ଅସହାୟ ଓ ନିର୍ଯ୍ୟାତିତା ନାବାଳିକାଙ୍କୁ ଉଦ୍ଧାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅସହାୟ ଓ ନିର୍ଯ୍ୟାତିତା ନାବାଳିକାଙ୍କୁ ପ୍ରଶାସନ ସାହାଯ୍ୟରେ ଉଦ୍ଧାର କରିଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ସୂଚନା ଅନୁଯାୟୀ କିଛି ବର୍ଷ ହେବ ତାଙ୍କର ବାପାଙ୍କ ଦେହାନ୍ତ ହେବା ପରେ ସେ ତାଙ୍କ ମା’ ପାଖରେ ରହି ଆସୁଥିଲେ । ହେଲେ କିଛି ବର୍ଷ ହେବ ତାଙ୍କ ମା’ଙ୍କ ମାନସିକ ରୋଗରେ ପୀଡ଼ିତ ହେଲା ପରେ ନାବାଳିକାକୁ ପ୍ରବଳ ମାଡ଼ ମାରି ନିର୍ଯ୍ୟାତନା ଦେଉଥିଲେ । ତେବେ ନାବାଳିକା ଝିଅ ଗୋଟିଏ ପଟେ ମା’ର ମାନସିକ ରୋଗ ଚିନ୍ତା ଓ ଅନ୍ୟପଟେ ପେଟ ପାଟଣା ସହ ପାଠ ପଢିବା ଜାରି ରଖିଥିଲେ । ଏପରିକି ପାଖ ପଡୋଶୀ ଘରେ ସେ କାମ କରି ମାସିକ ହଜାରେ ଟଙ୍କା ରୋଜଗାର କରି ମା’ଙ୍କ ଚିକିତ୍ସା ସହ ପେଟ ପୋଷଣ କରି ଆସୁଥିଲେ । ତେବେ କୋମଳ ବୟସରୁ ସେ ଖେଳିବା ପଢିବା ବୟସରେ ଏଭଳି ବୋଝ ତଳେ ଦବି ଯାଇଥିଲେ । ସେପଟେ ଘରେ ତାଙ୍କ ମା’ଙ୍କ ମାଡ଼ ସେ ଅନ୍ୟ କାହାକୁ ନ କହି ସହି ଆସୁଥିଲେ । ତେବେ ଏଭଳି ଅବସ୍ଥାରେ ତାଙ୍କର ପଡୋଶୀ ଦେଖିବା ପରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନକୁ ଯୋଗାଯୋଗ କରିଥିଲେ । ଖବର ପାଇ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ଓ କର୍ମକର୍ତ୍ତାମାନେ ସେଠାକୁ ଯାଇ ସମ୍ପୃକ୍ତ ନାବାଳିକାକୁ ଉଦ୍ଧାର କରି ବଲାଙ୍ଗିର ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଖବର ଦେଇଥିଲେ । ଶିଶୁ ସୁରକ୍ଷା ଅଧିକାରୀ ସମ୍ପୃକ୍ତ ନାବାଳିକା ଘରକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି ଏବଂ ତାଙ୍କୁ ଶିଶୁ ମଙ୍ଗଳ କମିଟିଠାରେ ହାଜର କରି ତାଙ୍କ ନିର୍ଦ୍ଦେଶରେ ତାଙ୍କୁ ସ୍ଥାନୀୟ ବାଳ ନିକେତନରେ ଥଇଥାନ କରିବା ପାଇଁ ପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.