କୃଷି ବିଶ୍ୱ ବିଦ୍ୟାଳୟକୁ ନେଇ ନରସିଂହଙ୍କ ପ୍ରେସ ବିବୃତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉପ-ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ ସମ୍ବଲପୁରଠାରେ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ହେବା ଏକ ଯୋଜନା କରାଯାଉଥିବା ନେଇ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରିଛନ୍ତି । ଏହାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗିର ପୂର୍ବତନ ବିଧାୟକ ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ନିଜସ୍ୱ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ବଲାଙ୍ଗିରର ଦିର୍ଘ ଦିନର ଦାବିକୁ ବିଜେପି ସରକାର ସମ୍ବଲପୁର ହାତକୁ ଟେକି ଦେଉଥିବା ଦୁର୍ଭାଗ୍ୟଜନକ ଓ ନିନ୍ଦନିୟ । ବିଜେପି ସରକାର ବିରୋଧିରେ ଥିଲା ବେଳେ ଭିନ୍ନ ଭୂମିକା ଗ୍ରହଣ କରୁଛି ଓ ସରକାରକୁ ଆସିଲେ ଭିନ୍ନ ମୁଖା ପ୍ରଦର୍ଶନ କରୁଛି । ୨୦୧୪ ମସିହାରେ ତତ୍‌କାଳୀନ ରାଜ୍ୟପାଳ ବିଧାନସଭାକୁ ସମ୍ବୋଧନ କଲାବେଳେ କେବିକେ ଅଂଚଳରେ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ କରାଯିବା ନେଇ ଘୋଷଣା କରିଥିଲେ । ଯାହା ତତ୍‌କାଳୀନ ସରକାରଙ୍କ ପ୍ରସ୍ତାବ ବୋଲି ଗ୍ରହଣ କରାଯାଏ । ଉକ୍ତ ସମୟରେ ତତ୍‌କାଳୀନ ବିଜେପି ବିଧାୟକମାନେ ଏହାକୁ ବିରୋଧ କରିବା ପରିବର୍ତ୍ତେ ଏହାକୁ ସମର୍ଥନ ଜଣାଇଥିଲେ । ତା ଛଡା ତତ୍‌କାଳୀନ କୃଷି ମନ୍ତ୍ରୀଙ୍କ ସମ୍ବଲପୁରରେ ହୋଇଥିବା ଏକ ସଭାରେ ଉକ୍ତ କୃଷି ବିଶ୍ୱ ବିଦ୍ୟାଳୟ ବଲାଙ୍ଗିରରେ ସ୍ଥାପିତ କରିବା ପାଇଁ ପ୍ରସ୍ତାବ ଦେଇଥିଲି ଯାହାକୁ କୃଷି ମନ୍ତ୍ରୀ ସ୍ୱୀକାର କରିବା ସହ ଉକ୍ତ ପ୍ରସ୍ତାବକୁ ବିଧାନସଭାରେ ଉପସ୍ଥାପନ ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ମୁଁ ବାରମ୍ବାର ବିଧାନସଭାରେ ବଲାଙ୍ଗିର ଠାରେ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ଦାବି ରଖିଥିଲି କିନ୍ତୁ ତତ୍‌କାଳୀନ ସରକାର ଏହାକୁ ଅଣଦେଖା କରିଚାଲିଥିଲା । ତେବେ ପୂର୍ବରୁ କେବିକେରେ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ହେବାକୁ ସମର୍ଥନ ଜଣାଇଥିବା ବିଜେପି ଏହାକୁ ସମ୍ବଲପୁରକୁ ଟାଣି ନେଇ ନିଜର ଦୋମୁହାଁ ଚେହେରା ସର୍ବସମ୍ମୁଖରେ ରଖିଛି । ମୁଁ ପୁଣିଥରେ କହିରଖେ ଯେ ବଲାଙ୍ଗିରରେ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ଆମର ଦୃଢ ଦାବି ଜାରି ରହିଛି । ବଲାଙ୍ଗିର ରେ ଉକ୍ତ ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ଯଥେଷ୍ଟ ସୁବିଧା ମଧ୍ୟ ରହିଛି । ଯଦି ଏହି ପ୍ରକଳ୍ପକୁ ବଲାଙ୍ଗିରରୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଏ ତେବେ ଲୋକେ ଏହାର ଜୋରଦାର ବିରୋଧ କରିବେ ବୋଲି ଶ୍ରୀ ମିଶ୍ର ଚେତାଇ ଦେଇଛନ୍ତି ।

Leave A Reply

Your email address will not be published.