jayashree

ଲୋୟର ସୁକତେଲ ବୁଡି ଅଂଚଳ ପରିଦର୍ଶନ କଲେ ନରସିଂହ

  • ସଂପୂର୍ଣ୍ଣ ବିସ୍ଥାପିତ ନହେବା ପର୍ଯ୍ୟନ୍ତ ଲୋକଙ୍କ ମୌଳିକ ଅଧିକାର ପ୍ରତି ଧ୍ୟାନ ଦେଉ ସରକାର – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନ ସାଢେ ୪ଟାରେ ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଲୋୟର ସୁକତେଲ ଜଳ ସେଚନ ପ୍ରକଲ୍ପ ଦ୍ୱାରା ସଂପୂର୍ଣ୍ଣ ପ୍ରଭାବିତ ହେଉଥିବା ବଡ ତେଲେନପାଲି, ଖୁଣ୍ଟପାଲି ଓ ଢୁଲୁସରର କିଛି ଅଂଚଳ ପରିଦର୍ଶନରେ ଯାଇଥିଲେ । ଏହି ଗସ୍ତ ସମୟରେ ବିଶେଷ କରି ବୁଡି ଅଂଚଳରେ ଲୋକେ କିପରି ଶାନ୍ତିପୂର୍ଣ୍ଣ ଭାବେ ବିସ୍ତାପିତ ହେବେ ଓ ବିସ୍ତାପିତ ହେବା ପୂର୍ବରୁ ତାଙ୍କର ସମସ୍ତ ପ୍ରକାର କ୍ଷତି ପୂରଣ ଠିକ ଭାବେ ପାଇ ପାରିବେ ଏବଂ ସରକାର ଦେଇଥିବା ପ୍ରତିଶୃତି ମୁତାବକ ଠିକ ସ୍ଥାନରେ ପୂନର୍ବାର ଓ ଥଇଥାନ ହୋଇ ପାରିବ ସେ ଉପରେ ସବିଶେଷ ଆଲୋଚନା ହୋଇଥିଲ। । ଏହି ଆଲୋଚନା ସମୟରେ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପର ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ମହାପାତ୍ର, ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ କୁମାର ନାଗ ଭୂଷଣ ତଥା ପ୍ରକଳ୍ପ ସଂକ୍ରାନ୍ତିୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଆଲୋଚନା ସମୟରେ ଜଣାପଡିଥିଲା ଯେ, ଆଦିବାସୀ ବହୁଳ ବଡ ତେଲେନପାଲି ଲୋକଙ୍କ ସରଳତାକୁ ନେଇ ସେମାନଙ୍କଠାରୁ ବିସ୍ଥାପିତ ହେବା ପାଇଁ ଜମି ଜାଗାରେ ଟଙ୍କା ଦିଆଯାଉ ବୋଲି ଲିଖିତ ଆକାରେ ନିଆଯାଇଥିଲା । ତେଣୁ ସେମାନଙ୍କୁ ତାଙ୍କ ଦାବୀ ମୁତାବକ ରହିବା ପାଇଁ ବଲାଙ୍ଗିର ଉପକଣ୍ଠରେ ଜମି ଦିଆଯାଉ ବୋଲି ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଅଧିକାରୀ ସାମନାରେ ଦାବୀ କରିଥିଲେ । ଆଲୋଚନା ସମୟରେ ଲୋକଙ୍କ ଆଉ ଗୋଟିଏ ପ୍ରମୁଖ ଦାବୀ ଥିଲା ଯେ, ବଲାଙ୍ଗିର ସହର ନିକଟସ୍ଥ କୌଣସି ଗୋଟିଏ ଜାଗାରେ ସମସ୍ତ ବିସ୍ଥାପିତଙ୍କୁ ଥଇଥାନ କରାଯାଉ । ଏହା ସହ ଲୋକେ ସଂପୂର୍ଣ୍ଣ ବିସ୍ଥାପିତ ନହେବା ପର୍ଯ୍ୟନ୍ତ ସେମାନେ ଯେପରି କୌଣସି ମୌଲିକ ଅଧିକାର ପାଇବାରୁ ବଞ୍ଚିତ ନହେବେ ସେ ଉପରେ ସରକାର ଓ ଅଧିକାରୀମାନେ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ଯେ, ସର୍ଭେ ସମୟରେ ଜଣେ ଜୀବିତ ବ୍ୟକ୍ତିକୁ ମୃତ ବୋଲି ଦର୍ଶାଇ ତାହାର ପାଇବାକୁ ଥିବା କ୍ଷତିପୂରଣ ହେର ଫେର କରାଯାଇଛି । ତେଣୁ ସର୍ଭେ ସମୟରେ ଅଧିକାରୀମାନେ ଏସବୁ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ ଏବଂ ପିଡିତ ବ୍ୟକ୍ତି ଯାହାକୁ କି ବଞ୍ଚିଥିବା ସତ୍ୱେ ମୃତ ଦର୍ଶାଯାଇଛି ତାକୁ ସମସ୍ତ କ୍ଷତି ପୂରଣ ପ୍ରଦାନ କରାଯାଉ ବୋଲି ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ । ଆଜି ଏହି ଗସ୍ତ ସମୟରେ ଖୁଣ୍ଟପାଲି, ବଡ ତେଲେନପାଲି ଓ ଢୁଲୁସରଠାରେ ବିସ୍ଥାପିତ ଗ୍ରାମବାସୀ ବିଧାୟକ ଶ୍ରୀ ମିଶ୍ରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଶ୍ରୀ ମିଶ୍ରଙ୍କ ବ୍ୟତିତ ଅନ୍ୟମାନଙ୍କ ମଧ୍ୟରେ ଘାସୀରାମ ବେହେରା, ଲୋକନାଥ କୁମୁରା ଓ ପ୍ରକଳ୍ପ ସମ୍ବନ୍ଧୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.