ଜୟପାଟଣା ଯାଦବ ସମାଜ ଆନୁକୂଲ୍ୟରେ ଶ୍ରୀକୃଷ୍ଣ ଜନ୍ମ ଓ ନନ୍ଦ ଉତ୍ସବ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ସ୍ତରୀୟ ଆଞ୍ଚଳିକ ଯାଦବ ସମାଜର ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ଓ ନନ୍ଦ ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ସ୍ଥାନୀୟ ଯାଦବ ଭବନ ପରିସର ମଧ୍ୟରେ ପାଳିତ ହୋଇଯାଇଛି । ଯାଦବ ସମାଜର ବିଶାଳ ସମାବେଶ ମଧ୍ୟରେ ସୁସଜ୍ଜିତ ମଞ୍ଚରେ ପ୍ରଭୁଙ୍କ ଜନ୍ମ ଉତ୍ସବ ପାଳନ ଅବସରରେ ଦୀପକ କୁମାର ରାଉତ ସସ୍ତ୍ରିକ କର୍ତ୍ତା ଭାବରେ ସଂକଳ୍ପ ନେଇଥିଲେ । ଶନିବାର ଦିନ ନନ୍ଦ ଉତ୍ସବ ପାଳନ ଅବସରରେ ରଥାରୂଢ଼ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ମୂର୍ତ୍ତି ସହ ନଗର ପରିକ୍ରମା କରାଯାଇଥିଲା । ଏହି ପରିକ୍ରମାରେ ପାରମ୍ପରିକ ବନା ବାଡ଼ି, ବଲାଙ୍ଗିରର ଦୁଲ୍‌ଦୁଲି, ସଙ୍କୀର୍ତ୍ତନ ଦଳ ସମୂହ ସାମିଲ ହୋଇଥିଲେ । ପାଞ୍ଚ ହଜାରରୁ ଅଧିକ ଶ୍ରଦ୍ଧାଳୁ ପରିକ୍ରମାରେ ସାମିଲ ହୋଇ ଏକ ଆଧ୍ୟାତ୍ମିକ ପରିବେଶ ତିଆରି କରିଥିଲେ । ନଗର ପରିକ୍ରମା ପରେ ଧର୍ମ, ସଂସ୍କୃତି ଓ ସାଂଗଠନିକ ବିଚାର ଧାରାକୁ ନେଇ ବ୍ଲକ ସଭାପତି ଶତ୍ରୁଘ୍ନ ରାଉତଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପିଆର୍‌ ପେଲେସ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ କଳାହାଣ୍ଡି ଜିଲ୍ଲା ପୂର୍ବାଞ୍ଚଳ ସମ୍ପାଦକ କୁଶଧର ଯାଦବ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଭଇଁରିପାଲି ଯାଦବ ସମାଜ ସଭାପତି ଅଶ୍ୱିନ କୁମାର ତାଣ୍ଡି ମୁଖ୍ୟବକ୍ତା ଭାବରେ ଯୋଗଦେଇ ସମସ୍ତଙ୍କୁ ଧର୍ମୀୟ ଅନୁରାଗି ହେବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ରଣମାଲ ସଭାପତି ନୀଳାଚଳ ନାଗ, ଜୟପାଟଣା ସହ ସମ୍ପାଦକ ଭୁକ୍ ଚନ୍ଦ ବାଗ ପ୍ରମୁଖ ମଞ୍ଚାସୀନ ଥିଲେ । ଜୟପାଟଣା ନଗର ସଭାପତି ଦିଲୀପ କୁମାର ରାଉତ, ନୀଳକଣ୍ଠ ରାଉତ, ରବୀନ୍ଦ୍ର ରାଉତ , ଦୀପକ ରାଉତ, ପ୍ରଦୀପ ରାଉତ, ଡମ୍ବରୁଧର ରାଉତ, ଯତୀନ୍ଦ୍ର ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ବ୍ଲକ ସମ୍ପାଦକ ଋଷିମଣି ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.