ସଦର ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲିଲେ ନରସିଂହ : ପ୍ରକଳ୍ପ ଉଦ୍‌ଘାଟନ ସହ ଶୁଣିଲେ ଲୋକଙ୍କ ସମସ୍ୟା

  • ବିଜୁଳି ସଂଯୋଗ ଓ ପାନୀୟ ଜଳ ଶୀଘ୍ର ପହଞ୍ଚାଇବାକୁ ନିର୍ଦ୍ଦେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାଁର ପ୍ରତ୍ୟେକ ଲୋକଙ୍କୁ ପିଇବା ପାଣି ଏବଂ ବିଜୁଳି ସଂଯୋଗ ପାଇବା ଲୋକଙ୍କ ମୌଳିକ ଅଧିକାର ଅଟେ । ଏଥିରେ କିଛି ବିଳମ୍ବ ହୋଇପାରେ ମାତ୍ର କେହି ତାଙ୍କୁ ଏ ଅଧିକାରରୁ ବଂଚିତ କରିପାରିବେ ନାହିଁ । ତେଣୁ ଉଭୟ ବିଜୁଳି ବିଭାଗ ଏବଂ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଏ ଦିଗରେ ତତ୍ପରତା ସହ କାମ କରନ୍ତୁ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ସଦର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ନେଇ ବିଭିନ୍ନ ପଂଚାୟତ ଗସ୍ତ ସମୟରେ ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଏହି ଗସ୍ତ କ୍ରମରେ ସେ ସଦର ବ୍ଲକ ସ୍ଥିତ ବିଡିଘାଟ, ବୈଦିପାଲି, ଶିବତଲା, ଲୁଚକିବନ୍ଦ, ଚାଣ୍ଟିମୁଣ୍ଡା, କାଲିଝରନ ଇତ୍ୟାଦି ଗାଁର ବିଭିନ୍ନ ସ୍ଥାନମାନଙ୍କରେ ବୈଠକ କରି ସାଧାରଣ ଲୋକଙ୍କ ଅଭାବ ଅସୁବିଧା ଶୁଣିଥିଲେ । ଏ ସମୟରେ ଆମ ଗାଁ ଆମ ବିକାଶ ଯୋଜନାରେ ଶିବତଲାର ହରଗୌରୀ ମନ୍ଦିରଠାରେ ଏକ ମଣ୍ଡପ ଭିତ୍ତି ପ୍ରସ୍ତର ଦେଇଥିଲେ । ଲୁଚକିବନ୍ଧଠାରେ ଲୋକେ ଯେମିତି ପିଇବା ପାଣି ପାଇପାରିବେ ସେ ଉପରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ କଥା ହୋଇ ଶୀଘ୍ର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଗାଁର ୭୬ ଜଣ ଶ୍ରମିକ ଲେବର କାର୍ଡ ସତ୍ତେ୍ୱ ସରକାରଙ୍କ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନ ପାରୁଥିବା ଅଭିଯୋଗ କରିଥିଲେ ଏବଂ ଏହି ଗାଁ ଏକ ଗାଁର ପଡା ହୋଇଥିବାରୁ ଲୋକେ ଅନେକ ସରକାରୀ ସୁବିଧାରୁ ବଂଚିତ ହେଉଛନ୍ତି ତେଣୁ ଏହି ଗ୍ରାମକୁ ଏକ ରାଜସ୍ୱ ଗ୍ରାମ କରାଯାଉ ବୋଲି ଲୋକେ ଦାବୀ କରିଥିଲେ । ଏପରିକି ଏହି ଆଦିବାସୀ ବହୁଳ ଗାଁର ଅନେକ ଯୋଗ୍ୟ ହିତାଧିକାରୀ ଇନ୍ଦିରା ଆବାସ ପାଇବାରୁ ବଂଚିତ ହୋଇଛନ୍ତି । ଏ ସବୁ ସମସ୍ୟାକୁ ନେଇ ରାଜ୍ୟସ୍ତରୀୟ ଅଧିକାରୀମାନଙ୍କ ସହ ଶ୍ରୀ ମିଶ୍ର ଆଲୋଚନା କରିବେ ବୋଲି କହିଥିଲେ । ଚାଣ୍ଟିମୁଣ୍ଡା, କାଲିଝରନ ଓ ବୈଦିପାଲିଠାରେ ମଧ୍ୟ ସାଧାରଣ ସଭାମାନ ଅନୁଷ୍ଠିତ ହୋଇଥିଲା । ବୈଦିପାଲିଠାରେ ଲୋକେ ଗାଁରେ କିଛି ଅଂଚଳକୁ ରାସ୍ତା ନିର୍ମାଣ ଦାବୀ କରିଥିଲେ । ସେଠାରେ ଏକ କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ବିଧାୟକ ଶ୍ରୀ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମମାନଙ୍କରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ବିଡିଓ ପ୍ରୀତମ କୁମାର ତନ୍ତି, ଏବିଡିଓ ରାମଦତ୍ତ ଭୋଇ, ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର, ସହକାରୀ ଯନ୍ତ୍ରୀ ଟଙ୍କଧର କାଲା, କଂଗ୍ରେସ ନେତା ରାଧାକାନ୍ତ ଭୋଇ, ସରୋଜ ରଥ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ବିଧାୟକଙ୍କ ପ୍ରତିନିଧି କିଶୋର ସିଂ ନିନା, ବ୍ଲକ ସଭାପତି ରାମ ପ୍ରସାଦ ମିଶ୍ର, ଖୁଜେନପାଲି ସରପଂଚ ସତ୍ୟବାନ ସାହୁ ଓ ଜଗ ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.