ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଜିଲ୍ଲାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ବରିଷ୍ଠ ନାଗରିକମାନେ ତୀର୍ଥ ଯାତ୍ରାରେ ବାହାରିଛନ୍ତି । ସ୍ଥାନୀୟ ପର୍ଯ୍ୟଟନ ଅଫିସରେ ମଧ୍ୟାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନା ଦେବା ସହ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାପରେ ସେମାନେ ବସ୍ ଯୋଗେ ସମ୍ବଲପୁର ଅଭିମୁଖେ ବାହାରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠି, ଡେପୁଟି କଲେକ୍ଟର (ନିର୍ବାଚନ) ରାଜେନ୍ଦ୍ର ନାୟକ ସବୁଜ ପତାକା ଦେଖାଇ ଏହି ଯାତ୍ରା ଆରମ୍ଭ କରିଥିଲେ । ଆସନ୍ତା କାଲି ସେମାନେ ସ୍ଵତନ୍ତ୍ର ଟ୍ରେନରେ ସମ୍ବଲପୁରରୁ ଯାତ୍ରା ଆରମ୍ଭ କରିବେ । ଦ୍ଵିତୀୟ ପର୍ଯ୍ୟାୟରେ ଫେବୃଆରୀ ୧୮ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରୀମାନେ ତୀର୍ଥ ଭ୍ରମଣ କରିବେ । ଏହି ଯାତ୍ରୀମାନେ ରାଜସ୍ଥାନର ଆଜମେର ପୁଷ୍କର ଦର୍ଶନୀୟ ସ୍ଥାନ ବୁଲିବେ । ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ବରିଷ୍ଠ ନାଗରିକମାନେ ନିଜକୁ ପଞ୍ଜିକୃତ କରାଇଥିଲେ । ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତଥା ସହକାରୀ ନିର୍ଦ୍ଦେଶକ ରବିନ୍ଦ୍ର ଦଳେଇଙ୍କ ନେତୃତ୍ଵରେ ସଂପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା ହୋଇଛି । ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ୬୦ରୁ ୭୫ ବର୍ଷ ପର୍ଯ୍ୟନ୍ତ ନାଗରିକମାନଙ୍କୁ ଦୁଇଟି ପର୍ଯ୍ୟାୟରେ ତୀର୍ଥ କରିବାର ସୁଯୋଗ ମିଳିବ । ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୬ ତାରିଖରୁ ୧୧ ତାରିଖ ତୀର୍ଥ ଯାତ୍ରାରେ ଜିଲ୍ଲାର ବରିଷ୍ଠ ନାଗରିକ କୋଲକାତା ଏବଂ କାମାକ୍ଷା ମନ୍ଦିର ଯାତ୍ରା କରିଥିଲେ । ଜିଲ୍ଲାରୁ ୧୭୭ ଜଣ ଲେଖାଏଁ ଦୁଇଟି ପର୍ଯ୍ୟାୟରେ ସମୁଦାୟ ୩୫୪ ଜଣ ମନୋନୀତ ହୋଇଛନ୍ତି । ୨୦୧୬ରୁ ଆରମ୍ଭ ହେଇଥିବା ଏହି ଯୋଜନାରେ ରାଜ୍ୟରୁ କୋଡିଏ ହଜାରରୁ ଅଧିକ ବରିଷ୍ଠ ନାଗରିକ ଉପକୃତ ହେଇଛନ୍ତି । ଯାତ୍ରାରେ ବାହାରିଥିବା ନାଗରିକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଡାକ୍ତରୀ ଦଳ, ଏସ୍କର୍ଟ ଅଫିସରମାନେ ନିୟୋଜିତ ହୋଇଛନ୍ତି ।
Prev Post