ଭାରତରେ ବଢୁଛି ନଗଦମୁକ୍ତ ଡିଜିଟାଲ ନେଣଦେଣ

  • ବ୍ୟାପକ ଡିଜିଟାଲ ଗ୍ରହଣୀୟତା ସହ ନଗଦମୁକ୍ତ ନେଣଦେଣ ଦିଗରେ ଆସିଛି ରୂପାନ୍ତରଣକାରୀ ପରିବର୍ତ୍ତନ
  • ୨୦୨୪ ପ୍ରଥମାର୍ଦ୍ଧରେ ୟୁପିଆଇ କାରବାର ପୂର୍ବବର୍ଷ ତୁଳନାରେ ୫୨% ବୃଦ୍ଧି
  • କାର୍ଡ ଜରିଆରେ ସାମଗ୍ରିକ ନେଣଦେଣ ମୂଲ୍ୟ ୩୭% ଏବଂ ନେଟ୍ ବ୍ୟାଙ୍କିଙ୍ଗ୍ (ଏନ୍‌ବି) ଜରିଆରେ କାରବାର ୯% ବଢ଼ିଲା
  • ନୂଆ ଉଦ୍‌ଭାବନ ବ୍ୟବହାରକାରୀଙ୍କ ଅନୁଭୂତି ଓ ସୁଲଭତାକୁ ବଢ଼ାଇବାକୁ ଯାଉଥିବାରୁ ଡିଜିଟାଲ ଅର୍ଥ କାରବାରର ଭବିଷ୍ୟତ ବେଶ ସମ୍ଭାବନାପୂର୍ଣ୍ଣ

ନୂଆଦିଲ୍ଲୀ, (ପିଆଇବି) : ଭାରତରେ ନଗଦମୁକ୍ତ ଡିଜିଟାଲ ନେଣଦେଣ ବ୍ୟାପକ ଭାବେ ବୃଦ୍ଧି ପାଇଥିବା ୱାର୍ଲ୍ଡଲାଇନ୍ ଇଣ୍ଡିଆର ଡିଜିଟାଲ ପେମେଣ୍ଟ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଚଳିତ ବର୍ଷର ପ୍ରଥମାର୍ଦ୍ଧ ବା ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ ଦେଶର ଦ୍ରୁତ ବିକଶିତ ଡିଜିଟାଲ ଅର୍ଥ ପଇଠ ପରିଦୃଶ୍ୟକୁ ନେଇ ପ୍ରସ୍ତୁତ ଏହି ରିପୋର୍ଟରେ ଡିଜିଟାଲ ଅର୍ଥ ନେଣଦେଣ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି ଓ ବିକାଶଧାରା ଉପରେ ଆଲୋକପାତ କରାଯାଇଛି । ବିଶେଷ କରି ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ଜରିଆରେ ଡିଜିଟାଲ ନେଣଦେଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଡିଜିଟାଲ ଗ୍ରହଣୀୟତାକୁ ପ୍ରତିଫଳିତ କରି କ୍ୟାସଲେସ୍ ବା ନଗଦମୁକ୍ତ ନେଣଦେଣ ଦିଗରେ ଏକ ରୂପାନ୍ତରଣକାରୀ ପରିବର୍ତ୍ତନ ଉପରେ ରିପୋର୍ଟରେ ଦର୍ଶାଯାଇଛି । ସବୁଠୁ ଅଧିକ ଡିଜିଟାଲ ଅର୍ଥ ନେଣଦେଣ ୟୁପିଆଇ ଜରିଆରେ ହୋଇଛି । ଏଥିରେ ୭ହଜାର ୮୦୦ କୋଟିରୁ ଅଧିକ କାରବାର ହୋଇଛି ଯାହାକି ପୂର୍ବ ବର୍ଷ ତୁଳନାରେ ୫୨% ଅଧିକ । କ୍ରେଡିଟ୍ କାର୍ଡ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି, ଯାହା ଉପଭୋକ୍ତାଙ୍କ ଆଚରଣରେ ପରିବର୍ତ୍ତନକୁ ସୂଚାଉଛି । ଏହାବ୍ୟତୀତ୍‌ ଏହି ରିପୋର୍ଟରେ ପେମେଣ୍ଟ ଭିତ୍ତିଭୂମିର ସମ୍ପ୍ରସାରଣ, ପଏଣ୍ଟ ଅଫ୍ ସେଲ୍ (ପିଓଏସ୍) ଟର୍ମିନାଲରେ ଉଲ୍ଲେଖନୀୟ ବୃଦ୍ଧି ଏବଂ ଋଣ ଉପଲବ୍ଧତା ବୃଦ୍ଧି ପାଇଁ ୟୁନିଫାଇଡ୍ ଲେଣ୍ଡିଂ ଇଣ୍ଟରଫେସ୍ (ୟୁଏଲ୍‌ଆଇ)ର ପ୍ରଚଳନ ବିଷୟରେ ଉଲ୍ଲେଖ କରାଯାଇଛି । ମୋବାଇଲ୍ ପେମେଣ୍ଟ୍, ନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ମଧ୍ୟ ଯଥେଷ୍ଟ ଅଭିବୃଦ୍ଧି ପ୍ରଦର୍ଶନ କରୁଛି ଯାହା କ୍ରମଶଃ ଏକ ସମାବେଶୀ ଆର୍ଥିକ ଇକୋସିଷ୍ଟମକୁ ପ୍ରଦର୍ଶିତ କରିଥାଏ । ଗ୍ରାହକଙ୍କ ଠାରୁ ବ୍ୟବସାୟୀଙ୍କ ନିକଟକୁ ଡିଜିଟାଲ କାରବାର ବୃଦ୍ଧି ପାଇବା ସହିତ ଅଧିକ ପରିମାଣରେ ଅର୍ଥ ହସ୍ତାନ୍ତର ମଧ୍ୟ ଦେଖିବାକୁ ମିଳିଛି । ରିପୋର୍ଟରେ ଅର୍ଥପଇଠ ଭିତ୍ତିଭୂମି ସମ୍ପ୍ରସାରଣ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ସମୟ ମଧ୍ୟରେ ୮୯ ଲକ୍ଷରୁ ଅଧିକ ପିଓଏସ୍‌ ଟର୍ମିନାଲ ସ୍ଥାପନ କରାଯାଇଛି ଏବଂ ୟୁପିଆଇ କ୍ୟୁଆର୍ କୋଡ୍ ସଂଖ୍ୟା ମଧ୍ୟ ବଢ଼ିଛି । ଏବେ ଡିଜିଟାଲ କାରବାରକୁ ନେଇ ବ୍ୟବସାୟୀମାନେ ଅଧିକ ପ୍ରସ୍ତୁତ ରହିଛନ୍ତି । ୧୦ଟି ବ୍ୟାଙ୍କ ୯୫% ପିଓଏସ୍‌ ଟର୍ମିନାଲ କାର୍ଯ୍ୟକାରୀ କରିଛନ୍ତି । ସମସ୍ତ ଡିଜିଟାଲ ପେମେଣ୍ଟକୁ ତୁଳନା କଲେ ୟୁପିଆଇ ମାଧ୍ୟମରେ ସବୁଠୁ ଅଧିକ କାରବାର ହୋଇଥିବା ରିପୋର୍ଟ ଦର୍ଶାଇଛି । ଷ୍ଟୋର୍ ମାଧ୍ୟମରେ କାରବାର କରାଯାଉଥିବା ବ୍ୟବସାୟୀ ବର୍ଗଗୁଡ଼ିକ ମଧ୍ୟରେ ତେଜରାତି ଦୋକାନ, ରେସ୍ତୋରାଁ, ସର୍ଭିସ୍ ଷ୍ଟେସନ୍, ପୋଷାକ ଷ୍ଟୋର୍, ସରକାରୀ ସେବା, ଔଷଧ ଦୋକାନ ଏବଂ ଡାକ୍ତରଖାନା ସବୁଠୁ ଅଧିକ ଡିଜିଟାଲ କାରବାର ହୋଇଛି । ଏହିସବୁ କ୍ଷେତ୍ରରେ ମୋଟ୍ ଡିଜିଟାଲ ନେଣଦେଣ ପରିମାଣର ପ୍ରାୟ ୬୮% ଏବଂ ମୋଟ ନେଣଦେଣ ମୂଲ୍ୟର ପାଖାପାଖି ୫୩% ଡିଜିଟାଲ କାରବାର ହୋଇଛି । ଅନ୍‌ଲାଇନ୍, ଇ-କମର୍ସ, ଗେମିଂ, ୟୁଟିଲିଟି, ସରକାରୀ ଏବଂ ଆର୍ଥିକ ସେବା କ୍ଷେତ୍ରର ମଧ୍ୟ ପ୍ରାଧାନ୍ୟ ରହିଛି, ଯାହାକି ମୋଟ୍ ନେଣଦେଣ ପରିମାଣର ପ୍ରାୟ ୮୧% ଏବଂ ନେଣଦେଣ ମୂଲ୍ୟର ୭୪% ପ୍ରତିନିଧିତ୍ୱ କରେ । ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ଣ୍ଣାଟକ, ଦିଲ୍ଲୀ, ତେଲଙ୍ଗାନା, ଉତ୍ତରପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଡିଜିଟାଲ ଅର୍ଥ କାରବାର କ୍ଷେତ୍ରରେ ଶୀର୍ଷ ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ପାଇଛନ୍ତି ।
୨୦୨୪ର ପ୍ରଥମାର୍ଦ୍ଧକୁ ୨୦୨୩ର ସମାନ ସମୟ ସହିତ ତୁଳନା କଲେ ୟୁପିଆଇ ନେଣଦେଣ ପରିମାଣ ୫୨% ବୃଦ୍ଧି ପାଇ ୫୧.୯ ବିଲିୟନରୁ ୭୮.୯୭ ବିଲିୟନ ଟଙ୍କାରେ ପହଞ୍ଚିଥିବା ବେଳେ ନେଣଦେଣ ମୂଲ୍ୟ ୪୦% ବୃଦ୍ଧି ପାଇ ୮୩.୧୬ ଟ୍ରିଲିୟନ ଟଙ୍କାରୁ ୧୧୬.୬୩ ଟ୍ରିଲିୟନ ଟଙ୍କାରେ ପହଞ୍ଚିଛି । ୨୦୨୪ର ପ୍ରଥମାର୍ଦ୍ଧରେ ୟୁପିଆଇ କାରବାର ଉଭୟ ବ୍ୟକ୍ତିରୁ ବ୍ୟକ୍ତି (ପି୨ପି) ଏବଂ ବ୍ୟକ୍ତିରୁ ବ୍ୟବସାୟୀ (ପି୨ଏମ୍) ବର୍ଗରେ ଉଲ୍ଲେଖନୀୟ ବୃଦ୍ଧି ପାଇଛି । ପି୨ପି କାରବାର ୨୨.୭୫ ବିଲିୟନରୁ ୩୦.୦୩ ବିଲିୟନକୁ ବୃଦ୍ଧି ପାଇ ୩୨% ବୃଦ୍ଧି ପାଇଥିବା ବେଳେ ଏହାର ମୂଲ୍ୟ ୬୩.୯୯ ଟ୍ରିଲିୟନ ଟଙ୍କାରୁ ୮୫.୧୭ ଟ୍ରିଲିୟନ ଟଙ୍କାକୁ ବଢ଼ିଛି, ଯାହାକି ୩୩% ବୃଦ୍ଧି । ଅପରପକ୍ଷେ, ପି୨ଏମ୍ କାରବାର ପରିମାଣ ୬୮% ବୃଦ୍ଧି ପାଇ ୨୯.୧୫ ବିଲିୟନରୁ ୪୮.୯୪ ବିଲିୟନ ଟଙ୍କାରେ ପହଞ୍ଚିଛି ଏବଂ ଏହି ସମୟ ମଧ୍ୟରେ ଏହାର ମୂଲ୍ୟ ୧୯.୩୯ ଟ୍ରିଲିୟନ ଟଙ୍କାରୁ ୬୨% ବୃଦ୍ଧି ପାଇ ୩୧.