ଭୁବନେଶ୍ୱର, (ପିଆଇବି) : ନାଗରିକତା (ସଂଶୋଧନ) ଆଇନ (ସିଏଏ) – ୨୦୧୯ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରେ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ୩୧ ଡିସେମ୍ବର, ୨୦୧୪ରେ କିମ୍ବା ତା’ପୂର୍ବରୁ ଭାରତ ଆସିଥିବା ଶରଣାର୍ଥୀ ମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଆବେଦନ କରିବାର ଯୋଗ୍ୟତା ହାସଲ ଅବଧିକୁ ୧୧ରୁ ୫ ବର୍ଷକୁ ହ୍ରାସ କରିଛି । ପଡ଼ୋଶୀ ଦେଶରେ ଧର୍ମ ଆଧାରରେ ପୀଡ଼ିତ ଏଭଳି ଲୋକଙ୍କ ପ୍ରତି ଉଦାର ବ୍ୟବହାର ଦେଖାଇବା ପାଇଁ ଏହି ଆଇନ ଉଦ୍ଦିଷ୍ଟ । ଏହା ସ୍ୱାଧୀନତା ପରେ ଅନ୍ୟ ଧର୍ମର ଭାରତୀୟ ନାଗରିକଙ୍କ ଭଳି ଭାରତୀୟ ମୁସଲିମ୍ମାନେ ସ୍ୱାଧୀନ ଭାବେ ଉପଭୋଗ କରୁଥିବା ଅଧିକାର ଏବଂ ସେମାନଙ୍କୁ ମିଳୁଥିବା ସୁଯୋଗକୁ କୌଣସି ପ୍ରକାରରେ ହାନି ପହଞ୍ଚାଇବ ନାହିଁ । ଭାରତରେ ରହୁଥିବା ମୁସଲିମଙ୍କ ପାଇଁ ଏହି ଆଇନରେ କୌଣସି ଚିନ୍ତାଜନକ ବିଷୟ ରହିଛି ? ଭାରତୀୟ ମୁସଲମାନମାନେ ଚିନ୍ତିତ ହେବା ଅନାବଶ୍ୟକ କାରଣ ଏହି ଆଇନରେ ସେମାନଙ୍କ ନାଗରିକତାକୁ ପ୍ରଭାବିତ କରିବା ଭଳି କୌଣସି ବ୍ୟବସ୍ଥା ନାହିଁ । ବର୍ତ୍ତମାନ ନିଜର ହିନ୍ଦୁ ସମକକ୍ଷଙ୍କ ଭଳି ସମାନ ଅଧିକାର ଉପଭୋଗ କରୁଥିବା ୧୮ କୋଟି ଭାରତୀୟ ମୁସଲିମଙ୍କର ନାଗରିକତା ଆଇନ ସହ କୌଣସି ସମ୍ପର୍କ ନାହିଁ । ଏହି ଆଇନ ଲାଗୁ ହେବା ପରେ କୌଣସି ଭାରତୀୟ ନାଗରିକଙ୍କୁ ନିଜ ନାଗରିକତା ପ୍ରମାଣିତ କରିବା ଲାଗି କୌଣସି କାଗଜପତ୍ର ଦେଖାଇବାକୁ କୁହାଯିବ ନାହିଁ । ଏହି ଆଇନରେ ବେଆଇନ ପ୍ରବାସୀ ମୁସଲିମ୍ମାନଙ୍କୁ ବାଂଲାଦେଶ, ଆଫଗାନିସ୍ତାନ ଏବଂ ପାକିସ୍ତାନକୁ ନିର୍ବାସନ କରିବା ଲାଗି କୌଣସି ବ୍ୟବସ୍ଥା କିମ୍ବା ରାଜିନାମା ରହିଛି କି ? ଏସବୁ ଦେଶକୁ ପ୍ରବାସୀମାନଙ୍କୁ ନିର୍ବାସନ କରିବା ଲାଗି ଏହି ଦେଶଗୁଡ଼ିକ ସହିତ ଭାରତର କୌଣସି ରାଜିନାମା କିମ୍ବା ଚୁକ୍ତି ହୋଇନାହିଁ । ଏହି ନାଗରିକତା ଆଇନ ବେଆଇନ ପ୍ରବାସୀଙ୍କ ନିର୍ବାସନ ସହ ଜଡ଼ିତ ନୁହେଁ, ତେଣୁ ସିଏଏ ମୁସଲିମ୍ ସଂଖ୍ୟାଲଘୁଙ୍କ ବିରୋଧୀ ବୋଲି ମୁସଲିମ୍ ଓ ଛାତ୍ରଛାତ୍ରୀଙ୍କ ସମେତ କିଛି ଲୋକଙ୍କର ଏକ ନିର୍ଦ୍ଦିଷ୍ଟ ବର୍ଗ ଯେଉଁ ଚିନ୍ତା କରୁଛନ୍ତି ତାହା ଅମୂଳକ । କେଉଁମାନେ ବେଆଇନ ପ୍ରବାସୀ? ନାଗରିକତା ଆଇନ, ୧୯୫୫ ଭଳି, ସିଏଏ ଆଇନ ଯେକୌଣସି ବେଆଇନ ପ୍ରବାସୀଙ୍କୁ ଜଣେ ବିଦେଶୀ ଭାବେ ପରିଭାଷିତ କରିଥାଏ ଯିଏକି ବିନା ଦସ୍ତାବିଜରେ ଭାରତରେ ପ୍ରବେଶ କରିଛନ୍ତି । ଇସଲାମ୍ର ଭାବମୂର୍ତ୍ତି ଉପରେ ଏହି ଆଇନର କିଭଳି ପ୍ରଭାବ ପଡ଼ିବ ? ଏହି ତିନୋଟି ମୁସ୍ଲିମ୍ ଦେଶରେ ସଂଖ୍ୟଲଘୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର କାରଣରୁ ସାରା ବିଶ୍ୱରେ ଇସଲାମ୍ର ଭାବମୂର୍ତ୍ତି ଗୁରୁତର ଭାବେ ପ୍ରଭାବିତ ହୋଇଛି । ତେବେ ଇସଲାମ ଏକ ଶାନ୍ତିପୂର୍ଣ୍ଣ ଧର୍ମ ହୋଇଥିବାରୁ କେବେ ବି ଧାର୍ମିକ ଆଧାରରେ ଘୃଣା/ହିଂସା/ଉତ୍ପୀଡ଼ନକୁ ପ୍ରୋତ୍ସାହନ ଦେଇନଥାଏ । ଅତ୍ୟାଚାର ପ୍ରତି ସମ୍ବେଦନଶୀଳତା ଓ କ୍ଷତିପୂରଣକୁ ଦର୍ଶାଉଥିବା ଏହି ଆଇନ ଧାର୍ମିକ ଅତ୍ୟାଚାର ନାମରେ ଇସଲାମର ଭାବମୂର୍ତ୍ତିକୁ ଖରାପ ହେବାରୁ ସୁରକ୍ଷା ଦେଇଥାଏ । ମୁସଲମାନମାନଙ୍କ ପାଇଁ ଭାରତୀୟ ନାଗରିକତା ପାଇବାରେ କୌଣସି ପ୍ରତିବନ୍ଧକ ଅଛି କି ? ନା ଆଦୌ ନାହିଁ । ନାଗରିକତା ଆଇନର ଧାରା ୬ ଭାରତର ନାଗରିକତା ପ୍ରାପ୍ତ କରିବା ସହ ଜଡ଼ିତ, ଏହାର ନିୟମ ଅନୁଯାୟୀ ବିଶ୍ୱର ଯେକୌଣସି ସ୍ଥାନରୁ ଭାରତୀୟ ନାଗରିକତା ପାଇବା ପାଇଁ ଚାହୁଁଥିବା ମୁସଲମାନମାନଙ୍କ ଉପରେ କୌଣସି ପ୍ରତିବନ୍ଧକ ନାହିଁ । ସଂଶୋଧନର ଆବଶ୍ୟକତା କ’ଣ ? ଏହି ତିନୋଟି ଦେଶର ନିର୍ଯ୍ୟାତିତ ସଂଖ୍ୟାଲଘୁଙ୍କ ପ୍ରତି ଦୟା ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଏହି ଆଇନ ସେମାନଙ୍କୁ ଭାରତର ସର୍ବଦା ଉଦାର ସଂସ୍କୃତି ଅନୁଯାୟୀ ସେମାନଙ୍କ ସୁଖୀ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ଭାରତୀୟ ନାଗରିକତା ପାଇବାର ସୁଯୋଗ ଦେଇଥାଏ । ନାଗରିକତା ବ୍ୟବସ୍ଥାକୁ ଅନୁକୂଳ କରିବା ଏବଂ ବେଆଇନ ପ୍ରବାସୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏହି ଆଇନର ଆବଶ୍ୟକତା ରହିଥିଲା । ସରକାରଙ୍କ ପୂର୍ବ ପଦକ୍ଷେପଗୁଡ଼ିକ କ’ଣ ? ୨୦୧୬ରେ କେନ୍ଦ୍ର ସରକାର ଏହି ତିନି ଦେଶର ସଂଖ୍ୟାଲଘୁମାନଙ୍କୁ ଭାରତରେ ରହିବା ପାଇଁ ଦୀର୍ଘମିଆଦୀ ଭିସା ଦେବାକୁ ଯୋଗ୍ୟ କରିଥିଲେ । ଅନ୍ୟ କୌଣସି ଦେଶରୁ ଆସିଥିବା ମୁସଲମାନ ପ୍ରବାସୀଙ୍କ ପାଇଁ କୌଣସି ପ୍ରତିବନ୍ଧକ ଅଛି କି ? ସିଏଏ ନାଗରିକତା ଆଇନକୁ ବାତିଲ କରେ ନାହିଁ । ତେଣୁ ଅନ୍ୟ ଯେକୌଣସି ଦେଶରୁ ଆସିଥିବା ମୁସଲମାନ ପ୍ରବାସୀଙ୍କ ସମେତ ଯେ କେହି ବ୍ୟକ୍ତି ଭାରତୀୟ ନାଗରିକ ହେବାକୁ ଚାହୁଁଥିଲେ ପ୍ରଚଳିତ ଆଇନ ଅନୁଯାୟୀ ଏଥିପାଇଁ ଆବେଦନ କରିପାରିବେ । ଇସଲାମର ନିଜସ୍ୱ ସଂସ୍କରଣକୁ ଆପଣାଇବା କାରଣରୁ ଏହି ତିନୋଟି ଦେଶରେ ନିର୍ଯ୍ୟାତିତ ହୋଇଥିବା ଯେକୌଣସି ମୁସଲିମ୍ମାନଙ୍କୁ ବର୍ତ୍ତମାନର ଆଇନ ଅଧୀନରେ ଭାରତୀୟ ନାଗରିକତା ପାଇଁ ଆବେଦନ କରିବାରୁ ଏହି ଆଇନ କୌଣସି ପ୍ରକାରରେ ଅଟକାଇ ନଥାଏ ।