍ନ ଦାବୀକୁ ନେଇ ଆନ୍ଦୋଳନ ଜାରି ରହିଛି । ରାଜ୍ୟ ସଭାପତି ଡା. ରାଜେଶ ମିଶ୍ର ଓ ସାଧାରଣ ସଂପାଦିକା ଡା. ଲୋପାମୁଦ୍ରା ଖଟୁଆଙ୍କ ଆବାହକତ୍ୱରେ ରାଜ୍ୟ ୩୦ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆୟୁଷ ଛାତ୍ର ସଂଘ ଏହି ଆନ୍ଦୋଳନକୁ ଜାରି ରଖିଛନ୍ତି । ଆଜି ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାର କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଆନ୍ଦୋଳନ ସ୍ଥଳକୁ ଯାଇ ଛାତ୍ରମାନଙ୍କ ସହ ତାଙ୍କ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ପୂର୍ବରୁ ଜିଲ୍ଲା ଆୟୁଷ ଛାତ୍ର ସଂଘ ଏବଂ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟର ଛାତ୍ର ସଂସଦର କର୍ମକର୍ତ୍ତାମାନେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଭେଟି ତାଙ୍କ ଆନ୍ଦୋଳନ ଓ ଦାବୀକୁ ନେଇ ଅବଗତ କରାଇଥିଲେ । ଆଜି ଧାରଣା ସ୍ଥଳରେ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଏହି ଆନ୍ଦୋଳନ ଆୟୁଷ ଡାକ୍ତରୀ ଛାତ୍ରମାନଙ୍କ ନ୍ୟାର୍ଯ୍ୟ ଦାବୀକୁ ନେଇ ସାରା ରାଜ୍ୟରେ ସଂଗଠିତ ହୋଇଛି । ମୁଁ ଏହି ଆନ୍ଦୋଳନକୁ ଏବଂ ଦାବୀକୁ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରୁଛି । ଆଗାମୀ ସପ୍ତାହରେ ଏହି ଡାକ୍ତରୀ ଛାତ୍ରମାନଙ୍କ ଦାବୀକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିବେ ଆଶା ଅଛି ନିଶ୍ଚୟ ଏହାର ନିସ୍କର୍ଷ ବାହାରିବ ବୋଲି ଆନ୍ଦୋଳନରତ ଡାକ୍ତରୀ ଛାତ୍ର ଛାତ୍ରୀମାନଙ୍କୁ କହିଥିଲେ । ଏହା ସହ ଆଲୋଚନାରେ ଯଦି କୌଣସି ପ୍ରକାର ବିଫଳତାର ସୁରାକ ମିଳେ ତେବେ ଆଗାମୀ ୨୨ ତାରିଖରେ ହେବାକୁ ଥିବା ବିଧାନସଭା ଅଧିବେଶନରେ ଏହି ଦାବୀଗୁଡିକୁ ନେଇ ଜୋରଦାର ଆଲୋଚନା ହେବ ଏବଂ ଯେ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନଙ୍କ ସମସ୍ୟା ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ସରକାରକୁ ଛଡାଯିବ ନାହିଁ ବୋଲି କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଆୟୁଷ ଡାକ୍ତରୀ ଛାତ୍ରମାନେ ଏଲୋପଥି ଡାକ୍ତରୀମାନଙ୍କ ସମକକ୍ଷ ରୋଗୀ ସେବା କରୁଥିଲେ ହେଁ ଗତ ୨୧ ବର୍ଷ ହେଲା ଗୋଟିଏ ବି ନୂତନ ପୋଷ୍ଟ ସୃଷ୍ଟି କରାଯାଇନାହିଁ । ତେଣୁ ହୋମିଓପ୍ୟାଥିରେ ୫୦୦ ଏବଂ ଆୟୁର୍ବେଦିକରେ ୫୦୦ ମେଡିକାଲ ଅଫିସର ପଦବୀ ଏହି ଆର୍ଥିକ ବର୍ଷରେ ସୃଷ୍ଟି କରିବା ପାଇଁ ଦାବୀ କରାଯାଇଛି । ତା’ପରେ ପ୍ରତ୍ୟେକ ବର୍ଷ ୧୦୦ ଲେଖାଏଁ ଏଚ୍ଏମ୍ଓ ଏବଂ ଏଏମ୍ଓ ପରବର୍ତି ବର୍ଷମାନଙ୍କରେ ନାମ କମିଟିର ଦରକାର ହିସାବରେ ସୃଷ୍ଟି କରିବା ପାଇଁ ଦାବୀ କରାଯାଇଛି । ବର୍ତମାନ ଆୟୁର୍ବେଦକ ମେଡିକାଲ ଅଫିସରମାନେ ପାଉଥିବା ଭତ୍ତା ପରିମାଣର ଆହୁରି ୫୦ ପ୍ରତିଶତ ବଢାଯିବାର ଦାବୀକୁ ନେଇ ମଧ୍ୟ ସାରା ରାଜ୍ୟରେ ଏହି ଆୟୁଷ ଡାକ୍ତର ସଂଘ ଆନ୍ଦୋଳନରତ ଅଛନ୍ତି । ଡାକ୍ତରି ଛାତ୍ରମାନେ କହିଛନ୍ତି ଯେ, ସାରା ରାଜ୍ୟରେ ଚିକିତ୍ସା କ୍ଷେତ୍ରରେ ସେମାନେ ଉତ୍ତମ ସେବା ପ୍ରଦାନ କରୁଥିଲେ ହେଁ ତାଙ୍କ ନିଯୁକ୍ତି, ଭତ୍ତା ପ୍ରଦାନ, ପଦବୀ ସୃଷ୍ଟିକୁ ନେଇ ଅନେକ ଅସଙ୍ଗତି ଅଛି ସେଥି ପାଇଁ ଏ ସବୁର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ । ଆନ୍ଦୋଳନ ସ୍ଥଳରେ ବିଧାୟକ ଶ୍ରୀ ମିଶ୍ର ଡାକ୍ତରୀ ଛାତ୍ରମାନଙ୍କ ଏହି ଆନ୍ଦୋଳନ ଯୋଗୁଁ ଯେପରି ରୋଗୀ ସେବା ବାଧାପ୍ରାପ୍ତ ନ ହେବ ସେ ଉପରେ ଆନ୍ଦୋଳନରତ ଡାକ୍ତରୀ ଛାତ୍ରମାନଙ୍କୁ ଅନୁରୋଧ କରିଥିଲେ । ଯାହାକି ଛାତ୍ରଛାତ୍ରୀମାନେ ବିଧାୟକ ଶ୍ରୀ ମିଶ୍ରଙ୍କ ଉଦ୍ବେଗକୁ ବୁଝି ସେ ଉପରେ ସେମାନେ ପୂର୍ବରୁ ଚିନ୍ତା କରି ରୋଗୀ ସେବା ବାଧାପ୍ରାପ୍ତ କରୁନାହାନ୍ତି ବୋଲି ପ୍ରତିଶୃତି ଦେଇଥିଲେ । ଜିଲ୍ଲାସ୍ତରୀୟ ଏହି ଆନ୍ଦୋଳନକୁ ସରକାରୀ ଆୟୁର୍ବେଦିକ କଲେଜର ଛାତ୍ର ସଂସଦ ସଭାପତି ସତ୍ୟମ ଚନ୍ଦ୍ରକାର, ସଂପାଦକ ଡା ବୁଲୁ ମେହେର, ଉପସଭାପତି ସନ୍ଦୀପ ମେହେର ପ୍ରମୁଖ ନେତୃତ୍ୱ ନେଇଛନ୍ତି ।