oom

ନରସିଂହଙ୍କ ସ୍କୁଲ ପରିଦର୍ଶନ : ରେଡ୍‌କ୍ରସର ପ୍ରାଥମିକ ଚିିକିତ୍ସା ତାଲିମ ଶିବିର ଉଦ୍‌ଘାଟନ କଲେ ନରସିଂହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଗାମୀ ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ସହର ମଧ୍ୟରେ ଥିବା ବିଭିନ୍ନ ହାଇସ୍କୁଲ ଯଥା ଟାଉନ ବାଳକ ବିଦ୍ୟାଳୟ, ଟାଉନ ବାଳିକା ବିଦ୍ୟାଳୟ, ପିପି ଏକାଡେମୀ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ଆଜି ପରିଦର୍ଶନରେ ବିଶେଷ କରି ନିର୍ମାଣ ହୋଇଥିବା ଭିତ୍ତିଭୂମି ନିରକ୍ଷଣ, ଖାଲିଥିବା ଶିକ୍ଷକ, କର୍ମଚାରୀ, ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ପୂରଣ ଉପରେ ଆଲୋଚନା ହୋଇଥିଲା । ପରିଦର୍ଶନ ସମୟରେ ଚାରି ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ସ୍କୁଲ ଶ୍ରେଣୀ ଗୃହ, ଟୟଲେଟ ଓ ଖେଳପଡିଆ ଗୁଡିକ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଭାବରୁ ରକ୍ଷଣାବେକ୍ଷଣରେ ଘୋର ଅବହେଳା ହୋଇଥିବା ପରିଲକ୍ଷିତ ହୋଇଥିଲା । ବିଶେଷ କରି ଟାଉନ ହାଇସ୍କୁଲ ଏବଂ ସରକାରୀ ବାଳିକା ବିଦ୍ୟାଳୟ କର୍ମଚାରୀ ତଥା ରାତ୍ରି ଜଗୁଆଳି ଅଭାବରୁ ଅନେକ ସମୟରେ ବିଭିନ୍ନ ଆସବାବପତ୍ର, ବିଜୁଳି ଉପକରଣ, ଗାଧୁଆଘର ଉପକରଣ ଚୋରୀ ହୋଇଯାଉଥିବାର ଜଣାପଡିଛି । ସରକାରୀ ବାଳିକା ବିଦ୍ୟାଳୟରେ ଖେଳ ପଡିଆ ପାଇଁ ବହୁତ ଶୀଘ୍ର କାମ ହେବ ବୋଲି ଉପସ୍ଥିତ ଥିବା ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ । ଜିଲ୍ଲା ସ୍କୁଲ ଶାରିରୀକ ଶିକ୍ଷା ନିରୀକ୍ଷକ ଏକ ସ୍କାଉଟ ହଲ୍‌ ନିର୍ମାଣ ପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅନୁରୋଧ କରିଥିଲେ । ପରିଦର୍ଶନରେ ଯାଇଥିବା ସ୍କୁଲ ଗୁଡିକରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଏକ ତାଲିକା ପ୍ରସ୍ତୁତ କରି ବିଧାନସଭା ଅଧିବେଶନ ପୂର୍ବରୁ ପ୍ରଦାନ କରିବାକୁ ବିଧାୟକ ଶ୍ରୀ ମିଶ୍ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଅନୁରୋଧ କରିଥିଲେ । ପରେ ପରେ ୱାର୍ଡ ନଂ.୨୧ ଅନ୍ତର୍ଗତ ଡେମ୍‌ପଡା ପରିଦର୍ଶନରେ ଯାଇଥିଲେ ବିଧାୟକ ଶ୍ରୀ ମିଶ୍ର । ସେଠାକାର ଲୋକେ ରାସ୍ତାଘାଟ ତଥା ଡେମ୍‌ ପାଣି ମାଡିଯାଉଥିବାରୁ ଡେମ୍‌ର ଆଡି ବନ୍ଧର ଉଚ୍ଚତା ବଢାଇବା ପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅନୁରୋଧ କରିଥିଲେ । ଏ ଅବସରରେ ଟାଉନ ବାଳିକା ବିଦ୍ୟାଳୟରେ ରେଡକ୍ରସ ତରଫରୁ ୮ଟି ଜିଲ୍ଲାକୁ ନେଇ ଅନୁଷ୍ଠିତ ହୋଇଥିବା ଚର୍ତୁଦିବସୀୟ ପ୍ରାଥମିକ ଚିକିତ୍ସା ତାଲିମ ଶିବିରକୁ ବିଧାୟକ ନରସିଂହ ମିଶ୍ର ଉଦ୍‌ଘାଟନ କରିଥିଲେ । ବିଧାୟକଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେର, ସ୍କୁଲ କ୍ରିଡା ନିରିକ୍ଷକ ଜ୍ୟୋତି ପ୍ରକାଶ ପରିଡା, ବ୍ଲକ ଶିକ୍ଷାଧିକାରୀ ରାଘବ ପାଣିଗ୍ରାହୀ, ବିଧାୟକଙ୍କ ଶିକ୍ଷା ପ୍ରତିନିଧି ବାମଦେବ ମିଶ୍ର, ଶିକ୍ଷକ ତ୍ରିଲୋଚନ ମହାପାତ୍ର ଏବଂ ଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.