୪୫ ଟ୍ରିଲିୟନ ଟଙ୍କାରେ ପହଞ୍ଚିଛି । ଜୁନ୍ ୨୦୨୪ ସୁଦ୍ଧା ପ୍ରଚଳନରେ ଥିବା ମୋଟ୍‌ କାର୍ଡ ସଂଖ୍ୟା ୧.୪୫୧ ବିଲିୟନରେ ପହଞ୍ଚିଛି, ଯାହା ବାର୍ଷିକ ୧୧% ବୃଦ୍ଧିକୁ ଦର୍ଶାଉଛି । ଏଥିରେ ୧୦୩.୮ ନିୟୁତ କ୍ରେଡିଟ୍ କାର୍ଡ, ୯୭୯.୭୧ ନିୟୁତ ଡେବିଟ୍ କାର୍ଡ ଏବଂ ୩୬୭.୫ ନିୟୁତ ପ୍ରିପେଡ୍ କାର୍ଡ ସାମିଲ, ଯାହାର ଅଭିବୃଦ୍ଧି ହାର ଜାନୁଆରୀ ୨୦୨୩ ଠାରୁ ୨୬%, ୪% ଏବଂ ୩୨% ରହିଛି । କାର୍ଡ କାରବାରର ସାମଗ୍ରିକ ମୂଲ୍ୟ ୨୧% ବୃଦ୍ଧି ପାଇ ୧୩.୪୯ ଟ୍ରିଲିୟନ ଟଙ୍କାରେ ପହଞ୍ଚିଛି, ଯାହା ମୁଖ୍ୟତଃ କ୍ରେଡିଟ୍ କାର୍ଡ ଦ୍ୱାରା ପରିଚାଳିତ ହୋଇଛି, ଯେଉଁଥିରେ ଏହାର ନେଣଦେଣ ମୂଲ୍ୟ ୩୭% ବୃଦ୍ଧି ପାଇ ୧୦.୬୨ ଟ୍ରିଲିୟନ ଟଙ୍କାରେ ପହଞ୍ଚିଛି । ୨୦୨୪ର ପ୍ରଥମାର୍ଦ୍ଧରେ ଭାରତରେ ମୋବାଇଲ ପେମେଣ୍ଟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି, କାରବାର ପରିମାଣ ୨୦୨୩ ପ୍ରଥମାର୍ଦ୍ଧରେ ୫୨.୧୫ ବିଲିୟନରୁ ୭୬.୦୪ ବିଲିୟନକୁ ବୃଦ୍ଧି ପାଇଛି, ଯାହାକି ୪୬% ବୃଦ୍ଧି ପାଇଛି । ଏହି କାରବାରର ମୂଲ୍ୟ ମଧ୍ୟ ୩୬% ବୃଦ୍ଧି ପାଇ ୧୩୨.୪୦ ଟ୍ରିଲିୟନ ଟଙ୍କାରୁ ୧୭୯.୪୧ ଟ୍ରିଲିୟନ ଟଙ୍କାରେ ପହଞ୍ଚିଛି । ଏହି ଧାରା ବିଶେଷ କରି ୟୁପିଆଇ ମାଧ୍ୟମରେ ମୋବାଇଲ ପେମେଣ୍ଟର ବଢୁଥିବା ଗ୍ରହଣୀୟତାକୁ ଦର୍ଶାଉଛି, ଯାହା ଭାରତରେ ଡିଜିଟାଲ୍ କାରବାରର ଭବିଷ୍ୟତକୁ ମୋବାଇଲ୍ ଫୋନ୍ ଚଳାଇବା ସହିତ ଏହି ଦେୟ ପଦ୍ଧତିର ସ୍ଥିରତା ଏବଂ ସମ୍ଭାବନାକୁ ଦର୍ଶାଉଛି । ୨୦୨୪ର ପ୍ରଥମାର୍ଦ୍ଧରେ ନେଟ୍ ବ୍ୟାଙ୍କିଙ୍ଗ୍ (ଏନବି) ନେଣଦେଣ ପରିମାଣ ୨.୩୧ ବିଲିୟନରେ ପହଞ୍ଚିଛି, ଯାହାକି ୨୦୨୩ର ପ୍ରଥମାର୍ଦ୍ଧ ତୁଳନାରେ ୯% ବୃଦ୍ଧିକୁ ଦର୍ଶାଉଛି । ଏହି କାରବାରର ମୋଟ ମୂଲ୍ୟ ୧୮% ବୃଦ୍ଧି ପାଇ ୫୫୩.୭୮ ଟ୍ରିଲିୟନ ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ବର୍ଷ ୪୬୯.