ଡ୍ୟାମ୍ ନିକଟରେ ନାବାଳିକାଙ୍କୁ ନିର୍ମମ ହତ୍ୟା

ବଡବିଲ : କେନ୍ଦୁଝର ବଲାଣି ଥାନା ବାଲାଗୋଡ଼ା ବସ୍ତିର ଲାଲ ଡ୍ୟାମ୍ ନିକଟ ଏକ ବୁଦାରେ ବିବାହିତା ନାବାଳିକାଙ୍କୁ ନିର୍ମମ ହତ୍ୟା ଘଟଣାରେ ପୋଲିସକୁ ବଡ଼ ସଫଳତା । ମୃତଦେହ ଉଦ୍ଧାରର ଏକ ସପ୍ତାହ ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି । ହତ୍ୟାକାଣ୍ଡ ଘଟାଆଇଥିବା ନାବାଳକ ସ୍ଵାମୀଙ୍କୁ ବଲାଣି ବସ୍ତି, ଓଏମ୍‌ସି ହଟିଂରୁ ଗିରଫ କରିଛି ବଲାଣି ପୋଲିସ । ଗିରଫ ପରେ ଅଭିଯୁକ୍ତଙ୍କୁ ନେଇ ଗତକାଲି ଘଟଣାର ସିନ୍ ରିକ୍ରିଏସନ୍ କରିଛି ବଲାଣି ପୋଲିସ । ଅଭିଯୁକ୍ତ, କିପରି ହତ୍ୟାକାଣ୍ଡ ଘଟାଇଥିଲେ ସେନେଇ ଘଟଣାସ୍ଥଳରେ ପହଞ୍ଚି ସବୁ କିଛି ଦେଖାଇଥିଲେ । ଖବର ଅନୁଯାୟୀ, ଗତ ପ୍ରାୟ ଏକ ମାସ ପୂର୍ବେ ବଲାଣି ଢିପା ସାହିର ବାପ ଛେଉଣ୍ଡ ୧୫ ବର୍ଷ ବୟସ୍କା ନାବାଳିକା ହୀରାମୋତି ସିଂଙ୍କୁ ବଲାଣି ବସ୍ତି, ଓଏମ୍‌ସି ହଟିଂର ଜଣେ ୧୬ ବର୍ଷ ବୟସ୍କ ନାବାଳକ ମୁଣ୍ଡରେ ସିନ୍ଦୂର ଦେଇ ପ୍ରେମ ବିବାହ କରିଥିଲେ । ତେବେ ନାବାଳିକା ତାଙ୍କ ବାପଘରେ ରହିଆସୁଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କିଛି ମନୋମାଳିନ୍ୟ ରହିଥିଲା । ଗତ ଡିସେମ୍ବର ୩୧ ତାରିଖରେ ହୀରାମୋତି ଘରେ ନାଚ ଗୀତରେ ମସଗୁଲ ଥିବାବେଳେ, ରାତି ପ୍ରାୟ ୮ଟାରେ ନାବାଳକ ସ୍ଵାମୀ-ସ୍ତ୍ରୀଙ୍କୁ ଫୋନ୍ କରି ଡାକିଥିଲେ । ଏହାପରେ ଉଭୟ ସେଠାରୁ ବାଲାଗୋଡ଼ା ବସ୍ତି ପାଖ ଲାଲ ଡ୍ୟାମ୍ ନିକଟକୁ ଯାଇଥିଲେ । ଉଭୟ ବିଷ ଖାଇ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ । ନାବାଳକ ସ୍ଵାମୀ ସାଥିରେ ନେଇଥିବା ଏକ ବିଷ ବୋତଲ ବାହାର କରି ପ୍ରଥମେ ଅଳ୍ପ କିଛି ବିଷ ପାନ କରିବା ସହିତ ସ୍ତ୍ରୀ ହୀରାମୋତିଙ୍କୁ ବିଷ ପିଇବାକୁ ଦେଇଥିଲେ । ତେବେ ହୀରାମୋତି ବିଷ ପିଇବାକୁ ମନାକରିଦେବାରୁ ନାବାଳକ ସ୍ଵାମୀ ଉତକ୍ଷିପ୍ତ ହୋଇ ଉଠିଥିଲେ । ପ୍ରଥମେ ସେ ନାବାଳିକା ପିନ୍ଧିଥିବା ଶାଢ଼ୀର କାନୀକୁ ଧରି ହୀରାମୋତିଙ୍କ ବେକକୁ ଜୋରରେ ଭିଡ଼ି ଦେଇଥିଲେ । ପରେ ନାବାଳିକା ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ । ଏକ ବଡ଼ ପଥର ଉପରେ ହୀରାମୋତିଙ୍କ ମୁଣ୍ଡକୁ ରଖି ଅନ୍ୟ ଏକ ପଥରରେ ନିର୍ମମ ଭାବରେ ଛେଚି ଛେଚି ମାରି ଦେଇଥିଲେ । ଅଳ୍ପ ଦୂରରେ ଥିବା ବୁଦା ଭିତରକୁ ନେଇ ମୃତଦେହ ଫୋପାଡି ଦେଇଥିଲେ । ତେବେ ସେ ପିଇଥିବା ବିଷର ପ୍ରଭାବ କମ୍ ଥିବାରୁ ତାଙ୍କର କିଛି ବି ହୋଇନଥିଲା । ଦୁଇ ଦିନ ପରେ ନାବାଳିକାଙ୍କ କ୍ଷତାକ୍ତ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଥିଲା । ଘଟଣାସ୍ଥଳରୁ ମିଳିଥିବା ଚପଲ, ମୋବାଇଲ ଫୋନ୍‌କୁ ଜବତ କରି ତଦନ୍ତ କରିବା ପରେ ଘଟଣାର ଖୁଲାସା ହୋଇଛି ।

jittmm
Leave A Reply

Your email address will not be published.