ବଲାଙ୍ଗିର ସହରର ନିଖିଳନଗରରେ ନାବାଳିକାଙ୍କୁ ହତ୍ୟା, ଘଟଣା ସ୍ଥଳରେ ଟାଉନ ପୋଲିସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ୨୧ ନଂ ୱାର୍ଡ ଅନ୍ତର୍ଗତ ତଥା ବଲାଙ୍ଗିର ସେଣ୍ଟ୍ରାଲ୍‌ ସ୍କୁଲ ପଛପାଖରେ ରହିଥିବା ନିଖିଳନଗରରେ ଜଣେ ନାବାଳିକାଙ୍କ ରକ୍ତ ଯୁଡୁବୁଡୁ ମୃତ ଦେହ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । ମୃତ ନାବାଳିକା ଜଣକ ଶେଷାଦ୍ରୀ ନାଗ(୧୫) ବୋଲି ଜଣାପଡିଛି । ତେବେ ଆଜି ନିଜ ଘରେ ଶେଷାଦ୍ରୀ ଏକା ଥିବା ବେଳେ କେହି ଦୁର୍ବୃତ୍ତ ଘରେ ପଶି ତାଙ୍କୁ ହତ୍ୟା କରିଥିବା ଜଣାପଡିଛି । ଘଟଣା ସଂପର୍କରେ ଖବର ପାଇ ପ୍ରଥମେ ବଲାଙ୍ଗିର ଟାଉନ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ପୋଲିସ ଟିମ୍‌ ସହ ପହଞ୍ଚିଥିବା ବେଳେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ ଓ ସାଇନ୍‌ଟିଫିକ୍‌ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଂଚିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଶେଷାଦ୍ରୀଙ୍କ ବାପା ମକରଧ୍ୱଜ ନାଗ ଜଣେ ରାଜମିସ୍ତ୍ରୀ ହୋଇଥିବା ବେଳେ ତାଙ୍କ ମା’ ପୂର୍ଣ୍ଣିମା ନାଗ ସଫେଇ କର୍ମଚାରୀ ଭାବେ କାମ କରନ୍ତି । ବାପା ମା’ ଦୁହେଁ ଆଜି ସକାଳୁ କାମକୁ ବାହାରିଯିବା ପରେ ଶେଷାଦ୍ରୀ ଘରେ ଏକୁଟିଆ ଥିବା ସମୟରେ କୌଣସି ଦୁର୍ବୃତ୍ତ ଘରେ ପଶି ତାଙ୍କୁ ହତ୍ୟା କରିଥିବା କୁହାଯାଉଛି । ତେବେ ଏଠାରେ ବଡ଼ କଥା ହେଉଛି ଗତ କାଲି ଶେଷାଦ୍ରୀ ସହରର ଏକ ଯୁକ୍ତ ଦୁଇ କଲେଜରେ ନାମ ଲେଖାଇଥିବା ବେଳେ ଆଜି ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଘଟଣା ସ୍ଥଳରୁ ଫେରାର ମାରିଛି । ତେବେ କିଏ ଓ କଣ ପାଇଁ ହତ୍ୟା କରିଛି, ତାହାକୁ ନେଇ ସାଧାରଣରେ ବିଭିନ୍ନ ପ୍ରକାର ଆଲୋଚନା ହେଉଛି ।

Leave A Reply

Your email address will not be published.