୦୩ ଟ୍ରିଲିୟନ ଟଙ୍କା ଥିଲା । ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ (ଇଟିସି) ମଧ୍ୟ ଟୋଲ୍ ଅସୁଲିରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି ଏବଂ ପାର୍କିଂ ଶୁଳ୍କ ପାଇଁ ଏହାକୁ ଅଧିକରୁ ଅଧିକ ଗ୍ରହଣ କରାଯାଉଛି । ଜାରି ହୋଇଥିବା ଇଟିସି ଟ୍ୟାଗ୍ ସଂଖ୍ୟା ଜାନୁଆରୀ ୨୦୨୩ରେ ୬୪.୭୮ ନିୟୁତ ଥିବା ବେଳେ ଜୁନ୍ ୨୦୨୪ ସୁଦ୍ଧା ଏହା ୯୪.୫୬ ନିୟୁତକୁ ବୃଦ୍ଧି ପାଇଛି, ଯାହାକି କାର୍ ବିକ୍ରି ଏବଂ ନିୟାମକ ଆଦେଶ ବୃଦ୍ଧି ଯୋଗୁଁ ୪୬% ଅଭିବୃଦ୍ଧିକୁ ଦର୍ଶାଉଛି । ରିପୋର୍ଟରେ ଆହୁରି କୁହାଯାଇଛି, ବର୍ତ୍ତମାନ ଜାରି ରହିଥିବା ନୂଆ ନୂଆ ଉଦ୍‌ଭାବନ ବ୍ୟବହାରକାରୀଙ୍କ ଅନୁଭୂତି ଓ ସୁଲଭତାକୁ ବଢ଼ାଇବାକୁ ଯାଉଥିବାରୁ ଡିଜିଟାଲ ଅର୍ଥ କାରବାରର ଭବିଷ୍ୟତ ବେଶ ସମ୍ଭାବନାପୂର୍ଣ୍ଣ ହେବାକୁ ଯାଉଛି । ଅଗଷ୍ଟ ୨୦୨୪ରେ ଆରମ୍ଭ କରାଯାଇଥିବା ୟୁପିଆଇ ଡେଲିଗେଟ୍ ପେମେଣ୍ଟ ଜରିଆରେ ପ୍ରାଥମିକ ଏକାଉଣ୍ଟ ବ୍ୟବହାରକାରୀମାନେ ସେମାନଙ୍କର ୟୁପିଆଇ ମାଧ୍ୟମରେ ଅନ୍ୟ ଜଣଙ୍କୁ ବା ସେକେଣ୍ଡାରୀ ୟୁଜରଙ୍କୁ ଅନୁମତି ଦେଇପାରିବେ । ଏହା ଅଭିଭାବକଙ୍କୁ ସେମାନଙ୍କ ପିଲାଙ୍କ ପାଇଁ ଅର୍ଥ ଉପଲବ୍ଧ କରିବା ଭଳି କ୍ଷେତ୍ରରେ ବିଶେଷ ସହାୟକ ହେବ । ଏହାବ୍ୟତୀତ ରିଜର୍ଭ ବ୍ୟାଙ୍କ ଇନ୍‌ଷ୍ଟୋର୍ ପେମେଣ୍ଟକାରୀଙ୍କ ପାଇଁ ଲାଇସେନ୍ସ ପ୍ରଦାନ ମାର୍ଗଦର୍ଶିକା ଆରମ୍ଭ କରିବାକୁ ଯାଉଛି, ଏହାଦ୍ୱାରା ସେମାନେ ଅନଲାଇନ ପେମେଣ୍ଟ ସିଷ୍ଟମ୍ ପାଇଁ ନିୟାମକ ବ୍ୟବସ୍ଥା ଭିତରକୁ ଆସିପାରିବେ । ଏସବୁ ପ୍ରଗତି କାରଣରୁ ଭାରତରେ ଡିଜିଟାଟ ଅର୍ଥ ନେଣଦେଣର ଗ୍ରହଣୀୟତା ଓ ଦକ୍ଷତା ବୃଦ୍ଧି ପାଇବ ।

Leave A Reply

Your email address will not be published.