ବଲାଙ୍ଗିର, (କେପିଏନ୍ଏସ୍) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ନବନିଯୁକ୍ତ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ବେହେରାଙ୍କୁ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ସରକାରୀ ତଥା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଏକ ପ୍ରତିନିଧି ଦଳ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି । ଏ ଅବକାଶରେ ତାଙ୍କୁ ଏକ ନିବେଦନ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଉକ୍ତ ନିବେଦନ ପତ୍ରରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟଗୁଡ଼ିକରେ ଯୋଗ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ପି.ଏଚ୍.ଡ଼ି ତତ୍ତ୍ୱାବଧାରକ/ ତତ୍ତ୍ୱବାଧାରିକା କରାଯିବା ପାଇଁ ସୁଯୋଗ ସୃଷ୍ଟି କରାଯାଉ ବୋଲି ଉଲ୍ଲେଖ କରାଯାଇଛି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିଏ) ନିର୍ଦ୍ଦେଶିତ ନିୟମ ୨୦୧୮ ଏବଂ ତତ୍ ପରବର୍ତ୍ତୀ ବିଭିନ୍ନ ସଂଶୋଧିତ ଧାରାକୁ ଅନୁସରଣ କରି ଆମ ଦେଶ ତଥା ରାଜ୍ୟରେ ମହାବିଦ୍ୟାଳୟ ସ୍ତରୀୟ ପି.ଏଚ୍.ଡ଼ି ଯୋଗ୍ୟତାଧାରୀ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ତତ୍ତ୍ୱାବଧାରକ/ ତତ୍ତ୍ୱବାଧାରିକା ଦାୟିତ୍ୱ ନିର୍ବାହର ଅନୁମତି ଦିଆଯାଇଛି । ଏପରି ସ୍ଥଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବହୁ ପଛରେ ରହିଛି । ସ୍ୱଳ୍ପ ସଂଖ୍ୟକ ତତ୍ତ୍ୱାବଧାରକ ଚୟନ ପ୍ରକ୍ରିୟା ଯୋଗୁଁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ତତ୍ ଅନୁବନ୍ଧିତ ମହାବିଦ୍ୟାଳୟମାନଙ୍କରେ ଗବେଷଣାର ବିସ୍ତୃତ ଦିଗଟି ଉପେକ୍ଷିତ ମନେହେଉଛି । ଏହାର ସମୃଦ୍ଧି ସକାଶେ ବହୁ ଦିଗଦର୍ଶକ ସୃଷ୍ଟିର ସହଜ ପନ୍ଥାଟି ଗ୍ରହଣୀୟ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନିକଟସ୍ଥ ବିଶ୍ୱବିଦ୍ୟାଳୟମାନଙ୍କରେ ଏହା ଏକ ସହଜ ପ୍ରକ୍ରିୟା ହୋଇସାରିଥିବା ବିଷୟଟି ମଧ୍ୟ ଏହି ଆବେଦନ ପତ୍ରରେ ସଂଲଗ୍ନ କରିଦିଆଯାଇଛି । ସମ୍ପୃକ୍ତ ଆବେଦନ ପତ୍ରଟିର ସାରମର୍ମ ଉପଲବ୍ଧି କରି ପ୍ରଫେସର ବେହେରା କହିଛନ୍ତି ଯେ, ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣାକୁ ବାଦ୍ ଦିଆଯାଇ ବିଶ୍ୱବିଦ୍ୟାଳୟର ମୌଳିକ ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁ । ଏଣୁ ଏଥି ସମ୍ପର୍କିତ ନିୟମାବଳୀର ଅନୁସନ୍ଧାନ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।”
Next Post