
• ରଣାଙ୍ଗନରେ କମ୍ଫି ଉଠିଲା ବିଜେଡି ସ୍ଲୋଗାନର ରୋଳ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ନାମାଙ୍କନପତ୍ରର ଶେଷ ଦିବସରେ ବିଜେପି ଓ ବିଜେଡି ଦଳୀୟ ପକ୍ଷରୁ ପ୍ରଦର୍ଶିତ ରାଲି ସମାବେଶରେ ଘମାଘୋଟ ଲଢ଼େଇ ସଦୃଶ ମୁହାଁମୁହିଁ ହେଉଥିବା ଭଳି ପରିସ୍ଥିତି ଦେଖିବାକୁ ମିଳିଛି । ପୋଲିସର କଡାସୁରକ୍ଷା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ସୁରୁଖୁରୁରେ ସମ୍ପନ୍ନ ହୋଇଯାଇଛି । ତେବେ ଗଞ୍ଜାମ ଜିଲ୍ଲାରେ ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟ ଭାବେ ୪ ହଜାର ୪ ଶହ ୮୪ ଜଣ, ସରପଞ୍ଚ ପଦବୀ ନିମନ୍ତେ ୮୩୪ ଜଣ, ସମିତି ସଭ୍ୟ ନିମନ୍ତେ ୭୮୫ ଜଣ ଏବଂ ଜିଲ୍ଲା ପରିଷଦ ସଦସ୍ୟ ପଦବୀ ନିମନ୍ତେ ୧୫୪ ଜଣ, ଏହିପରି ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନରେ ସର୍ବମୋଟ ୬ ହଜାର ୨ ଶହ ୫୭ ଜଣ ଲଢ଼ିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ସରକାରୀ ଭାବେ କୁହାଯାଇଛି । ଏପରିକି ରଣାଙ୍ଗନରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସରେ ବହୁସଂଖ୍ୟାରେ ଅର୍ଥାତ ଶହସ୍ରାଧିକ ବିଜେଡିର ନେତା ଓ କର୍ମୀଙ୍କ ସମାବେଶରେ ବିଜେଡିର ସ୍ଲୋଗାନର ରୋଳରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର କମ୍ଫି ଉଠିଛି । ଏହାର ବାଦ-ପ୍ରତିବାଦ ସ୍ୱରୂପ ଅନେକ ଅସନ୍ତୁଷ୍ଟ ବିଜେଡି ନେତା ଓ କର୍ମୀମାନେ ବିଜେପିରେ ସାମିଲ ହୋଇଥିବା ବିଷୟ ଅନେକଙ୍କୁ ଆଲୋଡନ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିଠାରୁ ଆରମ୍ଭକରି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ପର୍ଯ୍ୟନ୍ତ ବିଜେଡି ନିଜ ନିଜ ଆସନ ପାଇଁ ବାଜିମାତ ହେବା ନିମନ୍ତେ ଅଣ୍ଟାଭିଡି ରଣାଙ୍ଗନରେ ପ୍ରସ୍ତୁତ ହୋଇଥିବା ବେଳେ ଅନେକ ବିଜୁଜନତା ଦଳରୁ ଟିକଟ ପାଇବାରେ ବଞ୍ଚିତ ହୋଇ ବଳିଷ୍ଠ ନେତାମାନେ ଆନୁଷ୍ଠାନିକ ଭାବେ ବିଜେପି ଦଳରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଯାହାକି, ଗଞ୍ଜାମ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ପଦବୀରେ ଥିବା ଶ୍ରୀମତୀ ସ୍ନେହଲତା ପଣ୍ଡାଙ୍କୁ ବିଜେଡି ଟିକଟ ମିଳିବାରେ ବଞ୍ଚିତ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଅରୁଣ ପଣ୍ଡା ବିଜେପି ଦଳରେ ସାମିଲ ହୋଇଥିବା ଦେଖାଦେଇଛି । ଅରୁଣପଣ୍ଡା ବିଜେପି ଦଳରେ ଏକ ମୁଖ୍ୟଭାବେ ମଙ୍ଗ ଧରିଥିବା ଜଣାଯାଇଛି । ଏ ବିଷୟରେ ଅନେକଙ୍କୁ ଚକିତ କରିଛି । ଶୁକ୍ରବାର ଥିଲା ପ୍ରାର୍ଥୀପତ୍ରର ଶେଷ ଦିବସ । ଏହି ଦିନ ଅଧିକମାତ୍ରାରେ ଏହି ଘମାଘୋଟ-ଲଢ଼େଇ ସଦୃଶର ସମାବେଶ ଅଧିକମାତ୍ରାରେ ସମସ୍ତଙ୍କୁ ତରଙ୍ଗାୟିତ କରିଛି । ଛତ୍ରପୁର ବ୍ଳକ୍ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ବିଜେଡିରୁ ଟିକଟ ପାଇ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦର ଆସନ ୨୦ ନମ୍ବର ଜୋନ୍ ପାଇଁ ପ୍ରାର୍ଥୀପତ୍ର ଗତକାଲି ଦାଖଲ କରିଛନ୍ତି । ଶ୍ରୀ ରେଡ୍ଡୀ ଜିଲ୍ଲା-ପରିଷଦ ଉପାଧ୍ୟକ୍ଷ ପଦବୀ ନିମନ୍ତେ ଲଢ଼ିବା ପାଇଁ ପ୍ରସ୍ତୁତ ଥିବା ଜଣାଯାଇଛି । ସେହିପରି ବ୍ଳକ୍ ସଦସ୍ୟ ଏସ. କିଶୋର ରେଡ୍ଡୀଙ୍କ ସହଧର୍ମିଣୀ ଏସ୍. ଶାରଦା ରେଡ୍ଡୀ ମଧ୍ୟ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଯାହାକି, ଛତ୍ରପୁର ବ୍ଲକର ୨୧ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଭାବେ ଏସ୍. କିଶୋର ଚନ୍ଦ୍ର ରେଡ୍ଡୀଙ୍କ ଧର୍ମପତ୍ନୀ ଏସ୍. ଶାରଦା ରେଡ୍ଡୀ ମନୋନ୍ନୟନ-ପତ୍ର ଦାଖଲ କରିଛନ୍ତି । ବିଜେଡି ସୁପ୍ରିମୋଙ୍କ ଅନୁମୋଦନ କ୍ରମେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଛତ୍ରପୁର ଓ ଗଞ୍ଜାମ ବ୍ଳକ୍ ଏହି ଦୁଇଗୋଟି ବ୍ଲକର ପାଞ୍ଚଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ଜଣାଯାଇଛି । ଛତ୍ରପୁର ନିର୍ବାଚନ ମଣ୍ଡଳୀର ପକ୍ଷରୁ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ଵରେ ଛତ୍ରପୁର ବ୍ଲକର ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ହୋଇଛି । ସେମାନେ ହେଲେ ଜୋନ ୧୪ର ଶ୍ରୀମତୀ ସସ୍ମିତା ସ୍ୱାଇଁ, ଜୋନ ୧୫ର ସନାତନ ବେହେରା, ଜୋନ ୧୯ର ଶ୍ରୀମତୀ ରଶ୍ମିତା ନାହାକ, ଜୋନ ୨୦ ନମ୍ବରରେ ଏମ୍. ଧନଞ୍ଜୟ ରେଡ୍ଡୀ, ଜୋନ ୨୧ର ଶ୍ରୀମତୀ ଛବିତା ବେହେରା । ଏହି ପରିପ୍ରେକ୍ଷୀରେ ଆଇନଜୀବୀ ବିଜୟ କୁମାର ପଟ୍ଟନାୟକ, ସୁରେଶ କୁମାର ପଣ୍ଡା, ଏଲ. ଗୋପାଳ ରାଓ, ଭୈରବୀ ପଟ୍ଟନାୟକ, ଡୋମିନାଥ ସାହୁ, କାଳୀ ପ୍ରସାଦ ଦାସଙ୍କ ସମେତ ଛତ୍ରପୁର ବୃଦ୍ଧିଜୀବୀ ଓ ବିଜେଡିର ନେତା ଓ କର୍ମୀ ଉପସ୍ଥିତ ଥିଲେ । ଏସ୍. କିଶୋର ଚନ୍ଦ୍ର ରେଡ୍ଡୀଙ୍କ ଧର୍ମପତ୍ନୀ ଏସ୍. ଶାରଦା ରେଡ୍ଡୀ ଦଳୀୟ ସହଚରୀବର୍ଗଙ୍କ ସହଯୋଗରେ ଏକ ରାଲିରେ ବାହାରି ଗତକାଲି ଛତ୍ରପୁର ଲୋଏର ବସଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ନିର୍ବାଚନ ରିଟର୍ଣ୍ଣିଂ-ଅଧିକାରୀ ତଥା ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡାଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ଗୁରୁବାର ବଡମାଧପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ପ୍ରାର୍ଥୀନୀ ଭାବେ ଅର୍ଚ୍ଚନା କୁମାରୀ ସେଠୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ବେଳେ ବିଜେଡ଼ି ପୂର୍ବତନ ସାଂସଦ ପ୍ରତିନିଧି ମହେଶ୍ୱର ପ୍ରଧାନ, ପୂର୍ବତନ ବିଜେଡି ବ୍ଲକ ସଭାପତି ସ୍ୱପ୍ନେଶ୍ୱର ନାହାକ, ଛାତ୍ର ବିଜେଡି ନେତା ଅଜିତ ସ୍ୱାଇଁ, ଏସ୍. ଦୁଯ୍ୟୋଧନ ରେଡ୍ଡୀ, ଟି. ଡମ୍ବରୁ ରେଡ୍ଡୀ, ଶିବ ଶଙ୍କର ସେଠୀଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ । ସେହିପରି ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ଭାବେ ବିଜେଡି ଦଳପକ୍ଷରୁ ଶ୍ରୀମତୀ ସ୍ୱାଗତିକା ପ୍ରଧାନ (୨୬) ନାମାନଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀମତୀ ପ୍ରଧାନଙ୍କ ସ୍ୱାମୀ ଅଭିରାମ ପ୍ରଧାନ ଛତ୍ରପୁରର ଶାନ୍ତିନଗର ନିବାସୀ ହୋଇଥିବା ବେଳେ ପଦ୍ମଚରଣ ରାଉଳଙ୍କ ନେତ୍ତୃତ୍ୱରେ ଏକ ଶୋଭାଯାତ୍ରାରେ ବାହାରି ସ୍ୱାଗତିକା ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ମୋଟାମୋଟି ଭାବେ ଘମାଘୋଟ ଲଢ଼େଇ ବିଜେପି ଓ ବିଜେଡିର ମୁହାଁମୁହିଁ ହେବା ଘଟଣା ଲୋକଲୋଚନକୁ ଆସି ଏକ ଚକିତ ରୂପ ଧାରଣ ଭାବେ ଗଞ୍ଜାମ ଜିଲ୍ଲା ନିର୍ବାଚନୀ ମଞ୍ଚରେ ଏକ ଭିନ୍ନ ରୂପରେ ପ୍ରତିଫଳିତ କରିଛି । ରାଣାଙ୍ଗନର ଝଲକ କିଭଳି ପ୍ରତିପାଦିତ ହେବ ତାହା ସମୟ ଅପେକ୍ଷାରେ ରହିଛି ।
