jayashree

ଦରକାର ପଡିଲେ ପୁଣି ରିମାଣ୍ଡରେ ଅଣାଯାଇ ପାରେ ନକଲି ସାର୍ଟିଫିକେଟ୍‌ର ମାଷ୍ଟର ମାଇଣ୍ଡ ଓ ଅଭିଯୁକ୍ତମାନଙ୍କୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆବଶ୍ୟକ ପଡିଲେ ନକଲି ସାର୍ଟିିଫିକେଟ୍‌ କାରବାରର ମାଷ୍ଟର ମାଇଣ୍ଡ ସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଅଧିକ ତଦନ୍ତ ପାଇଁ ପୁଣି ଥରେ କ୍ରାଇମ୍‌ ବ୍ରାଞ୍ଚ ରିମାଣ୍ଡରେ ଆଣିପାରେ ବୋଲି ଚର୍ଚ୍ଚା ହେଉଛି । ଅଭିଯୁକ୍ତମାନଙ୍କଠାରୁ ବହୁତ କିଛି ତଥ୍ୟ ମିଳିଥିବା ବେଳେ ଏହା ଏକ ବଡ଼ ଧରଣର ମାମଲା ଓ ଆଗାମୀ ସମୟରେ ଜୋର୍‌ସୋର୍ ଏକ୍ସନ୍ ଆରମ୍ଭ ହେବ ବୋଲି କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଦେବବ୍ରତ ଚକ୍ର ଗତକାଲି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି । ନକଲି ସାର୍ଟିଫିକେଟ୍‌ କାରବାରର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ତାଙ୍କ ପାର୍ଟନର ଆଲୋକ ଉଦ୍‌ଗାତା ଏବଂ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ୩ ଦିନ ପାଇଁ କ୍ରାଇମ୍‌ବ୍ରାଞ୍ଚ ରିମାଣ୍ଡରେ ନେଇଥିବା ବେଳେ ଗତକାଲି ରିମାଣ୍ଡ ଅବଧି ଶେଷ ହେବା ପରେ ଅଭିଯୁକ୍ତମାନଙ୍କୁ ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ସମର୍ପଣ କରାଯାଇଥିଲା ।

ତେବେ ରିମାଣ୍ଡ ଅବଧି ଭିତରେ ଅଭିଯୁକ୍ତମାନଙ୍କଠାରୁ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡିଛି । ରିମାଣ୍ଡ ସମୟରେ ଅଭିଯୁକ୍ତମାନଙ୍କୁ ସାମ୍ନାସାମ୍ନି କରି ଅନେକ ସତ ବାହାର କରିଛି କ୍ରାଇମ୍‌ବ୍ରାଞ୍ଚ ବୋଲି କୁହାଯାଉଛି । ଅଭିଯୁକ୍ତମାନେ ନକଲି ସାର୍ଟିଫିକେଟ୍‌ କାରବାର ସଂପର୍କରେ ସତ୍ୟ ଓଗାଳିଥିବା ବେଳେ ଆଗାମୀ ଦିନରେ ଏହି ମାମଲାରେ ଜୋର୍‌ଦାର୍ ଏକ୍ସନ୍ ଆରମ୍ଭ ହେବ ବୋଲି ଜଣାପଡିଛି ।

ପୁଣି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଏବଂ ଆଲୋକ ଉଦ୍‌ଗାତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ପଚରାଉଚୁରା କରାଯାଇ ସେମାନଙ୍କ ଷ୍ଟେଟମେଣ୍ଟ ରେକର୍ଡ କରିଛି କ୍ରାଇମ୍‌ବ୍ରାଞ୍ଚ । ଏତଦ୍‌ ବ୍ୟତୀତ ବେଆଇନ୍‌ ଅର୍ଥରେ ପ୍ରାପ୍ତ ହୋଇନଥିବା ପ୍ରମାଣିତ ହେବା ପର୍ୟ୍ୟନ୍ତ ଅଭିଯୁକ୍ତ ମନୋଜଙ୍କ ୫ଟି ଜମିଜମା ସମ୍ପତ୍ତିରେ କୌଣସି ହସ୍ତକ୍ଷେପ କରାନଯିବା ପାଇଁ ବଲାଙ୍ଗିର ସବ୍‌ରେଜିଷ୍ଟାରଙ୍କୁ ଅନୁରୋଧ କରିଛି କ୍ରାଇମ୍‌ବ୍ରାଞ୍ଚ । ତେବେ ବଲାଙ୍ଗିରରେ ଏହି ମାମଲାରେ ଆହୁରି ଜୋର୍‌ସୋର୍‌ ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଅଣ୍ଟା ଭିଡିଥିବା କୁହାଯାଇଛି ।

Leave A Reply

Your email address will not be published.