
ବିଧାନସଭା ପରିସରରେ ପଣ୍ଡିତ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୃର୍ତ୍ତି ସ୍ଥାପନ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲେ ନରସିଂହ
- ବିଧାନସଭାରେ ପଣ୍ଡିତ ନେହେରୁ ଓ ଇନ୍ଦିରାଙ୍କ ପ୍ରତିମୁର୍ତ୍ତି ସ୍ଥାପନ କରାଯାଉ : ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଦେଶ ଭାରତ ବର୍ତ୍ତମାନ ବିଶ୍ୱ ଅର୍ଥନୀତିକୁ ଦେଖିଲେ ଚତୁର୍ଥ ସ୍ଥାନରେ ପହଂଚିଛି । ଆମେ ସେନାର ଶକ୍ତି ହେଉ କି ଦେଶର ଗଣତାନ୍ତ୍ରିକ ପଦ୍ଧତି ହେଉ ଆମେ ସାରା ବିଶ୍ୱରେ ନିଜର ଶ୍ରେଷ୍ଠତ୍ୱ ପ୍ରମାଣିତ କରିଛୁଁ ଏବଂ ସବୁ ସମ୍ଭବ ହୋଇଛି ଏକ ଦୂରଦୃଷ୍ଟି ସମ୍ପନ୍ନ ବିକାଶ ଉପରେ ବିଶ୍ୱାସ କରୁଥିବା ନେତୃତ୍ୱ ଯିଏ କି ଦେଶ ସ୍ୱାଧିନ ହେବା ପରେ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶାସନ ଭାର ଗ୍ରହଣ କରିଥିଲେ, ସେ ହେଉଛନ୍ତି ପଣ୍ଡିତ ଜବାହାରଲାଲ ନେହେରୁ । ତାଙ୍କ ନେତୃତ୍ୱ ସମୟରେ ହିଁ ଭାରତ ବର୍ଷ ବିଶ୍ୱରେ ଏକ ସର୍ବଶ୍ରେଷ୍ଠ ଅର୍ଥନୈତିକ, ବୈଷୟିକ ଓ ସାମରିକ ଶକ୍ତି ସମ୍ପନ୍ନ ଦେଶ ଭାବେ ଉଭା ହେବାର ଭିତ୍ତି ସ୍ଥାପନ ହୋଇଥିଲା । ଏହା ବ୍ୟତିତ ସ୍ୱର୍ଗୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଦେଶ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ଭାବେ ସାରା ବିଶ୍ୱରେ ଦବଦବା ସୃଷ୍ଟି କରିଥିଲା । ସ୍ୱର୍ଗୀୟ ଗାନ୍ଧୀ ନିଜର ଦୃଢ ନେତୃତ୍ୱ, ଶାହସ ଓ ପରାକାଷ୍ଠାକୁ ୧୯୭୧ ମସିହାର ଭାରତ ପାକିସ୍ଥାନ ଯୁଦ୍ଧର ଫଳାଫଳ ସାରା ବିଶ୍ୱ ଜାଣିଛି । ବର୍ତ୍ତମାନ ପରିସ୍ଥିତିରେ ଦେଶବାସୀ ସ୍ୱତଃଫୁର୍ତ୍ତ ଭାବରେ ଇନ୍ଦିରା ଗାନ୍ଧୀଙ୍କ ପରାକାଷ୍ଠାକୁ ମନେ ପକାଉଛନ୍ତି । ଦେଶବାସୀ କହୁଛନ୍ତି “ଇନ୍ଦିରା ବନନା ଆସାନ୍ ନେହିଁ” କାରଣ ୧୯୭୧ ଯୁଦ୍ଧରେ ତାଙ୍କ ଅଦମ୍ୟ ସାହାଶ ଓ ନିଷ୍ପତ୍ତି ବଳରେ ପାକିସ୍ଥାନକୁ ଦୁଇଖଣ୍ଡ କରି ବଙ୍ଗଳାଦେଶ ସୃଷ୍ଟି କରିଥିଲେ । ଏପରିକି ପୃଥିବୀର ସୁନାମଧନ୍ୟ ଗଣମାଧ୍ୟମ ବିବିସି ଅନୁସାରେ ଉଇନ୍ଷ୍ଟନ ଚର୍ଚ୍ଚିଲଙ୍କ ପରେ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀ ହେଉଛନ୍ତି ବର୍ତ୍ତମାନ ଯୁଗ ପର୍ଯ୍ୟନ୍ତ ହୋଇଥିବା ପ୍ରଧାନମନ୍ତ୍ରୀମାନଙ୍କ ମଧ୍ୟରେ ଦ୍ୱିତୀୟ ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି ସର୍ବଜନବିଦିତ । ଏଣୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ନେହେରୁ ଓ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ଅବଦାନକୁ ମନେ ପକାଇବା ପାଇଁ ବିଧାନସଭା ପରିସରରେ ଉଭୟଙ୍କ ପ୍ରତିମୁର୍ତ୍ତି ସ୍ଥାପନ କରାଯାଉ ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବିଧାନସଭା ବାଚସ୍ପତି ସୁରମା ପାଢିଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।