୮୧ ବର୍ଷରେ ପାଦ ଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟର ବର୍ଷିୟାନ ରାଜନୈତିଜ୍ଞ, ପ୍ରଖ୍ୟାତ ଆଇନଜୀବୀ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ, ଓଡିଶାର ଏକମାତ୍ର ବ୍ୟକ୍ତି ଭାବେ ଜାତୀୟ ଆଇନ କମିଶନ୍‌ର ସଦସ୍ୟ, ପୂର୍ବତନ ବିରୋଧୀ ଦଳ ନେତା ତଥା ବର୍ତ୍ତମାନର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜିି ୮୧ ବର୍ଷରେ ପାଦ ଦେଇଛନ୍ତି । ଆଜି ବଲାଙ୍ଗିର ଜିଲ୍ଲା, ଜିଲ୍ଲା ବାହାରୁ ତଥା ଅନ୍ୟାନ୍ୟ ରାଜ୍ୟରେ ଥିବା ତାଙ୍କର ଅନେକ ଶୁଭେଚ୍ଛୁ ତାଙ୍କୁ ୮୧ତମ ଜନ୍ମ ଦିବସରେ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି । ଆଜି ସକାଳୁ ଶ୍ରୀ ମିଶ୍ରଙ୍କର ବଲାଙ୍ଗିର ସ୍ଥିତ ବାସଭବନରେ ବଲାଙ୍ଗିରର ଅନେକ ସମାଜିକ, ସାଂସ୍କୃତିକ, ରାଜନୈତିକ, ବ୍ୟବସାୟିକ ସଂଗଠନ, ବ୍ୟକ୍ତି ବିଶେଷ ତଥା ଛୋଟ ଛୋଟ ଛାତ୍ରଛାତ୍ରୀମାନେ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ମିଶ୍ର ଏପରି ଜଣେ ରାଜନୈତିଜ୍ଞ, ଯିଏ କି ଦୀର୍ଘ ୬୩ ବର୍ଷର ରାଜନୈତିକ ଜୀବନ ବିତାଇ ସାରିଛନ୍ତି । ବଲାଙ୍ଗିରର ସହର ନିକଟସ୍ଥ ଛତାମଖନା ଗ୍ରାମରେ ସ୍ୱର୍ଗତ ପିତା ଯୁଧିଷ୍ଟିର ମିଶ୍ର ଓ ମାତା ଲୀଳାବତୀ ମିଶ୍ରଙ୍କ ଔରଷରୁ ୧୯୪୦ ମସିହା ଡିସେମ୍ବର ୨୩ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ସ୍ୱର୍ଗତ ପିତା ଯୁଧିଷ୍ଟିର ମିଶ୍ର ଜଣେ ସେ ସମୟର ପ୍ରଖ୍ୟାତ ଆଇନଜ୍ଞ ଏବଂ ସମ୍ବିଧାନ ପ୍ରଣେତା ସଭାର ସଦସ୍ୟ ଥିଲେ । ଶ୍ରୀ ମିଶ୍ରଙ୍କ ଜୀବନ ଶୈଳୀକୁ ଦେଖିଲେ ଜଣାଯାଏ ଯେ, ସେ ଛୋଟ ଦିନରୁ ରାଜନୀତି ସହିତ ସଂଶ୍ଲିଷ୍ଟ । କାରଣ ସେ ଯେଉଁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ, ସେହି ପରିବାରରେ ତାଙ୍କ ପୂର୍ବଜମାନଙ୍କ ରାଜନୀତି ମାଧ୍ୟମରେ ଲୋକଙ୍କ ସେବା କରିବା ହିଁ ଥିଲା ଲକ୍ଷ୍ୟ । ତେଣୁ ସେ ଛାତ୍ର ଜୀବନରୁ ବାମପନ୍ଥୀ ଛାତ୍ର ରାଜନୀତି ସହ ସଂଶ୍ଲିଷ୍ଟ ହେବା ସହ ୧୮ ବର୍ଷ ବୟସରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସଭ୍ୟ ହୋଇ ସାରିଥିଲେ । ସେ ସମୟରେ ସେ ଅନେକ ଦଳୀୟ ପଦ ପଦବୀରେ ରହିବା ସହ ଅନେକ ଆନ୍ଦୋଳନର ମଧ୍ୟ ନେତୃତ୍ୱ ନେଇଥିଲେ । ପୃଥ୍ୱୀରାଜ ହାଇସ୍କୁଲରେ ସ୍କୁଲ ଶିକ୍ଷା ସମାପ୍ତ ପରେ ଇଂଟର୍‌ ମିଡିଏଟ୍‌ ଶିକ୍ଷା ବିକ୍ରମଦେବ କଲେଜ ଜୟପୁର ଏବଂ ସ୍ମାତକ ଶିକ୍ଷା ବ୍ରହ୍ମପୁର ଖଲିକୋଟ ମହାବିଦ୍ୟାଳୟରେ ଗ୍ରହଣ କରିଥିଲେ । ଶ୍ରୀ ମିଶ୍ର ନିଜର ଆଇନ ଡିଗ୍ରୀ କଟକର ମଧୁସୂଦନ ଲ’ କଲେଜରେ ସମାପ୍ତ କରିବା ପରେ ବହୁତ କମ ବୟସରେ ନିଜକୁ ଜଣେ ଦକ୍ଷ ଓକିଲ ଭାବରେ ପ୍ରତିପାଦନ କରିପାରିଥିଲେ । ଧାନକିଣାକୁ ନେଇ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ସରକାରଙ୍କୁ ଦେଇଥିବା ନିର୍ଦ୍ଦେଶ ହେଉଛି ତାଙ୍କର ଓକିଲାତି ଜୀବନରେ ଏକ ବିଶେଷ ମାଇଲଖୁଂଟ । ରାଜ୍ୟରେ ବିଜୁ ପଟ୍ଟନାୟକ ସରକାରରେ ଆଇନମନ୍ତ୍ରୀ ଭାବରେ ସେ ଆଇନ ବିଭାଗକୁ ବେଶ ସଶକ୍ତ କରିଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବରେ ବଲାଙ୍ଗିରରେ ଏକ ମେଡିକାଲ କଲେଜର ଭିତ୍ତିଭୂମି ଦେବା ତାଙ୍କ ରାଜନୈତିକ ଜୀବନର ଉଲ୍ଲେଖନୀୟ ଘଟଣା । ସଦାସର୍ବଦା ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ଶ୍ରୀ ମିଶ୍ର ତାଙ୍କର ସାମାଜିକ ରାଜନୈତିକ କାର୍ଯ୍ୟକ୍ରମ ମାନଙ୍କରେ ସବୁବେଳେ ସମାଜର ତଳ ସ୍ତରରେ ଥିବା ଆର୍ଥିକ ଅନଗ୍ରସର ଦଳିତମାନଙ୍କ ପାଇଁ କିଛି କରିବାରେ ରୁଚି ରଖନ୍ତି । ରାଜନୀତି ଜୀବନରେ ନେତୃତ୍ୱ ଓ ସାଧାରଣ ଜନତା ମଧ୍ୟରେ କୋ÷÷ଣସି ପ୍ରକାର ପ୍ରତିବନ୍ଧକ ନ ରଖି ଲୋକଙ୍କ ପାଇଁ କାମ କରିବାରେ ସେ ବିଶ୍ୱାସ କରନ୍ତି । ବିଧାୟକ ଭାବରେ ସେ ଅନେକ ସାମ୍ବିଧାନିକ ପଦ ପଦବୀରେ ରହି ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକଙ୍କ ପାଇଁ ମଧ୍ୟ କାମ କରିବାରେ ସେ ଧୁରନ୍ଧର । ବଲାଙ୍ଗିରରୁ ଦ୍ୱିତୀୟ ବାର ବିଧାୟକ ଭାବରେ ନିର୍ବାଚିତ ହେବା ପରେ ବଲାଙ୍ଗିରକୁ ଏକ ପୂର୍ଣ୍ଣାଙ୍ଗ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ତାଙ୍କ ଲକ୍ଷ୍ୟ ବୋଲି ସେ ବିଭିନ୍ନ ସମୟରେ ନିଜ ବକ୍ତବ୍ୟରେ କହନ୍ତି । ଆଜି ତାଙ୍କ ୮୧ତମ ଜନ୍ମ ଦିବସରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅଜସ୍ର ଶୁଭେଚ୍ଛା ତାଙ୍କର ଲୋକପ୍ରିୟତାର ସୂଚନା ଦିଏ ।

Leave A Reply

Your email address will not be published.

error: Content is protected !!